ଭୁବନେଶ୍ବର : ବୁଧବାର ଦିନ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି (ବାଲିକୁଦା)ର ସଦସ୍ୟମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କ ସହ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି, କିପରି ଉପକୂଳ ରାଜପଥକୁ ଚଞ୍ଚକତା କରାଯାଇ ୨୫ କିମି ଦୂରରେ ନିଆଯାଉଛି ସେସବୁ ଘଟଣାକୁ ବିଶଦ୍ ଭାବେ ବୁଝାଇଛନ୍ତି। ଦୀର୍ଘ ସମୟର ଆଲୋଚନା ପରେ ରାଜ୍ୟପାଳ କମିଟିର ଦାବିକୁ ହୃଦୟଙ୍ଗମ କରିବା ସହ ସକାରାତ୍ମକ ମତ ପୋଷଣ କରିଥିବା ସଦସ୍ୟମାନେ ପ୍ରକାଶ କରିଛନ୍ତି।
କମିଟିର ସଦସ୍ୟ ତଥା ଯୁବ ସମାଜସେବୀ ସତ୍ୟବ୍ରତ ବିଶ୍ବାଳଙ୍କ ସହ ବାଲିକୁଦା ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ୪ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ତଟିନା ସ୍ବାଇଁ, ବିଜେପି ନେତା ଶଶାଙ୍କ ସାହାଣୀ, ସମାଜିକକର୍ମୀ ସୁବାସ ନାୟକ ଓ ସୂଚନା ଅଧିକାରକର୍ମୀ ପ୍ରଶାନ୍ତ ରାଉତରାୟ ପ୍ରମୁଖ ରାଜ୍ୟପାଳଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି ପ୍ରସ୍ତାବ ଅନୁସାରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ବାଲୁଖଣ୍ଡ ଓ ଭିତରକନିକା ଅଭୟାରଣ୍ୟଠାରୁ ଉପକୂଳ ରାଜପଥ ପ୍ରାୟ ୭ କିମି ଦୂରରେ ନିଆଯାଇଛି। କିନ୍ତୁ ଜଗତସିଂହପୁର ଜିଲ୍ଲାରେ କୌଣସି ପ୍ରତିବନ୍ଧକ ନଥାଇ ଉପକୂଳଠାରୁ ୨୫ କିଲୋମିଟର ଦୂରରେ ରାଜପଥ ନିଆଯାଉଛି। ଫଳରେ ପୁରୀ ଓ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ପ୍ରାୟ ୩୦ ପଞ୍ଚାୟତର ୨ ଲକ୍ଷ ଲୋକ ପ୍ରଭାବିତ ହେବେ। ରାଜପଥ ଉପକୂଳରେ ଗଲେ ସୁରକ୍ଷାବାହିନୀଙ୍କ ଗମନାଗମନ ମଧ୍ୟ ସହଜ ହେବ; ଯାହାକି ତଟ ସୁରକ୍ଷା ଦିଗରେ ବିଶେଷ ଉପାଦେୟ ସାବ୍ୟସ୍ତ ହେବ। ପୂର୍ବ ପ୍ରସ୍ତାବିତ ନକ୍ସା-୨ ଉପକୂଳଠାରୁ ୫ କିମି ଭିତରେ ଯାଉଥିଲା ଏବଂ ଏନେଇ ସର୍ଭେ କରାଯାଇ ହଳଦିଆ ପିଲର୍ (ଚୂଡ଼ାନ୍ତ ପିଲାର୍) ପୋତା ଯାଇଥିଲା। କିନ୍ତୁ ଚଞ୍ଚକତା କରାଯାଇ ନକ୍ସାରେ ପରିବର୍ତ୍ତନ କରାଯାଇଛି ବୋଲି କମିଟି ଅଭିଯୋଗ କରିଛି।
ଏଥିସହ ବର୍ତ୍ତମାନ ନକ୍ସା-୩ ଅନୁସାରେ ଯାଉଥିବା ରାସ୍ତା ୨୫ କିମି ଦୂରରେ ହୋଇଥିବାରୁ ସେଠାରେ ଶହ ଶହ ଲୋକଙ୍କ ବାସଗୃହ ଓ ମୂଲ୍ୟବାନ ଜମି ଚାଲିଯିବ। ୩୦ ପ୍ରତିଶତ ଲୋକ ଭୂମିହୀନ ହୋଇଯିବେ। ନାଉଗାଁବାସୀନ୍ଦା ଏହାକୁ ଦୃଢ଼ ବିରୋଧ କରୁଛନ୍ତି। ହେଲେ ପ୍ରଶାସନ ଅଭିଯୋଗ ନଶୁଣି ଏକପାଖିଆ, ଜୋର୍ ଜବରଦସ୍ତ ଲୋକଙ୍କୁ ବିପନ୍ନ କରିବାକୁ ଅପଚେଷ୍ଟା କରୁଛନ୍ତି। ଉପକୂରେ ରାଜପଥକୁ ସ୍ବାଗତ ହେଉଥିବା ବେଳେ ୨୫ କିମି ଦୂରରେ ବିରୋଧ କରାଯାଉଛି। ତେଣୁ ଗଣତନ୍ତ୍ରରେ ଲୋକଙ୍କ ମତକୁ ପ୍ରାଧାନ୍ୟ ଦେଇ ରାଜପଥ ଉପକୂଳରେ ନେବାକୁ କମିଟି ସଦସ୍ୟ ରାଜ୍ୟପାଳଙ୍କ ନିକଟରେ ନିବେଦନ କରିଥିଲେ। ତେବେ ରାଜ୍ୟପାଳ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦେବେ ବୋଲି ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ ଏବେ ସୁଦ୍ଧା ଖୋର୍ଦ୍ଧା ଟାଙ୍ଗୀଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୯୨କିମି ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିବା ବେଳେ ବିବାଦୀୟ ଅଞ୍ଚଳ ପାଇଁ ଏପର୍ଯ୍ୟନ୍ତ ଟେଣ୍ଡର୍ କରାଯାଇନାହିଁ।