ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ନାମଫଳକ ପାଇଁ ନାରାଜ

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଓଡ଼ିଆରେ ନାମଫଳକ ଲେଖିବାକୁ ଉନ୍ନୟନ କମିସନର୍‌ ଚିଠି ଲେଖିଲେ। କେହି ଖାତିର୍‌ କଲେନି। ପୁଣି ଥରେ ଚିଠି ଲେଖି ସ୍ମରଣ କରାଇଲେ। ତଥାପି କେହି ମାନିଲେନି। ୮ ମାସ ପରେ ଏବେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ମାସକ ଭିତରେ ରିପୋର୍ଟ ଦେବା‌କୁ କହିଛନ୍ତି। ଉନ୍ନୟନ କମିସନର୍‌ଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ସରକାରୀ ବାବୁମାନେ ଏବେ ସଂସ୍କୃତି ସଚିବଙ୍କ ଚିଠିକୁ ମାନିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଚାଲିଥିବା ଛଳନାର ଏହା ଆଉ ଏକ ଅଧ୍ୟାୟ ହେବ ବୋଲି ସଚେତନ ନାଗରିକମାନେ ସନ୍ଦେହ ପ୍ରକାଶ କଲେଣି। ଲଗାତାର ଭାବେ ଓଡ଼ିଆ ଭାଷା ଉପରେ ଚାଲିଥିବା ପ୍ରଶାସନିକ ଅତ୍ୟାଚାରକୁ ଦେଖି ଏମିତି ସନ୍ଦେହ ଦୃଢ଼ ହେଉଛି।

୨୦୨୨ ଏପ୍ରିଲ୍‌ ମାସରେ ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନିର୍ଭୁଲ୍ ଓଡ଼ିଆ ନାମଫଳକ ଲେଖିବା ପାଇଁ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଗଲା। ଉନ୍ନୟନ କମିସନର୍‌ ପି କେ ଜେନା ଏହି ଚିଠି କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ‘ଭାରତର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦିଆଯାଇ ସରକାରୀ କାର୍ଯ୍ୟ, ନାମଫଳକ ଇତ୍ୟାଦି ଇଂରାଜୀ ସହିତ ପ୍ରାଦେଶିକ ଭାଷାରେ କରାଯାଉଛି/ ଲେଖାଯାଉଛି। ତଦନୁଯାୟୀ ସମସ୍ତ କାର୍ଯ୍ୟାଳୟରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ମାତ୍ର ବର୍ତ୍ତମାନ ଦେଖାଯାଉଛି ଯେ ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କ ନାମଫଳକ ଓଡ଼ିଆ ଭାଷାରେ ଲେଖାଯାଉ ନାହିଁ କିମ୍ବା ଲେଖାଯାଉଥିଲେ ମଧ୍ୟ କେତେକାଂଶରେ ଲେଖାରେ ତ୍ରୁଟି ରହୁଛି। ଏହା ଓଡ଼ିଆ ଭାଷାର ଗୌରବ ଓ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି।’ ନିର୍ଭୁଲ୍ ଭାବେ ଓଡ଼ିଆରେ ନାମଫଳକ ଲେଖିବାକୁ ସେ ନିର୍ଦ୍ଦେଶ ଦେଲେ। ତିନି ସପ୍ତାହ ମଧ୍ୟରେ ନିର୍ଦ୍ଦେଶକୁ ପାଳନ କରି ସରକାରଙ୍କୁ ଜଣାଇବା ପାଇଁ କହିଥିଲେ। ତିନି ସପ୍ତାହର କଣ୍ଟ ସରିଗଲା। କିନ୍ତୁ କୌଣସି ବିଭାଗ ଓଡ଼ିଆରେ ଫଳକ ଲେଖିବା ପାଇଁ କିଛି ପଦକ୍ଷେପ ନେବା ତ ଦୂରର କଥା, ନିଜ ଅଧସ୍ତନ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇେଲ ନାହିଁ। ଯେମିତି ଓଡ଼ିଆ ଭାଷା ଏହି ବାବୁମାନଙ୍କ ଦୟାରେ ବ୍ୟବହାର ହେବ। ନିଜ ଭାଷା ପ୍ରତି ସର୍ବନିମ୍ନ ଦାୟିତ୍ବବୋଧ ତୁଲାଇବାକୁ ବିଭାଗଗୁଡ଼ିକ ଉଚିତ ମଣିଲେ ନାହିଁ।

ଉନ୍ନୟନ କମିସନର୍‌ଙ୍କୁ ମାନିଲେନି, ଏବେ ସଂସ୍କୃତି ସଚିବ ଚିଠି ଲେଖିଲେ
ଭାଷାର ବ୍ୟବହାର ପାଇଁ ପ୍ରଶାସନିକ କଳରେ ଏତେ କୁଣ୍ଠାବୋଧ କାହିଁକି

ବିଭାଗଗୁଡ଼ିକର ଏପରି ‌ବେଖାତିର ଆଭିମୁଖ୍ୟ ଆଗରେ ଉନ୍ନୟନ କମିସନର୍‌ ଏକପ୍ରକାର ଅସହାୟ ହୋଇପଡ଼ିଲେ। ମେ’ ମାସରେ ଶ୍ରୀ ଜେନା ଆଉ ଥରେ ଚିଠି ଲେଖିଲେ। ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ଓଡ଼ିଆ ନାମଫଳକ ଲେଖିବା ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ। ଏହି ଚିଠିକୁ ଜରୁରୀ ମନେ କରି ତୁରନ୍ତ ସଂସ୍କୃତି ବିଭାଗକୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ସେ କହିଥିଲେ। ଏହି ଚିଠିଟି ପାଇଲା ପରେ କିଛି ବିଭାଗ ତତ୍ପରତା ପ୍ରକାଶ କଲେ। ନିଜ ବିଭାଗର ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଏବେ ସେମାନେ ଚିଠି ଦେଲେ। କିନ୍ତୁ ଫଳ ଶୂନ। କୌଣସି ବିଭାଗ ଏ ଦିଗରେ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସରକାରଙ୍କୁ ଜଣାଇଲେ ନାହିଁ। ଫଳରେ କେତେ ଅନୁଷ୍ଠାନ ଓଡ଼ିଆରେ ଲେଖିଲେ ଓ କେତେ ବାକି ରହିଲେ, ସେ ସମ୍ପର୍କରେ ତଥ୍ୟ ସରକାରଙ୍କ ପାଖରେ ରହିଲା ନାହିଁ।

ଉନ୍ନୟନ କମିସନର୍‌ଙ୍କ ଚିଠିକୁ ମାନି ନଥିବା ଅଧିକାରୀମାନଙ୍କୁ ସରକାରୀ ପ୍ରକ୍ରିୟାରେ କିଛି ବି ତାଗିଦ୍ କରାଗଲା ନାହିଁ। ଏହାର ୮ ମାସ ପରେ ପୁଣି ଓଡ଼ିଆ ଫଳକ କଥା ମନେ ପଡ଼ିଛି। ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ଚିଠି କରି ଓଡ଼ିଆରେ ନାମଫଳକ ଲେଖିବା ପାଇଁ କହିଛନ୍ତି। ଗତ ୨୭ ତାରିଖରେ ଏହି ଚିଠି ଦେବାସହ ଶ୍ରୀ ସାହୁ ଚାରି ସପ୍ତାହ କଣ୍ଟ ଦେଇଛନ୍ତି। ଏଥର ବି କିଛି ଫଳାଫଳ ମିଳିବାର ସମ୍ଭାବନା ଦେଖାଯାଉନି। କାରଣ ୪ ମାସିଆ କଣ୍ଟ ନ ମାନିଲେ କ’ଣ ପରିଣାମ ହେବ, ସେ ସମ୍ପର୍କରେ ଚିଠିରେ କିଛି ଉଲ୍ଲେଖ ନାହିଁ। ଭାଷାପ୍ରେମୀମାନଙ୍କ ଯୁକ୍ତି ହେଉଛି ଯେ ନିଜ ମାତୃଭାଷାର ବ୍ୟବହାର ନେଇ କ୍ଷମତାରେ ଥିବା ବାବୁମାନେ ଅନ୍ତରରୁ ଆଗ୍ରହ ପ୍ରକାଶ କରିବା ଉଚିତ। ଯଦି ନ କରୁଛନ୍ତି, ତେବେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ କରାଇବା ଉଚିତ। କିନ୍ତୁ ସେପରି କରା ନଯାଇ ଉପରଠାଉରିଆ ଭାବେ ନିର୍ଦ୍ଦେଶ ଦିଆଯାଉଥିବାରୁ ଫଳାଫଳ ମିଳୁନି। ଏମିତି ଶହେ ଚିଠି ଦିଆଗଲେ ବି ତାହା ପ୍ରଭାବହୀନ ହିଁ ହେବ।

ରାଜ୍ୟ ସରକାର ରାଜ୍ୟ ଭିତରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରିଛନ୍ତି। ୧୯୫୬ ମସିହାରେ ଏ ସଂକ୍ରାନ୍ତରେ ପ୍ରଣୀତ ଏକ ଆଇନକୁ ୨୦୧୮ ମସିହାରେ ସଂଶୋଧନ କରି ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି। ଏହି ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ନେଇଛି ଶ୍ରମ ବିଭାଗ। ଖିଲାପକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ବି କରାଯାଇଥିଲା। ପ୍ରଥମ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୧ ହଜାରରୁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ତେବେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜରିମାନାର ବ୍ୟବସ୍ଥା‌ ଥିଲା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଆଇନ୍‌ରେ ସ୍ପଷ୍ଟ ନିର୍ଦ୍ଦେଶ ନାହିଁ। ଫଳରେ ଏହି ଦୁର୍ବଳତାର ସୁଯୋଗ ନେଇ ସରକାରୀ ବାବୁମାନେ ଭାଷା ପ୍ରତି ଅତ୍ୟନ୍ତ ବେପରୱା ଆଭିମୁଖ୍ୟ ଦେଖାଉଛନ୍ତି। ଆଇନ୍‌ରେ ଏ ସମ୍ପର୍କରେ ସ୍ପଷ୍ଟ ବ୍ୟବସ୍ଥା କରିବା ସହ ବ୍ୟବସାୟିକ ‌ପ୍ରତିଷ୍ଠାନ କ୍ଷେତ୍ରରେ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।