ରାଜ୍ୟ

ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଡାକବିଭାଗଠୁ ଆରମ୍ଭ କରି ଶିକ୍ଷାବିଭାଗ। ଚାକିରି ପାଇଁ ସବୁଠି ଚାଲିଛି ନକଲି ସାର୍ଟିଫିକେଟ। କିଏ ବର୍ଷ ବର୍ଷ ଧରି ଚାକିରି କରି ଧରାପଡ଼ିବା ପରେ ଖସି ଯାଇଛି ତ ଆଉ କିଏ ଏବେ ବି ଚାକିରି କରୁଛନ୍ତି। ବିଶେଷ କରି ମହାବିଦ୍ୟାଳୟଗୁଡ଼ିକରେ କିଛି ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇ ଆରାମରେ ଅଛନ୍ତି। କାରଣ ଧରାପଡ଼ିଲେ ବି ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନାହିଁ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା କଲେଜକୁ ଉଦାହରଣ ଭାବେ ନିଆଯାଇପାରେ। ଗତବର୍ଷ ଉକ୍ତ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ନାଗ ଓ ଓଡ଼ିଆ ଅଧ୍ୟାପକ ଲିଙ୍ଗରାଜ ମେହେର ନିଜ ପଦବିରୁ ଇସ୍ତଫା ଦେଇଥିଲେ। କାରଣ ଖୋଜିଲା ବେଳକୁ ଜଣାପଡ଼ିଥିଲା ସ୍ନାତକୋତ୍ତର ସାର୍ଟିଫିକେଟରେ ସେ ଦୁହେଁ ତଞ୍ଚକତା କରି ଚାକିରି ହାତେଇଥିଲେ। କଲେଜରେ ୧୫ ବର୍ଷରୁ ଅଧିକ ସେମାନେ ଚାକିରି କରି ସାରିବା ପରେ ଏହା ଜଣାପଡ଼ିଥିଲା। କଲେଜର ଅଧ୍ୟକ୍ଷ ପ୍ରମାଣ ପାଇବା ପରେ ଉପଜିଲ୍ଲାପାଳ ସଭାପତି ରହୁଥିବାରୁ ତାଙ୍କୁ ଲିଖିତ ଜଣାଇଥିଲେ। ଏହାସହ ପାଟଣାଗଡ଼ ଥାନାରେ ବି ଏତଲା ଦେଇଥିଲେ। କିନ୍ତୁ, ବେଶ୍‌ ଚାଲାଖ ଥିଲେ ଦୁଇ ଅଧ୍ୟାପକ। ଥାନାରେ ଏତଲା ଦେବା ପୂର୍ବରୁ ଫେରାର ମାରିଥିଲେ। ହାଇକୋର୍ଟଙ୍କ ପାଖରୁ ଆଗୁଆ ଜାମିନ ଆଣି ଏବେ ନକଲି ସାର୍ଟିଫିକେଟ ଦାଖଲ କରି ବର୍ଷ ବର୍ଷ ଚାକିରି କରିଥିବା ଦୁଇ ଅଧ୍ୟାପକ ବିନ୍‌ଦାସ। ଯେତେବର୍ଷ ଚାକିରି କରିଥିଲେ ଓ ଦରମା ପାଇଥିଲେ ତାହା ରିଫଣ୍ଡ ପାଇଁ କଲେଜ ତରଫରୁ ପଦକ୍ଷେପ ନିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ଏଯାଏଁ ହୋଇନି।

ଯୋଗୀମୁଣ୍ଡା କଲେଜର ଅଧ୍ୟକ୍ଷ ଅଶୋକ ତ୍ରିପାଠୀଙ୍କ କହିବା ହେଲା, ଜାଣିବା ପରେ ଏତଲା ଦିଆଯାଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ବି ପଦକ୍ଷେପ ନିଆଯାଇଥିଲା। ତେବେ ଏହା ଗୋଟିଏ କଲେଜ କଥା ନୁହଁ, ପାଟଣାଗଡ଼ ଉପଖଣ୍ଡର ଆଉ କେତୋଟି କଲେଜର ଅଧ୍ୟାପକ ବି ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏବେ ବି ଜିଲ୍ଲାର ବହୁ କଲେଜରେ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରିରେ ଅଛନ୍ତି କେତେଜଣ ଅଧ୍ୟାପକ। ତାଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସୁଥିଲେ ବି କଲେଜ କର୍ତ୍ତୃପକ୍ଷମାନେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପଚାପ ରହୁଥିବା ଅଭିଯୋଗ ହୁଏ। ଅନ୍ୟପଟେ ଜିଲ୍ଲାରେ ଏତେବଡ଼ ନକଲି ସାର୍ଟିଫିକେଟ ରୢାକେଟ ଧରାପଡ଼ିବା ପରେ ପ୍ରଶାସନ ବି ତଦନ୍ତ ହେବ ଓ କାର୍ଯ୍ୟାନୁଷ୍ଠାନ ହେବ କହି ନିରବ। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା- ଏଠି ନକଲିଙ୍କୁ ସାତଖୁଣ ମାଫ୍‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।