ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହାସିକ ଅଳକାନଦୀ ଏବେ ଖେଳ ପଡ଼ିଆ: ଦିନେ ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା

ଜଗତସିଂହପୁର: ଜଗତସିଂହପୁର ସହର ଦେଇ ବହିଯାଉଥିଲା ଅଳକା ନଦୀ। ଦିନେ ଏହି ନଦୀ ପଥଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍ ଚଳାଚଳ କରୁଥିଲା। ଇଂରେଜମାନେ ଭାରତକୁ ଆସିବାର ପ୍ରାୟ ୧୭୦ ବର୍ଷ ପୂର୍ବରୁ ଜଗତସିଂହପୁରକୁ ଆସି ସେମାନେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ ଅଳକା ନଦୀ ମୁଖ୍ୟ ମାଧ୍ୟମ ଥିଲା। ଖାଲି ସେତିକି ନୁହେଁ ଏହି ନଦୀ କୂଳରେ ଗଢ଼ି ଉଠିଥିଲା ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ତୁଡ଼ିଶାଳ ଅଳକା ଆଶ୍ରମ। ଏମିତି ଏକ ଐତିହ୍ୟ ନଦୀ ଶଯ୍ୟା ଏବେ ଖେଳପଡ଼ିଆରେ ପରିଣତ ହୋଇଯାଇଛି। ନିକଟରେ ଅଳକା ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଫଳ ଶୂନ। କେବଳ ଯେ ନଦୀ ସୁପ୍ତ ହୋଇଯାଇଛି ତାହା ନୁହେଁ ପରିବେଶ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପଡ଼ିଛି। କାରଣ ଜଗତସିଂହପୁର ସହର ସମେତ ଏକାଧିକ ଅଞ୍ଚଳର ଜଳ ସମସ୍ୟା ଦୂର କରିବା ସହ, ଚାଷ ଜମିକୁ ଜଳସେଚନ ସୁବିଧା ଦେଉଥିଲା।

ଗବେଷକ ମହେନ୍ଦ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ, ୧୬୩୦ରେ ଇଂରେଜ ନାବିକ ବ୍ରୁଟନ୍‌ଙ୍କ ସହ ୭ ଜଣ ସମୁଦ୍ରପଥ ଦେଇ ମାଛଗାଁ ନିକଟ ସମୁଦ୍ର ସହ ସଂଯୋଗ ପାଟୁଆ(ଅଳକା) ନଦୀ ଦେଇ ମରିଚପୁରରେ ପହଞ୍ଚିଥିଲେ। ସେଠାରେ ରାଜାଙ୍କ ଶାସନ ଥିଲା। ସେମାନେ ବାଲିକୁଦାରୁ ଅଳକା ନଦୀ ଦେଇ ଜଗତସିଂହପୁରରେ ପହଞ୍ଚିଥିଲେ। ବର୍ତ୍ତମାନ ଯେଉଁଠି ଶ୍ରୀକୃଷ୍ଣ ଏକାଡେମି ରହିଛି ସେହି ଜାଗାକୁ ସେମାନେ ଚିହ୍ନଟ କରି ରହିଥିଲେ। କାରଣ ନିକଟରେ ଅଳକା ନଦୀ ଥିବାବେଳେ ସେହି ସ୍ଥାନଟି ଉଚ୍ଚା ଥିଲା। ସେତେବେଳେ ସୁବେଦାର ଥିବା ଆଗା ଜମିନଙ୍କ ଠାରୁ ଅନୁମତି ନେଇ ସେଠାରେ ସେମାନେ ରହି ଏକ ସୂତାକଳ କରିଥିଲେ। ଅଳକା ନଦୀ ଦେଇ ବୋଟ, ବଡ଼ବଡ଼ ପାଲଟଣା ଡଙ୍ଗାରେ କଞ୍ଚାମାଲ, ତିଆରି ସାମଗ୍ରୀକୁ ମାଛଗାଁ ନିକଟ ସମୁଦ୍ରପଥ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ସେଠାରୁ ଜାହାଜ ଯୋଗେ ବ୍ୟବସାୟ କାରବାର କରୁଥିଲେ ବ୍ରିଟିଶ୍। ପ୍ରାୟ ୫/୭ ବର୍ଷ ସୂତାକଳ ଚାଲିବା ପରେ ବନ୍ଦ ହୋଇ ଯାଇଥିଲା। ବ୍ୟବସାୟ କରିବାକୁ ଆସିଥିବା ଇଂରେଜମାନେ ଫେରିଯାଇଥିଲେ। ଭାରତରେ ଶାସନ କରିବା ପୂର୍ବରୁ ଯେତେବେଳେ ଇଂରେଜ ଓଡ଼ିଶା ଆସିଥିଲେ। ସେତେବେଳେ ସେମାନେ ଜଗତସିଂହପୁରରେ ବ୍ୟବସାୟ କରୁଥିଲେ ଓ ଅଳକା ନଦୀ ଜଳପଥରେ ସମୁଦ୍ରରେ ଯାତ୍ରା କରୁଥିଲେ। ଶ୍ରୀ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ତାଳଦଣ୍ଡା କେନାଲ ଖୋଳିଥିଲେ। ୧୮୭୦ରୁ ୧୮୭୫ ମଧ୍ୟରେ ବିରିବାଟୀ ଠାରୁ ଜଗତସିଂହପୁର ଦେଇ ମାଛଗାଁ କେନାଲ ଖୋଳା ଯାଇଥିବା ଅନୁମାନ କରାଯାଏ। ମାଛଗାଁ କେନାଲ ଖୋଳାଯିବା ଫଳରେ ବୀରବରପାଟଣା ଠାରୁ ବାହାରିଥିବା ଅଳକା ନଦୀ ମୁହାଣ ଧୀରେଧୀରେ ପୋତି ହେବାକୁ ଲାଗିଲା। ସମୟକ୍ରମେ ପାଣିର ଧାର ବନ୍ଦ ହୋଇ ସୁପ୍ତ ହୋଇଗଲା। ଯାହା ମନୁଷ୍ୟକୃତ ଥିଲା। କାରଣ ମୁହାଣ ଖୋଳା ଯାଇଥିଲେ ନଦୀ ମୃତ ଅବସ୍ଥାକୁ ଆସି ନଥାନ୍ତା। କାଳକ୍ରମେ ଜଗତସିଂହପୁର ସହରରେ ଜବରଦଖଲ ଆରମ୍ଭ ହେଲା। ନଦୀଶଯ୍ୟାକୁ କେତେକ ଲୋକ ନିଜ ନାଁରେ ପଟ୍ଟା କରି ନେବା ସହ କୋଠାବାଡ଼ି, ସ୍ଥାୟୀ ନିର୍ମାଣ ଆରମ୍ଭ କଲେ। ଏପରିକି କେତେକ ସରକାରୀ ପ୍ରତିଷ୍ଠାନ ମଧ୍ୟ ନଦୀ ଶଯ୍ୟାରେ ହୋଇଛି।

ନଦୀ ପୁନରୁଦ୍ଧାର ଲାଗି ସରକାର ଯୋଜନା କଲେ ଓ ଏଥିପାଇଁ ପ୍ରାୟ ୧୨ କୋଟିରୁ ଅଧିକ ଖର୍ଚ୍ଚ କରାଗଲା। ଦୀର୍ଘ ୫୨ କିଲୋମିଟର ନଦୀକୁ ପୁନରୁଦ୍ଧାର ପାଇଁ ଜଳସମ୍ପଦ ଡ୍ରେନେଜ୍ ବିଭାଗ ପକ୍ଷରୁ ଟେଣ୍ଡର୍ କରାଯାଇ କାମ କରାଗଲା। ଏହି ୫୨ କିଲୋମିଟର ନଦୀକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ ଭାଗଟି ଅଶିଲୋରୁ-ବାଲିକୁଦା ମେଡିକାଲ ପାଖ, ଦ୍ବିତୀୟଟି ବାଲିକୁଦା ମେଡିକାଲ ପାଖରୁ ଓଡ଼ିଶୋ ଓ ତୃତୀୟଟି ଓଡ଼ିଶୋରୁ ଉତ୍ପତ୍ତି ସ୍ଥଳ ବୀରବରପାଟଣା ପର୍ଯ୍ୟନ୍ତ। କେଉଁଠି ଛୋଟ ନାଳ ଭଳି ହୋଇଯାଇଛି ତ ଆଉ କେଉଁଠି ପୂରା ୯୦ ଡିଗ୍ରି ଗତିପଥ ବଦଳାଇ ଦିଆଯାଇଛି। ଅନେକ ସ୍ଥାନରେ ଦଳଭର୍ତ୍ତି ହୋଇ ରହିଛି। କେତେକ ସ୍ଥାନରେ ନଦୀ ସୀମା ମଧ୍ୟ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ନଦୀ ଖୋଳାଯାଇ କରାଯାଇଥିବା ବନ୍ଧ ମାଟିରେ ମିଶି ଗଲାଣି। ପୁନରୁଦ୍ଧାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।