ଖେଳ ରାଜ୍ୟ

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ହରାଇଲା ଭାରତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ରେ ଶୁକ୍ରବାର ଘରୋଇ ଭାରତୀୟ ଦଳ ବିଶ୍ବ ମାନ୍ୟତାର ଏକ ନମ୍ବର ନେଦରଲାଣ୍ଡ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଫଳରେ ଏହି ମ୍ୟାଚ୍‌ରୁ ଭାରତ ପୂରା ୩ ପଏଣ୍ଟ୍‌ ପାଇ ୧୫ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ପରାଜୟ ସତ୍ତ୍ବେ ନେଦରଲାଣ୍ଡ୍‌ସ (୧୭ ପଏଣ୍ଟ୍‌) ପୂର୍ବ ପରି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଭାରତର ଏହା ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ। ଶନିବାର ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଖେଳାଯିବ।

ଶୁକ୍ରବାର ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ନେହା ଗୋଲ୍‌ରେ ପରିଣତ କରି ଘରୋଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ବାର୍ଟର ୧-୦ରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ବଲ୍‌ ନିଜ ପକ୍ଷରେ ରଖିଥିଲା। ୨୮ତମ ମିନିଟ୍‌ରେ ସୋନିକା ପେନାଲ୍‌ଟି କର୍ଣ୍ଣରକୁ ସଫଳତାର ସହ ଗୋଲ୍‌ରେ ପରିଣତ କରିଦେଇଥିଲେ। ଫଳରେ ଭାରତ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଭ୍ରମଣକାରୀ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଏକାଧିକ ପେନାଲ୍‌ଟି କର୍ଣ୍ଣର ସୁ‌ଯୋଗ ପାଇଥିଲେ ମଧ୍ୟ ସବିତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିଲା। ତେବେ ୪୦ତମ ମିନିଟ୍‌ରେ ଏକ ପେନାଲ୍‌ଟି ସୁଟ୍‌କୁ ଗୋଲ୍‌ରେ ପରିଣତ କରି ନେଦରଲାଣ୍ଡ୍ସ ବ୍ୟବଧାନକୁ ୧-୨ କରିଥିଲା। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ଭାରତ ମ୍ୟାଚ୍‌କୁ ୨-୧ରେ ଜିତି ନେଇଥିଲା। ଚମତ୍କାର ପ୍ରଦର୍ଶନ ପାଇଁ ନବନୀତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଆହୁରି ସ୍ମରଣୀୟ କରିଛନ୍ତି।

ନବନୀତଙ୍କ ଶତକ ମ୍ୟାଚ୍‌: ପଦାର୍ପଣ କଲେ ମହିମା, ଐଶର୍ଯ୍ୟା
ଭାରତୀୟ ଅଗ୍ରଭାଗ ଖେଳାଳି ନବନୀତ କୌର ଶୁକ୍ରବାର ଶତକୀୟ (୧୦୦ତମ) ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏହି ହରିୟାଣା ଯୁବତୀ କଳିଙ୍ଗ ଷ୍ଟାଡିୟମରେ ‌ନେଦରଲାଣ୍ଡ୍ସ ବିପକ୍ଷ ପ୍ରୋଲିଗ୍‌ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌ରେ ଦୁଇ ଜଣ ଯୁବ ତାରକା ମହିମା ଚୌଧୁରୀ ଓ ଐଶର୍ଯ୍ୟା ରାଜେଶ ଚଭନ ପଦାର୍ପଣ ସୁଯୋଗ ପାଇଥିଲେ। ୨୦୧୭ ଏସିଆ କପ୍‌ରେ ୪ ଗୋଲ୍‌ ସ୍କୋର୍‌ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ନବନୀତ। ୨୦୧୩ କନିଷ୍ଠ ବିଶ୍ବକପ୍‌ କାଂସ୍ୟ ବିଜେତା ଭାରତୀୟ ଦଳରେ ସେ ସଦସ୍ୟ ମଧ୍ୟ‌ ରହିଥିଲେ। ୨୦୧୮ ଏସୀୟ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ବିଜେତା ଦଳରେ ସଦସ୍ୟ ରହିବା ସହ ୨୦୧୮ ରାଜ୍ୟଗୋଷ୍ଠୀ ଏବଂ ବିଶ୍ବକପ୍‌ ଦଳରେ ସଦସ୍ୟ ରହିଥିଲେ। ସେ ମଧ୍ୟ ୨୦୨୦ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ। ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଲାଗି ନବନୀତଙ୍କୁ ହକି ଇଣ୍ଡିଆ ଶୁଭେଚ୍ଛା ଜଣାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ