ରାଜ୍ୟ

ଏବେ ଚାଷୀ କାନ୍ଦୁଛି, ଆଗକୁ କାନ୍ଦିବେ ଖାଉଟି: ସଂରକ୍ଷଣ ବ୍ୟବସ୍ଥା ନାହିଁ, ପିଆଜର ଅଭାବୀ ବିକ୍ରି

ସିନ୍ଧେକେଲା,(ଅନିଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଞ୍ଚଳରେ ଏବେ ପିଆଜର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅତି ଶସ୍ତା ଦରରେ ବେପାରୀମାନଙ୍କ ହାତକୁ ପିଆଜ ଟେକି ଦେଉଛନ୍ତି। ଆଉ କିଛିଦିନ ପରେ ପୁଣି ସେହି ଚାଷୀ ତଥା ଖାଉଟିମାନେ ଚଢ଼ାଦରରେ ସେସବୁ କିଣି ଖର୍ଚ୍ଚାନ୍ତ ହେବେ। ସମସ୍ତେ ଚର୍ଚ୍ଚା କରୁଛନ୍ତି, ଏବେ ପିଆଜ ଚାଷୀ କାନ୍ଦୁଛି, ଆଗକୁ ଖାଉଟି କାନ୍ଦିବେ। ହେଲେ ପ୍ରଶାସନ ନିରବ ରହିଛି, ସବୁ ଜାଣି ଚୁପ୍ ବସିଛି।

ସୂଚନା ଅନୁସାରେ, ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଞ୍ଚଳରେ ପ୍ରତିବର୍ଷ ପ୍ରଚୁର ପରିମାଣରେ ପିଆଜ ଚାଷ ହେଉଛି। ଏଠିକାର ପିଆଜର ସ୍ବତନ୍ତ୍ର ଚାହିଦା ବି ରହିଛି। ତେଣୁ ବଙ୍ଗୋମୁଣ୍ଡା ବ୍ଲକ୍‌କୁ ଓଡ଼ିଶାର ନାସିକ ବୋଲି ବି କେହି କେହି କହନ୍ତି। ତେବେ, ବ୍ଲକ୍‌ରେ ପିଆଜ ସଂରକ୍ଷଣ ପାଇଁ ବ୍ୟବସ୍ଥା ‌କରାଯାଇ ନାହିଁ। ସରକାରୀ ସ୍ତରରେ ଉଦ୍ୟମ କେବଳ କାଗଜକଲମରେ ସୀମିତ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ସେଇଥିପାଇଁ ଏବେ ପିଆଜ ଅମଳ ସମୟରେ କେଜି ପ୍ରତି ମାତ୍ର ୫ରୁ ୬ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ପିଆଜ ଅମଳ ସମୟ ସରିଯିବା ପରେ ପିଆଜର ଦର ହୁ ହୁ ହୋଇ ବଢ଼ି ଚାଲିବ। ବର୍ତ୍ତମାନ ଯେଉଁ ଚାଷୀ କେଜି ପ୍ରତି ୫ରୁ ୬ ଟଙ୍କାରେ ପିଆଜ ବିକ୍ରି କରୁଛି, ସେହି ଚାଷୀ ତାର ଉତ୍ପାଦିତ ପିଆଜ କିଣିବାକୁ ହେଲେ କେଜି ପ୍ରତି ୫୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିବ। ଏବେ ପିଆଜ ଅମଳ କରି ଚାଷୀ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଆଗକୁ ଦର ବଢ଼ିଲେ ଖାଉଟିଙ୍କ ଆଖିରୁ ଲୁହ ଗଡ଼ିବ।


ଏହା କେବଳ ବର୍ଷେ କି ଦୁଇବର୍ଷର କଥାନୁହେଁ; ପ୍ରତିବର୍ଷ ଚାଷୀ ପିଆଜ ଚାଷ କରି ଅତି ଶସ୍ତା ଦରରେ ମଧ୍ୟସ୍ଥି, ବେପାରୀ, ପିଆଜ ବିହନ ଦେଇଥିବା ମହାଜନମାନଙ୍କୁ କମ୍‌ ଦରରେ ଟେକି ଦେଇଥାଏ। ହେଲେ ସରକାର ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଥିଲେ ହେଁ ସରକାରୀ କଳ କେବଳ କାଗଜ କଲମରେ ନିଜ ଦାୟିତ୍ବ ସାରି ଦେଉଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହେଉଛି।

ପ୍ରକାଶଥାଉକି, କିଛିବର୍ଷ ତଳେ ଓଡ଼ିଶାର ପାଲଲହଡ଼ା ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍‌ରେ ନାଫେଡ ତରଫରୁ ଗୋଟିଏ ଲେଖାଏଁ ପିଆଜ ଗୋଦାମ ପାଇଁ ଅନୁମତି ମିଳିଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କେବଳ ଅନୁମତିରେ ହିଁ ସୀମିତ ରହିଛି। ଏ ବିଷୟରେ ବଙ୍ଗୋମୁଣ୍ଡା ଉଦ୍ୟାନ କୃଷି ଅଧିକାରୀ ସୁନୀଲ ମାଝିଙ୍କ କହିବା ହେଲା, ନାଫେଡ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କାମ ହୋଇନାହିଁ। ହେଲେ ସିନ୍ଧେକେଲା ଆର୍‌ଏମ୍‌ସିରେ ୨ ଶହ ୫୦ ମେଟ୍ରିକ ଟନ୍‌ ପିଆଜ ସଂରକ୍ଷଣ ପାଇଁ ଏକ ପିଆଜଘର ହୋଇସାରିଛି। ସେହିପରି ବଙ୍ଗୋମୁଣ୍ଡାରେ କାମ ଚାଲିଛି। ସିନ୍ଧେକେଲାରେ ନାବାର୍ଡ ସହାୟତାରେ ଏକ ଫାର୍ମର ପ୍ରଡ୍ୟୁସର କମ୍ପାନି କାମକରୁଛି ଯାହାକି ଗ୍ରୁପ୍‌ ଅଫ୍‌ ଫାର୍ମର୍ସ କରି ଯେତେ ବି ସଦସ୍ୟ କିମ୍ବା ଅଣ ସଦସ୍ୟ ଯୋଡ଼ି ହୋଇଥିବେ ତାଙ୍କଠାରୁ ପିଆଜ ଆଣିବ ଓ ମାର୍କେଟ ଲିଙ୍କେଜ୍‌ ବ୍ୟବସ୍ଥା କରିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ। ଖୁବ୍‌ଶୀଘ୍ର ଏହା ହେବ ବୋଲି ସେ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।