ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍‌ଘାଟିତ

ଖଣ୍ଡଗିରି : ବୁଧବାର ଦିନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସ ପରିସରରେ ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବିଲ୍‌ଡିଂ ମଧ୍ୟ ଉଦ୍‌ଘାଟିତ ହୋଇଛି। ନବନିର୍ମିତ ଭାସ୍କର୍ଯ୍ୟ ଉଦ୍ୟାନରେ ମୁଖ୍ୟମନ୍ତ୍ରୀ ପ୍ରତିଟି ପ୍ରସ୍ତର କଳାକୃତିକୁ ବୁଲି ଦେଖିଥିଲେ ଓ ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ସେହିଭଳି ଦୃଶ୍ୟ କଳା ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ‘ଇଲ୍‌ଷ୍ଟ୍ରେଟେଡ୍ ପାମ୍‌ଲିଫ୍ ମନୁଷ୍କ୍ରିପ୍ଟ’ ଓ ‘ଟାଇମ୍‌ଲେସ୍ ଟେଲ୍‌ସ’ ଏହି ଅବସରରେ ଲୋକାର୍ପିତ ହୋଇଥିଲା।

କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜସ୍ୱ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିବା ଉଚିତ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ବହୁ ନୂତନ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଛାତ୍ରଛାତ୍ରୀଙ୍କ ସାମୂହିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ ଯେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ବଳରେ ଓଡ଼ିଶାର ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ ନୂତନ ପରିଚୟ ଅର୍ଜନ କରିବା ଉଚିତ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ସାହିତ୍ୟ ପତ୍ରିକା ‘ରୂପାୟନ’ ଓ ସମ୍ବାଦ ପତ୍ରିକା ‘ସଂସ୍କୃତି’ ଲୋକାର୍ପିତ ହୋଇଥିଲା। ସେହିଭଳି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ପୁସ୍ତକ ‘ଓଡ଼ିଶାର ଜୈନ ଧର୍ମ’, ଡକ୍ଟର ଚକ୍ରଧର ବେହେରାଙ୍କ ପୁସ୍ତକ ‘ଭାରତୀୟ ଚିତ୍ରକଳା’ ମଧ୍ୟ ଏହି ଅବସରରେ ଲୋକାର୍ପିତ ହୋଇଥିଲା। କୁଳସଚିବ ଅନାମିକା ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିତ୍ତ ନିୟନ୍ତ୍ରକ ରାଜେଶ ମହାନ୍ତ ଧନ୍ୟବାଦ ଦେଇଥିଲେ। ଅନୁଜା ତାରିଣୀ ମିଶ୍ର, ଅଧ୍ୟାପକ ଆଶିଷ ମହାପାତ୍ର ଓ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବିଭିନ୍ନ ବିଭାଗର ସଫଳ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ହିନ୍ଦୁସ୍ତାନୀ ସମବେତ ସଙ୍ଗୀତ, ଓଡ଼ିଶୀ ବୃନ୍ଦଗାନ, ଓଡ଼ିଶୀ ନୃତ୍ୟାଭିନୟ, ଛଉ ନୃତ୍ୟ ଓ ନାଟକ ବେଶ୍‌ ମନଛୁଆଁ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।