ନୂଆଦିଲ୍ଲୀ : ଆଇଆଇଟି, ଏନ୍ଆଇଟି, ଆଇଆଇଆଇଟି ସମେତ ଦେଶର ଅନେକ ଶୀର୍ଷ ବୈଷୟିକ ସଂସ୍ଥାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୃଦ୍ଧି ହେଉଥିବା ଚାପକୁ ଦୃଷ୍ଟିରେ ରଖି ସ୍ନାତକ କାର୍ଯ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଭାଗ ବଦଳାଇବାର ବିକଳ୍ପକୁ ବନ୍ଦ କରିଦିଆଯାଇଛି। ଆଇଆଇଟି କମିଟିର ରିପୋର୍ଟ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ ତିନିଟି ଆଇଆଇଟି, ଆଠଟି ଏନ୍ଆଇଟି ଓ ଆଠଟି ଆଇଆଇଆଇଟିରେ ବିଭାଗ ବଦଳାଇବାର ବିକଳ୍ପକୁ ସମାପ୍ତ କରିଦିଆଯାଇଛି। ଏଥିରେ ଏନ୍ଆଇଟି ରାଉରକେଲା ରହିଛି। ସୂଚନାଯୋଗ୍ୟ, ବିଟେକ୍ ପାଠ୍ୟକ୍ରମରେ ଗୋଟିଏ ବର୍ଷର ଅଧ୍ୟୟନ ପରେ ମନପସନ୍ଦର ବିଭାଗ ବାଛିବାର ବିକଳ୍ପ ରହିଥାଏ। ହେଲେ ମନପସନ୍ଦ ବିଭାଗ ନମିଳିବାରୁ ଛାତ୍ରଛାତ୍ରୀମାନେ ଚାପରେ ରହୁଥିଲେ। ବିଟେକ୍ରେ ଛାତ୍ରମାନଙ୍କୁ ପ୍ରଥମ ବର୍ଷରେ ୧୦ରୁ ୯ ସିଜିପିଏ ହାସଲ କରିବା ପରେ ବିଭାଗ ବଦଳାଇବାର ବିକଳ୍ପ ରହୁଥିଲା। ଅନ୍ୟ ପକ୍ଷରେ ମନପସନ୍ଦର ବିଭାଗ ମିଳିବାର କୌଣସି ଗ୍ୟାରେଣ୍ଟି ରହୁନଥିଲା।