ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ ଅନୁସାରେ, ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଶୀତଲହରିରୁ ଆଶ୍ବସ୍ତି ମିଳିବ। ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ୨ ଡିଗ୍ରି ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମ ହିମାଳୟୀୟ ଅଞ୍ଚଳରେ ପଶ୍ଚିମୀ ବିଶୃଙ୍ଖଳା (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ସକ୍ରିୟ ଥିବାରୁ ଆସନ୍ତା ଦୁଇଦିନ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି କୁହାଯାଇଛି। ତେବେ ଆଉ ଏକ ପଶ୍ଚିମୀ ବିଶୃଙ୍ଖଳା ମଙ୍ଗଳବାର ଦେଖାଯିବା ଆଶା କରାଯାଉଛି। ଏହି ବିଶୃଙ୍ଖଳା ଦୂର ହେବା ପରେ ପୁଣି ତାପମାତ୍ରାରେ ହାସ ଘଟିବ।
ଆସନ୍ତାକାଲିଠାରୁ ଦିଲ୍ଲୀରେ ଆକାଶ ନିର୍ମଳ ରହିବ କିନ୍ତୁ ସକାଳେ ବାୟୁମଣ୍ଡଳ କୁହୁଡ଼ିଆ ରହିବ। ରବିବାର ଦିଲ୍ଲୀରେ ଶୀତ ଲହରି ସାଂଘାତିକ ଥିବା ବେଳେ ସଫଦରଜଙ୍ଗ ପରି କେତେକ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରିରୁ କମ୍ ଥିଲା। ଘନ କୁହୁଡ଼ି ବହୁ ଅଞ୍ଚଳକୁ ଆଚ୍ଛାଦିତ କରିଥିଲା।