କଟକ: ଯୁବ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଏଥି ସହିତ ପୂର୍ବରୁ ବିଚାରାଧୀନ ଥିବା ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ମାମଲା ସହିତ ବିଦ୍ୟାଭାରତୀଙ୍କ ମାମଲାର ଜୁଲାଇ ୨୭ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ପ୍ରୋଟେଷ୍ଟ ପିଟିସନ୍ର ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତ ଶୁଣାଣି କରି ବିଦ୍ୟାଭାରତୀ, ଡିଏଫ୍ଓ ଶ୍ରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ତିନି ଜଣଙ୍କୁ ଅଦାଲତ ସମନ ଜାରି କରି ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଜର ନ ହେବାରୁ ଅଦାଲତ ତିନି ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି କରିଥିଲେ। ଆଜି ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଜାରି ପରେ ବିଦ୍ୟାଭାରତୀଙ୍କୁ ଆଶ୍ବସ୍ତି ମିଳିଛି।
ସୂଚନାଯୋଗ୍ୟ ଯେ ବିଦ୍ୟାଭାରତୀ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ କଗ୍ନିଜାନ୍ସ ଓ ଏନ୍ବିଡବ୍ଲୁ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇଟି ପୃଥକ ଆବେଦନ ଦାୟର କରିଥିଲେ। ମାମଲାରେ ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ଦୁଇ ଆବେଦନ ସହିତ ଶ୍ରୀ ବେହେରାଙ୍କ ମାମଲାର ଜୁଲାଇ ୨୭ରେ ଏକତ୍ର ଶୁଣାଣି ପାଇଁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ତୃତୀୟ ଅଭିଯୁକ୍ତ ମନ୍ମଥ କୁମ୍ଭ ଏ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୨୧, ଜୁଲାଇ ୧୨ ତାରିଖ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ବନ ବିଭାଗରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ପାର୍ଥସାରଥି ନାୟକ ମାମଲା ପରିଚାଳନା କରୁଛନ୍ତି।