ରାଜ୍ୟ

ଏବେଠୁ ଜଳିଲାଣି ଜଙ୍ଗଲ: ବନାଗ୍ନି ରୋକିବାକୁ ଆଗୁଆ ପ୍ରସ୍ତୁତି

ଭୁବନେଶ୍ବର: ୨୦୨୩ ଗ୍ରୀଷ୍ମରେ ତାଣ୍ଡବ ରଚିଥିଲା ବନାଗ୍ନି। ଶିମିଳିପାଳରେ ନିଆଁ ଲାଗିଥିଲା। ମାଲକାନଗିରିଠାରୁ ମୟୂରଭଞ୍ଜ, ଚନ୍ଦକାରୁ କୁଳଡିହା ଅଭୟାରଣ୍ୟ ଯାଏଁ ବନାଗ୍ନି ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଏକର ଏକର ଜଙ୍ଗଲ ଜଳି ଯାଇଥିଲା। ୩୨ ହଜାରରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା। ୨୦୨୧ ତୁଳନାରେ ନିଆଁର କୋପ କମ୍‌ ଥିଲେ ମଧ୍ୟ ପ୍ରଶମିତ କରିବାକୁ ରାଜ୍ୟ ସରକାରଙ୍କୁ ଓଡ୍ରାଫ୍‌ର ସହାୟତା ନେବାକୁ ପଡ଼ିଥିଲା। ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ଗ୍ରୀଷ୍ମ ଋତୁ ପୂର୍ବରୁ ରାଜ୍ୟ ସରକାର ଆଗୁଆ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦେବା ସହ ପଞ୍ଚାୟତକୁ ଜଙ୍ଗଲ ନିଆଁମୁକ୍ତ କରିବା, ଲୋକଙ୍କୁ ଅଧିକ ସଚେତନ କରାଇବା ଓ ସଂଶୋଧିତ ଏସ୍‌ଓପି ଲାଗୁ କରି ଜଙ୍ଗଲ ନିଆଁ ରୋକିବାକୁ ନିଷ୍ପତ୍ତି ହୋଇଛି।

ନିଆଁ ନ ବ୍ୟାପିବା ପାଇଁ ଅଧିକ ଫାୟାର-ବ୍ରେକ୍ ଲାଇନ୍ ପ୍ରସ୍ତୁତ କରିବାକୁ ଡିଏଫ୍‌ଓ ଓ କ୍ଷେତ୍ର ଅଧିକାରୀମାନଙ୍କୁ କୁହାଯାଇଛି। ଫାୟାର-ବ୍ରେକ୍ ଲାଇନ୍‌କୁ ନିୟମିତ ଭାବେ ସଫା କରିବା, ଏହି କାମରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ନିଶ୍ଚିତ କରାଇବା, ବିଗତ ବର୍ଷଗୁଡ଼ିକରେ ଯେଉଁ ଜିଲ୍ଲାରେ ଅଧିକ ବନାଗ୍ନି ହୋଇଥିଲା ସେହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନା ତଥା ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତରେ ଥିବା ଜଙ୍ଗଲକୁ କିଭଳି ନିଆଁରୁ ରକ୍ଷା କରାଯାଇପାରିବ ସେଥିପାଇଁ ଜଙ୍ଗଲ ନିଆଁ ମୁକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ। ଜଙ୍ଗଲ ନିଆଁ ରୋକିବାକୁ ଅଧିକ ଅଗ୍ନିଶମ ଦଳ ଗଠନ ହେବ। ପ୍ରତି ଦଳରେ ୧୦ ଜଣ ଲେଖାଏ ରହିବେ। ୨୦ ହଜାରରୁ ଅଧିକ ଫାୟାର-ବ୍ରେକ୍‌ ଲାଇନ୍‌ (ଅଗ୍ନିରୋକ ରେଖା) ଗଠନ କରିବାକୁ ଏଥର ଲକ୍ଷ୍ୟ ରଖାଯାଇଛି। ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଯୋଗାଯୋଗର ମାଧ୍ୟମକୁ ବ୍ୟାପକ କରିବାକୁ ଭିଏଚ୍‌ଏଫ୍‌ ‌ଷ୍ଟେସନ ସଂଖ୍ୟା ବୃଦ୍ଧି, ଅଧିକ ସଂଖ୍ୟକ ୱାକି-ଟକି ଯୋଗାଇ ଦିଆଯିବ।

ବନରକ୍ଷୀଙ୍କ ସହ ସମନ୍ବୟ ରକ୍ଷା କରି ଜଙ୍ଗଲ ନିଆଁରୁ ସୁରକ୍ଷା ପାଇଁ ସ୍ଥାନୀୟ ଅଧିବାସୀ, ବନ ସୁରକ୍ଷା ସମିତିକୁ ସାମିଲ କରାଯିବ। ଓଡ୍ରାଫ୍‌ ଟିମ୍‌ ସଦସ୍ୟଙ୍କ ଦ୍ବାରା ତୃଣମୂଳସ୍ତରର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଜୁନ୍‌ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେଣୁ ବନାଗ୍ନି ଅଧିକ ବ୍ୟାପିବାର ଆଶଙ୍କା ରହିଥିବାରୁ ସମ୍ଭାବ୍ୟ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍ଓମାନଙ୍କୁ କୁହାଯାଇଛି। ସେହିପରି ବନାଗ୍ନିରେ ସମ୍ପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ। ଅନେକ ସ୍ଥାନରେ ମନୁଷ୍ୟକୃତ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ କର୍ମଚାରୀଙ୍କୁ ତାଲିମ ସହ ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକଙ୍କୁ ନୃତ୍ୟ, ସଙ୍ଗୀତ ମାଧ୍ୟମରେ ସଚେତନ କରାଯାଉଛି। ତେବେ ଏଭଳି ଆଗୁଆ ଯୋଜନାର ସଫଳତା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଗତ ୭ ଦିନ ମଧ୍ୟରେ ୪୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହେଲାଣି। ଆଜି ଦିନରେ ୪ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଦେଶର ୧୧ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ଆଦୌ ଚିହ୍ନଟ ହୋଇ ନାହିଁ। ବନ ବିଭାଗ ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ବନାଗ୍ନି ପରିଚାଳନା ପାଇଁ ରାଜ୍ୟ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନା ଯଥା ବନାଗ୍ନି ପ୍ରଶମିତ ପରିଚାଳନା ଓ କାମ୍ପା ଫଣ୍ଡ୍‌ରୁ ଅର୍ଥ ଖର୍ଚ୍ଚ କରାଯାଇଛି। ୨୦୨୦ରେ ୮୪%, ୨୦୨୧ରେ ୮୦% ଓ ୨୦୨୨ରେ ୯୨% ଓ ୨୦୨୩ରେ ୯୬% ବନାଗ୍ନି ପ୍ରଶମନ କରିବାରେ ସଫଳତା ମିଳିଛି।

ରାଜ୍ୟ ବନ୍ୟପ୍ରାଣୀ ସଂସ୍ଥା ଦ୍ବାରା ଗତ ୩ ବର୍ଷରେ ୧୯ କୋଟି ୮୬ ଲକ୍ଷ ୧୮ ହଜାର ଟଙ୍କା ବନାଗ୍ନି ପ୍ରଶମନ ଓ ଆୟତ୍ତ କରିବାରେ ବିନିଯୋଗ ହୋଇଛି। ୨୦୨୦-୨୧ରେ ୫କୋଟି ୯୮ଲକ୍ଷ ୮୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୧-୨୨ରେ ୭ କୋଟି ୩୪ ଲକ୍ଷ ୬୪ ହଜାର ଓ ୨୦୨୨-୨୩ରେ ୬କୋଟି ୫୨ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟର ବିଭିନ୍ନ ବନଖଣ୍ଡରେ ସଙ୍ଗଠିତ ହେଉଥିବା ବନାଗ୍ନି ଭୁପୃଷ୍ଠୀୟ। ଏଥିଯୋଗୁଁ କୌଣସି ବୃକ୍ଷ ସମ୍ପଦ, ବନ୍ୟଜନ୍ତୁ ନଷ୍ଟ ହୋଇ ନ ଥାଆନ୍ତି। ଜନସାଧାରଣଙ୍କ ଜୀବନ ମଧ୍ୟ କ୍ଷତିଗ୍ରସ୍ତ ହୁଏ ନାହିଁ। କେବଳ ଜଙ୍ଗଲ ପୃଷ୍ଠରେ ପଡ଼ିଥିବା ଶୁଖିଲା ପତ୍ର, ଲତା ଓ ଗୁଲ୍ମ ବନାଗ୍ନି ପାଇଁ ନଷ୍ଟ ହୋଇଥାନ୍ତି। ବର୍ଷା ପରେ ଏହି ନଷ୍ଟ ହୋଇଥିବା ଅଞ୍ଚଳ ପୁନର୍ଜୀବିତ ହୋଇଯାଇଥାଏ। ଏହାବ୍ୟତୀତ ବ୍ୟାପକ ସଚେତନତା ଓ ସ୍ଥାନୀୟ ଗୋଷ୍ଠୀ ସହଭାଗିତାର ଉତ୍ତରଦାୟିତ୍ୱ ବୃଦ୍ଧି ପାଇଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।