ନୂଆଦିଲ୍ଲୀ ୨୬/୦୨: ଭାରତୀୟ ଓ୍ୱିକେଟକିପର୍ ବ୍ୟାଟର ଋଦ୍ଧିମାନ ଶାହଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ତାଙ୍କୁ ଶ୍ରୀଲଙ୍କା ଟେଷ୍ଟରୁ ବାଦ୍ ଦିଆଯାଇଥିଲା । ପରେ ସେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ସହ ଗୋପନୀୟ କଥାକୁ ବାହାରେ ପ୍ରକାଶ କରି ବିବାଦକୁ ଟାଣି ହୋଇ ଆସିଥିଲେ । ଏହାସହ ଜଣେ ସାମ୍ବାଦିକ ତାଙ୍କୁ ସାକ୍ଷାତକାର ନଦେବାରୁ ଧମକ ଦେଇଥିଲେ । ଏନେଇ ମଧ୍ୟ ଶାହ ବିସିସିଆଇକୁ ଜଣାଇନଥିଲେ ।
ଏହି ସବୁ ଅଭିଯୋଗର ତଦନ୍ତ ପାଇଁ ବିସିସିଆଇ ତିନି ଜଣିଆ କମିଟି ଗଠନ କରିଛି । ଏଥିରେ ରାଜୀବ ଶୁକ୍ଳା, ଅରୁଣ ଧୁମଲ ଓ ଆପେକ୍ସ କାଉନସିଲର ସଦସ୍ୟ ପ୍ରଭତେଜ ସିଂ ରହିଛନ୍ତି ।
ନିୟମ ଉଲ୍ଲଙ୍ଘନ ଅଭିଯୋଗ
ଭାରତୀୟ ଦଳ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ୍ ଖେଳିବ । ଏଥିରେ ଋଦ୍ଧିମାନଙ୍କ ବଦଳରେ କେଏସ ଭରତଙ୍କୁ ସ୍ଥାନ ମିଳିଛି । ଏଥିରେ ଅସନ୍ତୁଷ୍ଟ ହୋଇ ଋଦ୍ଧିମାନ ବିସିସିଆଇ ଅଧିକାରୀଙ୍କୁ ସମାଲୋଚନା କରିବା ସହ ଗୋପନୀୟ କଥାକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାକୁ ନେଇ ବିସିସିଆଇ ତାଙ୍କୁ ଜବାବ ତଲବ କରିପାରେ ।