ଭୁବନେଶ୍ବର: ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍(ନାକ୍)ରେ ତଳକୁ ଖସିଲା ଉତ୍କଳ ବିଶ୍ବବିଦ୍ୟାଳୟ। ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍ ମାନ୍ୟତା ପାଇଥିଲା ଉତ୍କଳ। ଏଥର ୩.୧୬ ସ୍କୋର ସହ ‘ଏ’ ଗ୍ରେଡ୍ରେ ସନ୍ତୁଷ୍ଟ ହୋଇଛି। ଗତ ୭ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନୂଆ ନୂଆ କୋଠା ଛିଡ଼ା ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛାତ୍ରାବାସ, ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା ହୋଇଛି। କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ବିକାଶ ଖେଳ ପଡ଼ିଆ, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ପୃଦ୍ଧ ଆଲୁମିନି ରହିଛି। ତା’ସତ୍ତ୍ବେ ବି ବିଶ୍ବବିଦ୍ୟାଳୟ ମାନ୍ୟତା ହ୍ରାସ ପାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ନାକ୍ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ବବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି। ନାକ୍ ପକ୍ଷରୁ ଦର୍ଶାଯାଇଛି ଯେ ଗସ୍ତ ସମୟରେ ପ୍ରତିନିଧି ଦଳକୁ ତିନୋଟି ଜିନିଷ ଅଧିକ ଆକୃଷ୍ଟ କରିଥିଲା। ଯେଉଁଥିରେ ରାଜଧାନୀ ଛାତି ଉପରେ ବିଶାଳ ସବୁଜିମା ଭରା ପ୍ରାକୃତିକ ପରିବେଶ, ଭଲ ଭିତ୍ତିଭୂମି ସୁବିଧା, ଗବେଷଣା ଲାଗି ବିଶ୍ବବିଦ୍ୟାଳୟ ପରିସରରେ ବିରଳ ପୋଥି ଉପଲବ୍ଧ ରହିଛି, ଯାହାକି ପ୍ରତିନିଧି ଦଳକୁ ସନ୍ତୁଷ୍ଟ କରିଥିଲା। ରେୱାସ୍ଥିତ ଏପିଏସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଆର୍.ଏମ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ନାକ୍ ପ୍ରତିନିଧି ଦଳ ଏପ୍ରିଲ ୧୯ରୁ ୨୧ ଯାଏ କ୍ୟାମ୍ପସ ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳରେ ଶିକ୍ଷା କମିସନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ଜଗତଭୂଷଣ ନଡ୍ଡା, ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟ ଡିନ୍ ପ୍ରଫେସର ସଞ୍ଜୟ କୁମାର, ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ ଡିନ୍ ପ୍ରଫେସର୍ ରେଣୁ ଭରଦ୍ବାଜ ସଦସ୍ୟ ରହିଥିଲେ। ଆସାମ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରୋ-କୁଳପତି ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ସଦସ୍ୟ ସଂଯୋଜକ ଓ ନାକ୍ ସଂଯୋଜକ ଭାବେ ପ୍ରତିଭା ସିଂ ରହିଥିଲେ। ଗସ୍ତ ସମୟରେ ନାକ୍ ପ୍ରତିନିଧିମାନେ ବିଶ୍ବବିଦ୍ୟାଳୟ କେଉଁ କ୍ଷେତ୍ରରେ ଦୁର୍ବଳ ରହିଛି, ଉନ୍ନତି ଲାଗି ଆହୁରି କ’ଣ ସବୁ ଆବଶ୍ୟକତା ରହିଛି ସେନେଇ ରିପୋର୍ଟରେ କୁହାଯାଇଛି।