କଟକ: ସାହିତ୍ୟିକମାନଙ୍କ ଆନ୍ତରିକ ଉଦ୍ୟମ ପାଇଁ ଓଡ଼ିଆ ସାହିତ୍ୟ ଆଜି ସମୃଦ୍ଧ ଆଉ ସୁଦୃଢ଼ ହୋଇପାରିଛି। ହେଲେ ସମାଜରେ ଏବେ ମୂଲ୍ୟବୋଧର ଅବକ୍ଷୟ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସାହିତ୍ୟିକମାନେ ସମାଜକୁ ପରିବର୍ତ୍ତନ କରିବାର ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ। ସେମାନେ ଲେଖା ମାଧ୍ୟମରେ ଲୋକଙ୍କୁ ଦିଗ୍ଦର୍ଶନ ଦିଅନ୍ତୁ ବୋଲି କହିଛନ୍ତି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ଶତାବ୍ଦୀ ଭବନରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜର ୧୨୧ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ଷଡ଼ଙ୍ଗୀ କହିଥିଲେ ଯେ ହିଂସା ଦ୍ବାରା ଯାହା ସମ୍ଭବ ନୁହେଁ, ତାହା ଲେଖନୀ ଚାଳନା ଦ୍ବାରା ସମ୍ଭବ। କାର୍ଯ୍ୟକ୍ରମରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯାଇଥିଲା।
ସମ୍ମାନ ଗ୍ରହଣ କରି ଜଷ୍ଟିସ୍ ମିଶ୍ର କହିଲେ ଯେ ସାହିତ୍ୟର କୌଣସି ଭୌଗୋଳିକ ପରିସୀମା ନାହିଁ। ଏହା ସର୍ବବ୍ୟାପୀ ଓ ସର୍ବାଗ୍ରହୀ। କିନ୍ତୁ ଆଇନର ପରିସୀମା ଅଛି। ଜୀବନ ହେଉଛି, ଦୁଃଖ-ସୁଖ, ନ୍ୟାୟ-ଅନ୍ୟାୟ, ଭଲ-ମନ୍ଦର ଏକ ଦ୍ବନ୍ଦ୍ବ। ଜୀବନ ମଣିଷକୁ ପ୍ରତି କ୍ଷଣରେ ଠକୁଛି। ଏହି ସମ୍ମାନରେ ତାଙ୍କ ପତ୍ନୀ, ଦୁଇ କନ୍ୟା ସମଭାଗୀ ବୋଲି ଜଷ୍ଟିସ୍ ମିଶ୍ର କହିଥିଲେ।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ବିଜୟାନନ୍ଦ ସିଂହ କହିଥିଲେ ଯେ ସାହିତ୍ୟ କେବଳ ମଣିଷକୁ ମଣିଷ ସହିତ ଯୋଡ଼େ ନାହିଁ, ଏହା ମଣିଷର ଦୁଃଖ ମଧ୍ୟ ଦୂର କରିଥାଏ। କାର୍ଯ୍ୟକ୍ରମରେ ରାଧାମୋହନ ମହାପାତ୍ରଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’, ସଂଯୁକ୍ତା ମହାନ୍ତିଙ୍କୁ ‘ଫକିରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’, ମନ୍ମଥ କୁମାର ଶତପଥୀଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’, ପ୍ରହ୍ଲାଦ ଚନ୍ଦ୍ର ନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’, ବିମଳ ଜେନାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’, କମ୍ବୁପାଣି ସାମନ୍ତଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ’, ଡ. ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’, ଅଧ୍ୟାପିକା-ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ‘ବୈଷ୍ଣବ ପାଣି କଳା ସମ୍ମାନ’, ରମେଶ ଚନ୍ଦ୍ର ରଥଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’, ଛାୟାକାନ୍ତ ଷଡ଼ଙ୍ଗୀଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’, ଚୈତନ୍ୟ କୁମାର ସାହୁଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’, ଅପର୍ଣ୍ଣା ମିଶ୍ରଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’, ସତ୍ୟନାରାୟଣ ମହାପାତ୍ରଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’, ଦେବୁପ୍ରସାଦ ଚାଟାର୍ଜୀଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’, ରମାକାନ୍ତ ମହାପାତ୍ରଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’, କାହ୍ନୁଚରଣ ଲେଙ୍କାଙ୍କୁ ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’, ବାବାଜୀ ଚରଣ ଜେନାଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’, ଗୋପୀନାଥ ବେହେରାଙ୍କୁ ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ’, ସ୍ୱରୂପା ଚକ୍ରବର୍ତ୍ତୀଙ୍କୁ ‘ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ’, ବିଶ୍ୱକେଶ ତ୍ରିପାଠୀଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’, ଇଞ୍ଜିନିୟର୍ ସୌରାଂଶୁ ପଟ୍ଟନାୟକଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠକ ସମ୍ମାନ’, ସୁଜିତ୍ କୁମାର ପଣ୍ଡାଙ୍କୁ ‘କୈଳାସଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’, ନଳିନୀକାନ୍ତ ନନ୍ଦଙ୍କୁ ‘ଦେବବ୍ରତ କର ପ୍ରକାଶକ ସମ୍ମାନ’, ଡ. ମହେନ୍ଦ୍ର ମିଶ୍ରଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ’, ସୁଶାନ୍ତ ନାୟକଙ୍କୁ ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ’, ରାଜବଲ୍ଲଭ ସାହୁଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଆଦିତ୍ୟପ୍ରତାପ ଧଳ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଜୀବନାନନ୍ଦ ଅଧିକାରୀ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରୀତା ରାୟ, ତପନ ସ୍ବାଇଁ, ବିଶ୍ବମିତ୍ରା ମିଶ୍ର, ରାଧାଶ୍ୟାମ ରାଉଳ, ସରୋଜିନୀ ମିଶ୍ର, ସୁଶ୍ରୀ ଶୁଭଶ୍ରୀ ପ୍ରମୁଖ ମାନପତ୍ର ପାଠ କରିଥିଲେ। ସଂଗଠନ ସଂପାଦକ ଡ. ସୁନାମଣି ରାଉତ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଶଶିକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ।