ନୂଆଦିଲ୍ଲୀ ୨୭/୦୪: ଏକ୍ସରସାଇଜ୍ ଏବଂ ୱାର୍କଆଉଟ୍ କରିବା ଦ୍ୱାରା ଆମ ଶରୀର ଫିଟ୍ ଆଉ ସୁସ୍ଥ ରହିଥାଏ । ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରୁ ବଞ୍ଚିବା ପାଇଁ ଆମେ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଆବଶ୍ୟକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି ଯେ ଯେଉଁ ଲୋକ ଏକ୍ସରସାଇଜ୍ କରୁନାହାଁନ୍ତି ସେମାନଙ୍କ ପାଇଁ କୋଭିଡ -୧୯ ର ଫଳାଫଳ ଅଧିକ ସାଂଘାତିକ ହୋଇପାରେ ।
ବ୍ରିଟିଶ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ଏକ୍ସରସାଇଜ୍ କିମ୍ବା ୱାର୍କଆଉଟ୍ କରନ୍ତି ନାହିଁ, ସେମାନଙ୍କର କରୋନା ଦ୍ୱାରା ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି । ଏହି ଅଧ୍ୟୟନ ଜାନୁଆରୀ ୨୦୨୦ ରେ ପ୍ରାୟ ୫୦ ହଜାର କରୋନା ସଂକ୍ରମିତ ଲୋକଙ୍କ ମଧ୍ୟରେ କରାଯାଇଥିଲା । ଯେଉଁଥିରେ ଏହା ଦେଖିବାକୁ ମିଳିଥିଲା ଯେ, ଏହି ରୋଗର ଅଧିକ ପ୍ରଭାବ ଏକ୍ସରସାଇଜ୍ କରୁନଥିବା ଲୋକମାନଙ୍କଠାରେ ଦେଖିବାକୁ ମିଳିଛି । ଏପରିକି ଏହି ଲୋକମାନଙ୍କର ଅଧିକ ମୃତ୍ୟୁହାର ମଧ୍ୟ ରହିଛି ।
ଯେଉଁମାନେ ଭ୍ୟାକ୍ସିନ୍ ନେଇଛନ୍ତି ସେମାନେ ପୁନର୍ବାର ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତେଣୁ ଏହି ଭାଇରସକୁ ଏଡାଇବା ପାଇଁ ଆମକୁ ନିୟମିତ ଏକ୍ସରସାଇଜ୍ କରିବାକୁ ପଡିବ । ୫୦ ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଯେଉଁମାନେ ଦୁଇ ବର୍ଷ ଧରି ଏକ୍ସରସାଇଜ୍ କରିନାହାଁନ୍ତି, ସେମାନେ ସର୍ବାଧିକ ସଂକ୍ରମଣ ହେଉଥିବା ଦେଖାଯାଇଛି । ଅନ୍ୟପକ୍ଷରେ, ଏକ୍ସରସାଇଜ୍ ନ କରୁଥିବା ଲୋକମାନଙ୍କ ମଧ୍ୟରେ ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପର ଲକ୍ଷଣ ମଧ୍ୟ ଦେଖାଯାଉଛି । ସର୍ବେ ଅନୁଯାୟୀ, ଏକ୍ସରସାଇଜ୍ କରିନଥିବା କୋଭିଡ ରୋଗୀଙ୍କ ମଧ୍ୟରୁ ୮.୬ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୨.୪ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଏବଂ ୧.୬ ପ୍ରତିଶତ ମୃତ୍ୟୁ ବରଣ କରିଥିଲେ ।