ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ, ଅବସର ନେବାକୁ ପରାମର୍ଶ ଦେଲେ କୋଚ୍ ଏବଂ ଚୟନକର୍ତ୍ତା

ନୂଆଦିଲ୍ଲୀ ୨୦।୦୨: ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଜି ମଧ୍ୟ ଋଦ୍ଧିମାନ ଶାହା ଦୁନିଆର ସର୍ବଶ୍ରେଷ୍ଠ ଓ୍ଵିକେଟ୍ କିପରଙ୍କ ମଧ୍ୟରୁ ଜଣେ। ମାତ୍ର କ୍ରିକେଟ୍‌ ଖେଳରେ ଜଣେ ଓ୍ଵିକେଟ୍ କିପରଙ୍କ ଭୂମିକା କେବଳ ଷ୍ଟମ୍ପ ପଛରେ ଦମଦାର ପ୍ରଦର୍ଶନ କରିବାରେ ସୀମିତ ରହିନାହିଁ। ଫୁଟବଲ୍ ଖେଳରେ ଜଣେ ଗୋଲକିପରଙ୍କ କାମ କେବଳ ଗୋଲ୍ ବଞ୍ଚାଇବା ହୋଇଥାଏ। ମାତ୍ର କ୍ରିକେଟ୍ ଖେଳରେ ଏମିତି ହୁଏ ନାହିଁ। ଏହି ଖେଳରେ ଜଣେ ଓ୍ଵିକେଟ୍ କିପରଙ୍କ କାମ ରନ ବଞ୍ଚାଇବା, କ୍ୟାଚ୍ ନେବା, ଷ୍ଟମ୍ପିଂ କରିବା ଏବଂ ଡିଆରଏସ ପରି ନିଷ୍ପତ୍ତି ନେବା ବ୍ୟତୀତ ସବୁଠୁ ଗୁରୁତ୍ଵପୂର୍ଣ୍ଣ କାମ ହେଉଛି ରନ କରିବା। ଏମ ଏସ ଧୋନୀ ଦୀର୍ଘ ସମୟ ଧରି ଭାରତୀୟ ଦଳର ଓ୍ଵିକେଟ୍ କିପର ଥିଲେ। ସେ ଓ୍ଵିକେଟ୍ ପଛରେ ଯେତେ ଭଲ ପ୍ରଦର୍ଶନ କରିଛନ୍ତି, ସେଥିରୁ ଅଧିକ ନାମ ବ୍ୟାଟିଂରେ କମାଇଛନ୍ତି।

କିନ୍ତୁ ଋଦ୍ଧିମାନ ଶାହାଙ୍କ ମାମଲାରେ ବ୍ୟତିକ୍ରମ ରହିଛି। ସେ ଜଣେ ଭଲ ଓ୍ଵିକେଟ୍ କିପର, ମାତ୍ର ସେ ଜଣେ ଭଲ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ନୁହନ୍ତି। ଏହି କାରଣରୁ ଏବେ ତାଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତାଚେତନ ଶର୍ମାଙ୍କଠୁ ଅବସର ନେବାର ପରାମର୍ଶ ମିଳିଛି। ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଏଥିରୁ ଗୋଟିଏ ହେଲା ତାଙ୍କର ବୟସ ଏବଂ ଦ୍ଵିତୀୟ କାରଣ ହେଉଛି ତାଙ୍କର ବ୍ୟାଟିଂ। ବୟସକୁ ଥରୁଟିଏ ଅଣଦେଖା କଲେ ମଧ୍ୟ ବ୍ୟାଟିଂରେ ସେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ଏହି କାରଣରୁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଶେଷ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। କହିବାକୁ ଗଲେ ତାଙ୍କ କ୍ୟାରିୟର ସମାପ୍ତ ହୋଇ ସାରିଛି, କାରଣ ସେ ଘରୋଇ କ୍ରିକେଟ୍ ବି ଖେଳୁ ନାହାନ୍ତି।

ବୟସର ୩୮ତମ ବର୍ଷର ପାଦ ଥାପିଥିବା ଶାହା ଏହା ମଧ୍ୟ ହୃଦବୋଧ କରି ସାରିଲେଣି ଯେ, ତାଙ୍କୁ ଭବିଷ୍ୟତରେ ଅନ୍ତର୍ଜାତୀୟ କ୍ରିକେଟରେ ସୁଯୋଗ ମିଳିବ ନାହିଁ। ଖୋଦ୍ ସେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସହ କରିଥିବା ଆଲୋଚନା ବିଷୟରେ ମୁହଁ ଖୋଲିଛନ୍ତି। ସେ ସ୍ପୋର୍ଟ୍ସ ଷ୍ଟାର ସହ ଆଲୋଚନା ବେଳେ କହିଛନ୍ତି, ଚୟନକର୍ତ୍ତା କେବଳ ଶ୍ରୀଲଙ୍କା ସିରିଜ୍ ପାଇଁ ନୁହେଁ ବରଂ ଆଗାମୀ ସିରିଜରେ ମଧ୍ୟ ଦଳ ଚୟନରେ ତାଙ୍କ ନାଁ ଉପରେ ବିଚାର କରିବେ ନାହିଁ। ମୋ ବିଷୟରେ ଆଉ ଚୟନକର୍ତ୍ତା ବିଚାର କରିବେ ନାହିଁ ବୋଲି ଚେତନ ଶର୍ମା କହିଥିବା ଋଦ୍ଧିମାନ ଶାହା କହିଛନ୍ତି। ଶାହାଙ୍କ ଏହି ବୟାନରୁ ସ୍ପଷ୍ଟ ହୋଇ ସାରିଛି ଯେ, ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇ ସାରିଛି।

କେବଳ ଏତିକି ନୁହେଁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଶାହାଙ୍କୁ ଅବସର ବିଷୟରେ ଚିନ୍ତା କରିବାକୁ କହିଛନ୍ତି। ଏହାର ଖୁଲାସା ଖୋଦ୍ ଋଦ୍ଧିମାନ ଶାହା କହିଛନ୍ତି। ଶାହା ୨୦୧୦ରେ ଟେଷ୍ଟ କ୍ରିକେଟ୍ ଏବଂ ସେହି ବର୍ଷ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିଲେ। ଏହା ପରଠୁ ସେ ୨୦୨୧ ପର୍ଯ୍ୟନ୍ତ ୪୦ ଟେଷ୍ଟ ଏବଂ ନଅଟି ଦିନିକିଆରେ ସୁଯୋଗ ପାଇଛନ୍ତି। ସେ ଏତେ କମ ମ୍ୟାଚ୍ ଖେଳିବାର କାରଣ ଯେତେବେଳେ ଶାହାଙ୍କ କ୍ୟାରିୟର ଉର୍ଦ୍ଧ୍ଵଗାମୀ ହେବାର ଥିଲା, ସେହି ସମୟରେ ଏମଏସ ଧୋନୀ ଭାରତର ପ୍ରଥମ ପସନ୍ଦର ଓ୍ଵିକେଟ୍ କିପର ଥିଲେ। ତେବେ ଧୋନୀଙ୍କ ଅବସର ପରେ ତାଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାର ଫାଇଦା ଉଠାଇ ପାରିନାହାନ୍ତି।

ଶାହା ୪୦ଟି ଟେଷ୍ଟରେ ୩ ଶତକ ଏବଂ ୬ ଅର୍ଦ୍ଧଶତକ ସହ ୫୬ଟି ଇନିଂସରେ ୧୩୫୩ ରନ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ବ୍ୟାଟିଂ ହାର ୨୯.୪୧ ରହିଛି। ଏହି ପ୍ରଦର୍ଶନ ହିଁ ତାଙ୍କ ବ୍ୟାଟିଂ ଦାବିଦାରକୁ ଦୁର୍ବଳ କରିଛି। ଏହା ବ୍ୟତୀତ ୯ ଦିନିକିଆର ୫ଟି ଇନିଂସରେ ସେ ୪୧ ରନ କରିଛନ୍ତି। ଏହି ପରି ୨୦୧୪ରେ ତାଙ୍କର ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇ ଯାଇଥିଲା। ଏହା ପରେ ତାଙ୍କୁ ଦିନିକିଆରେ ଆଉ ସୁଯୋଗ ମିଳିନାହିଁ। ଏପରିକି ଘରୋଇ କ୍ରିକେଟରେ ମଧ୍ୟ ସେ ଶୀର୍ଷ ଖେଳାଳି ନୁହନ୍ତି। ତାଙ୍କ ବ୍ୟାଟିଂ ହାର କିଛି ଖାସ୍ ମଧ୍ୟ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ