ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ନାମଲେଖା, ସାମ୍‌ସରୁ ଓହରିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଅନୁଷ୍ଠିତ ହେବ। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଶାୟୀ ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ରେ ଆବେଦନ କରୁଥିବା ବେଳେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମଗୁଡ଼ିକୁ ସାମ୍‌ସ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ଦେବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ସିପିଇଟିରେ ସାମିଲ ହେବନି ବିଶ୍ବବିଦ୍ୟାଳୟର ୨୦ରୁ ଅଧିକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ। ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ବ ନାମଲେଖା ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତିନି ବର୍ଷ ହେଲା ଅନୁଷ୍ଠିତ ସିପିଇଟିରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ସାମିଲ ହୋଇଥିଲା। ମାତ୍ର ସିପିଇଟି ଲାଗି ଆବେଦନ, ପ୍ରବେଶିକା ପରୀକ୍ଷା, ଫଳ ପ୍ରକାଶ ଓ ନାମଲେଖାରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳିଥିଲା। ନାମଲେଖା ପ୍ରକ୍ରିୟା ୪ରୁ ୫ମାସ ଧରି ଚାଲିବା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଧାର୍ଯ୍ୟ ସମୟ ସୁଦ୍ଧା ସେମାନଙ୍କ ପାଠପଢ଼ା ଶେଷ ହୋଇପାରୁନାହିଁ। ସେଲ୍ଫ ଫାଇନାନ୍ସିଂ ବିଭାଗଗୁଡ଼ିକ ମଧ୍ୟରେ ଅଧିକାଂଶ ଟେକ୍ନିକାଲ ପାଠ୍ୟକ୍ରମ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ବାଧା ଉପୁଜିଥିଲା। ଏମିତିକି ନାମଲେଖା ଶେଷ ପରେ ମଧ୍ୟ କେତେକ ବିଭାଗରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍‌ ଖାଲି ପଡ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ସେଲ୍ଫ ଫାଇନାନ୍ସିଂ ବିଭାଗଗୁଡ଼ିକୁ ସାମ୍‌ସ ନାମଲେଖା ପ୍ରକ୍ରିୟାରେ ସାମିଲ ନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ବିଶ୍ବବିଦ୍ୟାଳୟର ୨୮ଟି ରେଗୁଲାର ପାଠ୍ୟକ୍ରମ ସହ ଦୁଇଟି ସେଲ୍ଫ ଫାଇନାନ୍ସିଂ ବିଭାଗ ଯଥା ପରିବେଶ ବିଜ୍ଞାନ ଓ ଆପ୍ଲାଏଡ୍‌ ମାଇକ୍ରୋ ବାୟୋଲୋଜି ବିଭାଗ ପାଇଁ ସାମ୍‌ସ ମାଧ୍ୟମରେ ନାମଲେଖା‌ ଅନୁଷ୍ଠିତ ‌ହେବ। ବାକି ସେଲ୍ଫ ଫାଇନାନ୍ସିଂ ବିଭାଗ, ପିପିପି ମୋଡ୍‌ରେ ଚାଲିଥିବା ଦୁଇଟି ବିଭାଗ ଯଥା ଏଗ୍ରିବିଜ୍‌ନେସ୍‌ ଓ ଇନ୍‌ଫର୍ମେସନ ଟେକ୍ନୋଲୋଜି ଏବଂ ରୁରାଲ କ୍ୟାମ୍ପସରେ ଥିବା ଗୋଟିଏ ପାଠ୍ୟକ୍ରମ ପାଇଁ ନିଜସ୍ବ ନାମଲେଖା ପ୍ରକ୍ରିୟା କରାଯିବ। ୨୦ଟି ସେଲ୍ଫ ଫାଇନାନ୍ସିଂ ବିଭାଗ ମଧ୍ୟରେ ଏକ୍‌ଜିକ୍ୟୁଟିଭ୍‌ ଏମ୍‌ବିଏ, ଏମ୍‌ବିଏ ଇନ୍‌ ଫାଇନାନ୍ସିଆଲ ମ୍ୟାନେଜ୍‌ମେଣ୍ଟ, ଆଇଏମ୍‌ବିଏ, ଆଇଏମ୍‌ସିଏ, ଏମ୍‌.ଟେକ୍‌(କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ), ବି.ଫାର୍ମା, ଏମ୍‌. ଫାର୍ମା, ଏମ୍‌ଏସ୍‌ସି ଇନ୍‌ କମ୍ପ୍ୟୁଟର ସାଇନ୍ସ, ଏମ୍‌ଜେଏମ୍‌ସି, ଏମ୍‌.ଏସ୍‌ସି ଜିଓ ଇନ୍‌ଫର୍ମମେଟିକ୍ସ, ଏମ୍‌ଏ ଇନ୍‌ ହିନ୍ଦୀ, ବିଏଡ୍‌, ଏମ୍‌ ଏଡ୍‌, ବିଏବିଏଡ୍‌, ଏମ୍‌ ଇନ୍‌ ହ୍ୟୁମାନ କନ୍‌ସସ୍‌ନେସ୍‌ ଆଣ୍ଡ ଯୋଗ ସାଇନ୍ସ, ୟୁନିଭରସିଟି ଡିପାର୍ଟମେଣ୍ଟ ଅଫ୍‌ ଟିଚର୍ସ ଏଜୁକେସନ ଆଦି ରହିଛି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ସାମ୍‌ସ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ଦୁର୍ଗାଶଙ୍କର ପଟ୍ଟନାୟକ କହିଛନ୍ତି ଯେ ସାମ୍‌ସ ମାଧ୍ୟମରେ ହେଉଥିବା ନାମଲେଖାରେ ବହୁତ ବିଳମ୍ବ ହେଉଛି। ଯେଉଁଥିପାଇଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନାମଲେଖା ପ୍ରକ୍ରିୟାରେ ବିଭ୍ରାଟ ଯୋଗୁଁ ସିଟ୍‌ ବି ଖାଲି ପଡ଼ୁଛି। ତେଣୁ ନିଜସ୍ବ ପ୍ରବେଶିକା ପରୀକ୍ଷା କରାଯିବା ସହ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।

ସାମସ୍‌ ନାମଲେଖାରେ ରମାଦେବୀ ବିଏଡ୍‌ ସାମିଲ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିଏଡ୍‌ ପାଠ୍ୟକ୍ରମ ପାଇଁ ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ବିଶ୍ବବିଦ୍ୟାଳୟର ୫୦ଟି ସିଟ୍‌(୨୫ଟି ବିଜ୍ଞାନ ଓ ୨୫ଟି କଳା)କୁ ସାମ୍‌ସ ପୋର୍ଟାଲରେ ସାମିଲ କରିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓକାକ୍‌ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖାଯାଇଛି। ସୂଚନା ଅନୁଯାୟୀ ରାଜ୍ୟର ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷକ ତାଲିମ ପ୍ରତିଷ୍ଠାନର ବିଏଡ୍‌ ପାଠ୍ୟକ୍ରମ ସାମ୍‌ସ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାର୍କ ଆଧାରରେ ଛାତ୍ରୀମାନଙ୍କ ନାମଲେଖା କରୁଥିଲେ। ଏହାକୁ ନେଇ ବିବାଦ ଦେଖା ଦେବା ପରେ ଏବେ ସାମ୍‌ସ ନାମଲେଖା ପ୍ରକ୍ରିୟାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।