ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମ୍‌ସ ସମ୍ପ୍ରସାରଣର ବାଟ ଖୋଲିବ: ୧୦୦ ଏକର ଜମି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଏମ୍‌ସ ସମ୍ପ୍ରସାରଣର ଆଶା ଉଜ୍ଜ୍ବଳ ହୋଇଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଏମ୍‌ସ ନାମରେ ପଟ୍ଟା କରାଯାଇନଥିବାରୁ ଏହାକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ନାହିଁ। ଯଥାଶୀଘ୍ର ଏମ୍‌ସ ନାମରେ ଜମି ଅଧିଗୃହୀତ ହୋଇ ପାରିଲେ ଏଠାରେ ସଂକ୍ରମଣ ରୋଗ ଚିକିତ୍ସା କେନ୍ଦ୍ର, ବିଭିନ୍ନ ପ୍ରକାର ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସମସ୍ତ ପ୍ରକାର ନୂତନ ଟର୍ସିୟାରି କେୟାରର ସୁବିଧା ରୋଗୀ ପାଇବେ। ନୂତନ କୋଠାକୁ ସମସ୍ତ ପ୍ରକାର ସୁପର ସ୍ପେସାଲିଷ୍ଟ ବିଭାଗ ପାଇଁ ଉତ୍ସର୍ଗୀକୃତ କରିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ଏମ୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ବର୍ତ୍ତମାନ ଏମ୍‌ସ ଭୁବନେଶ୍ବର ପାଖରେ ୧୧୮ ଏକର ଜମି ରହିଛି। ପ୍ରତିଦିନ ଏଠାକୁ ୪ରୁ ୫ହଜାର ରୋଗୀ ଆସୁଛନ୍ତି। ସେଥିରେ ପୁଣି ସହଯୋଗୀ ଏବଂ ପରିଜନଙ୍କୁ ମିଶାଇଲେ ୧୦ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସମାଗମ ହେଉଛି। ଏମ‌୍‌ସ ଦିଲ୍ଲୀ ପରେ ଏମ୍‌ସ ଭୁବନେଶ୍ବରକୁ ସର୍ବାଧିକ ସଂଖ୍ୟାରେ ରୋଗୀ ଆସିଥାଆନ୍ତି। କିନ୍ତୁ ଡାକ୍ତରଖାନାରେ ରହିଛି ମାତ୍ର ୧ ହଜାର ଶଯ୍ୟା। ଉନ୍ନତମାନର ଚିକିତ୍ସା ସତ୍ତ୍ବେ ଆଡମିସନ, ଅସ୍ତ୍ରୋପଚାର, ପରୀକ୍ଷଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସେବା ପାଇଁ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଡାକ୍ତରମାନଙ୍କ ଅନୁସାରେ, କ୍ୟାପିଟାଲ କିମ୍ବା ସଦର ଡାକ୍ତରଖାନା ଭଳି ପ୍ରାଥମିକ କିମ୍ବା ସେକେଣ୍ଡାରି ଚିକିତ୍ସା ନୁହେଁ ଟର୍ସିୟାରି ସେଣ୍ଟର ପାଇଁ ଏମ୍‌ସ ପ୍ରତିଷ୍ଠା ହୋଇଛି। ଅନ୍ୟ ଡାକ୍ତରଖାନାମାନଙ୍କରେ ଯେଉଁ ସୁବିଧା ନାହିଁ ଏଠି ରୋଗୀ ସେ ପ୍ରକାର ଚିକିତ୍ସା ପାଇପାରିବେ। କିନ୍ତୁ ସ୍ଥାନାଭାବ ଯୋଗୁଁ କୌଣସି ନୂତନ ପ୍ରକାର ଚିକିତ୍ସା ସୁବିଧା ଏଠାରେ ଆରମ୍ଭ କରାଯାଇ ପାରୁନାହିଁ। ବାଧ୍ୟ ହୋଇ ରୋଗୀଙ୍କୁ ଏମ୍‌ସ ଦିଲ୍ଲୀକୁ ରେଫର ପାଇଁ ଡାକ୍ତର ବାଧ୍ୟ ହେଉଛନ୍ତି। ସର୍ବୋପରି ଆଜି ପର୍ଯ୍ୟନ୍ତ ଏହା ପ୍ରକୃତ ଟର୍ସିୟାରି କେନ୍ଦ୍ର ହୋଇପାରି ନାହିଁ।

ଏଥିଯୋଗୁଁ ରାଜ୍ୟର ରୋଗୀହିଁ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ସକୁ ଯଥାଶୀଘ୍ର ୧୦୦ ଏକର ଏବଂ ଡାକ୍ତରଖାନା ନିକଟସ୍ଥ ପ୍ରାୟ ୨୦ ଏକର ଜମି ମିଳିଲେ ସେଣ୍ଟର ଅଫ ଏକ୍ସଲେନ୍ସର ଲକ୍ଷ୍ୟ ପୂରଣ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିପାରିବ ବୋଲି ଏମ୍‌ସ ଆଶା କରିଛି। ପ୍ରଫେସର ପରିଡ଼ା କହିଛନ୍ତି, କୋଭିଡ୍‌ ପରେ ସଂକ୍ରମିତ ରୋଗ ଚିକିତ୍ସାକୁ ସର୍ବଭାରତୀୟସ୍ତରରେ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ସଂକ୍ରମଣ ରୋଗ ବିଶେଷଜ୍ଞ ଅଟନ୍ତି। ତେଣୁ ସଂକ୍ରମଣ ରୋଗ ଚିକିତ୍ସା କେନ୍ଦ୍ରକୁ ସବୁଠାରୁ ଗୁରୁତ୍ବ ଦିଆଯିବ। ଯକୃତ, ଆଖିର ସ୍ବଚ୍ଛ ପଟଳ(କର୍ଣ୍ଣିଆ), ଅସ୍ଥିମଜ୍ଜା ପ୍ରତିରୋପଣ, ପବ୍ଲିକ ହେଲ୍ଥ ପ୍ରତିଷ୍ଠାନ ସମେତ ଆହୁରି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଅଛି। ପୂର୍ବରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ମଧ୍ୟ ଭେଣ୍ଟିଲେଟର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର କେନ୍ଦ୍ର ଏବଂ ଟ୍ରମା କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବା ନେଇ ସୂଚନା ଦେଇଥିଲେ। ଆଇଆଇଟି ଓ ଏମ‌୍‌ସ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକାଡେମିକ ଟ୍ରେନିଂ ସହିତ ଗବେଷଣା କରାଯିବ ବୋଲି କହିଥିଲେ। ସୂଚନା ଅନୁଯାୟୀ, ଏମ୍‌ସ ଡାକ୍ତରଖାନା ଏବଂ କଲେଜର ମୂଳ କୋଠା ମାତ୍ର ୯୨ ଏକର ଜମିରେ ରହିଛି। ନିଷ୍ପତ୍ତି ସତ୍ତ୍ବେ ସମ୍ପ୍ରସାରଣ ପାଇଁ ୨୬ ଏକର ଜମିର ପଟ୍ଟା ପାଇଁ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା। ବର୍ତ୍ତମାନ ୧୦୦ ଏକର ଜମି ପଟ୍ଟାକୁ କେତେ ଦିନ ଲାଗିବ ତାକୁ ହିଁ ଅପେକ୍ଷା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।