ନୂଆଦିଲ୍ଲୀ ୨୧।୦୨: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏଥିରେ ଷ୍ଟାର୍ କ୍ରିକେଟର୍ ଋଦ୍ଧିମାନ ଶାହଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ସେ କୋଚ୍ ରାହୁଲ ଦ୍ରାବିଡଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ ତାଙ୍କୁ ଅବସର କଥା କହିଥିବା ସେ କହିଥିଲେ ।
ଶାହଙ୍କ ଏହି ବୟାନ ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ବୟାନ ସାମ୍ନାକୁ ଆସିଛି । ଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ଜିତିବା ପରେ କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦ୍ରାବିଡ । ସେ କହିଛନ୍ତି ଯେ, ଶାହ କ୍ରିକେଟରେ ଯେଉଁ ୟୋଗଦାନ ଦେଇଛନ୍ତି ତାକୁ ସେ ସମ୍ମାନ କରନ୍ତି । ସେ ଶାହଙ୍କୁ ଅବସର କଥା ଚିନ୍ତା କରିବାକୁ କହିଥିଲେ । କାରଣ ଶାହ ଏହା ଆଉ କାହାଠୁ ଶୁଣନ୍ତୁ ବୋଲି ସେ ଚାହୁଁ ନଥିଲେ ।
ଦି ଓ୍ୱାଲ୍ ଆହୁରି କହିଛନ୍ତି ଯେ, ଶାହଙ୍କ କଥା ଶୁଣି ତାଙ୍କୁ ଦୁଃଖ ଲାଗି ନାହିଁ । ସେ ହୃଦୟରୁ ଋଦ୍ଧିମାନ ଶାହଙ୍କୁ ସମ୍ମାନ କରନ୍ତି । ସେମାନଙ୍କ ମଧ୍ୟରେ କତାବାର୍ତ୍ତା ବି ସମ୍ମାନର ସହ ହୋଇଥିଲା । ସେ ସ୍ପଷ୍ଟତାର ହକଦାର । ତାଙ୍କୁ ସେ ଯାହା କହିଲେ ଗଣମାଧ୍ୟମ ଏହା ପ୍ରଥମେ କହୁ ବୋଲି ସେ ଚାହୁଁନଥିଲେ ।
ମିଷ୍ଟର୍ ଜେଣ୍ଟଲମ୍ୟାନ୍ ଆହୁରି କହିଛନ୍ତି ଯେ, ସେ ସବୁ ଖେଳାଳିଙ୍କ ସହ କଥା ହୋଇଥାନ୍ତି । ଅନେକ ସମୟରେ ଖେଳାଳି ଏକଥା ଶୁଣି ପ୍ରତିକ୍ରିୟା କରିଥାନ୍ତି । ଏହାକୁ ନେଇ ସେ ବିବ୍ରତ ନାହାଁନ୍ତି । ଚୂଡାନ୍ତ ଏକାଦଶ ବାଛିବା ପୂର୍ବରୁ ସଦାବେଳେ ଏହା ହୋଇଥାଏ । ଅଧିନାୟକ ରୋହିତ ଶର୍ମା ମଧ୍ୟ ଖେଳାଳିଙ୍କ ସହ କଥା ହୋଇଥାନ୍ତି । ଖେଳାଳିଙ୍କ ସହ ଆଲୋଚନା ପାଇଁ ସେ ଓ ରୋହିତ ସର୍ବଦା ପ୍ରସ୍ତୁତ ଥାନ୍ତି । ଯେଉଁମାନେ ଭଲ ଖେଳନ୍ତି ସେମାନଙ୍କୁ ସୁଯୋଗ ଦିଆଯାଏ ବୋଲି ଦ୍ରାବିଡ କହିଛନ୍ତି ।