କଟକ : ସରକାରୀ ବ୍ୟବସ୍ଥାରେ ଚାଲିଛି ସ୍କୁଲ୍। ଓଡ଼ିଶା ସରକାର ସବୁ ସୁବିଧାସୁଯୋଗ ସ୍କୁଲକୁ ଦେଉଛନ୍ତି। କିନ୍ତୁ ସାଧାରଣ ସ୍କୁଲ ଭଳି ଏଠି ପଢୁଥିବା ସ୍କୁଲ୍ର ଛାତ୍ରଛାତ୍ରୀ ରବିବାର ଛୁଟି ନ ପାଇ ଶୁକ୍ରବାର ଦିନ ସାପ୍ତାହିକ ଛୁଟି ପାଉଛନ୍ତି। ସବୁ ସରକାରୀ ଅଫିସ, ସ୍କୁଲ, କଲେଜ ରବିବାର ଛୁଟି ରହୁଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ସରକାରୀ ଅଥବା ସରକାରୀ ଅନୁଦାନପ୍ରାପ୍ତ ମଦ୍ରାସା ଓ ସରକାରୀ ସ୍କୁଲରେ ଶୁକ୍ରବାର ସାପ୍ତାହିକ ଛୁଟି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଭଳି ବ୍ୟବସ୍ଥାରେ ବିଭିନ୍ନ ଜିଲ୍ଲାରେ ମଦ୍ରାସା ଓ ଉର୍ଦ୍ଦୁ ସ୍କୁଲ ଗୁଡିକରେ ରବିବାର ଦିନ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରୁ ହଜାର ହଜାର ଛାତ୍ରଛାତ୍ରୀ ବଂଚିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତ୍ରୁଟିକୁ କେବେ ସଜାଡ଼ିବ, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।
ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୧୯୯ଟି ମଦ୍ରାସା ରହିଛି। ସେଥିରୁ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ବ୍ଲକ୍ ଗ୍ରାଣ୍ଟ ଏବଂ ସ୍ବୀକୃତିପ୍ରାପ୍ତ ମଦ୍ରାସା ସଂଖ୍ୟା ୧୬୭ ରହିଥିବା ବେଳେ ୩୨ଟି ଅଣସ୍ବୀକୃତ ମଦ୍ରାସା ଚାଲିଛି। ଅନ୍ୟପଟେ ପ୍ରାୟ ୪ଶହରୁ ଅଧିକ ଉର୍ଦ୍ଦୁ ସ୍କୁଲ ବି ରହିଛି। ଏଥିରୁ କଟକ ଜିଲ୍ଲାରେ କେବଳ ୨୦ଟି ଉର୍ଦ୍ଦୁ ସ୍କୁଲ୍ ଓ ପ୍ରାୟ ୨୫ଟି ମଦ୍ରାସା ରହିଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ବ୍ଲକ୍ଗ୍ରାଣ୍ଟ ମଦ୍ରାସା ଓ ଉର୍ଦ୍ଦୁ ସ୍କୁଲରେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥା’ନ୍ତି। କିନ୍ତୁ କଟକ ତଥା ରାଜ୍ୟର ଅନ୍ୟ ଯେଉଁ ଜିଲ୍ଲାରେ ଅକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି, ସେଠାରେ ଏହିସବୁ ମଦ୍ରାସା ଓ ଉର୍ଦ୍ଦୁ ସ୍କୁଲରେ ରବିବାର ଦିନ ମଧ୍ୟାହ୍ନ ଭୋଜନ ଦିଆଯାଇ ପାରୁ ନାହିଁ। ସଂପୃକ୍ତ ଅଞ୍ଚଳର ସବୁ ସରକାରୀ ସ୍କୁଲ, ସରକାରୀ ସହାୟତାପ୍ରାପ୍ତ ଏବଂ ବ୍ଲକ ଗ୍ରାଣ୍ଟ ସ୍କୁଲ ରବିବାର ବନ୍ଦ ରହୁଥିବା ଯୋଗୁଁ ସପ୍ତାହର ଗୋଟିଏ ଦିନ ସେସବୁ ଅଞ୍ଚଳରେ ଅକ୍ଷୟପାତ୍ର ପକ୍ଷରୁ ମଧ୍ୟାହ୍ନ ଭୋଜନ ଯୋଗାଣ ବି ବନ୍ଦ ରହୁଛି। ନିର୍ଦ୍ଦିଷ୍ଟ କିଛି ମଦ୍ରାସା ଓ ଉର୍ଦ୍ଦୁ ସ୍କୁଲ ପାଇଁ ସଂସ୍ଥା ମଧ୍ୟାହ୍ନ ଭୋଜନ ଯୋଗାଉ ନାହିଁ। ଫଳରେ ନିର୍ଦ୍ଦିଷ୍ଟ ଭାବେ କେବଳ କଟକ ମହାନଗର-ସଦର ଅଞ୍ଚଳରେ ୨ ହଜାରରୁ ଅଧିକ ପିଲା ରବିବାର ଦିନ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଉଛନ୍ତି।
ଅବଶ୍ୟ ରବିବାର ଦିନ ଉର୍ଦ୍ଦୁ ସ୍କୁଲ ଓ ମଦ୍ରାସାର ଛାତ୍ରଛାତ୍ରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ମଧ୍ୟାହ୍ନଭୋଜନ ଯୋଗାଣ କରୁଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍କୁ ଗତ ମେ ମାସ ୨୫ ତାରିଖରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ (ଚିଠି ନଂ-୬୬୧୦) ଦେଇଥିଲେ। କିନ୍ତୁ, ସେହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରିନଥିବା ଜଣାପଡ଼ିଛି।