ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜେଏନ୍ୟୁ ଅର୍ଥନୀତି ବିଭାଗ ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ ପରେ ଛାତ୍ର ରାଜନୀତି ସରଗରମ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦସ୍ୟମାନେ ଆକ୍ରମଣ କରିଥିବା ଅଭିଯୋଗ ଆଣି ଛାତ୍ର ବିଜେଡି, ଏଆଇଏସ୍ଏଫ୍ ପରି ଛାତ୍ର ସଙ୍ଗଠନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସିଟିଜେନସ୍ ଫୋରମ୍ର ଆଲୋଚନାଚକ୍ର ବେଳେ ଆକ୍ରମଣକୁ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଓଡ଼ିଶା ରାଜ୍ୟ କମିଟି ଘୋର ନିନ୍ଦା କରିଛି। ଏବିଭିପି ମଧ୍ୟ ନିଜ ସପକ୍ଷରେ ଯୁକ୍ତି ବାଢ଼ି ପ୍ରଫେସର ଜଣକ ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଉପସ୍ଥିତ ସଦସ୍ୟମାନେ ବିରୋଧ କରିଥିଲେ। ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ଆୟୋଜକମାନେ ପ୍ରଥମେ ଆକ୍ରମଣ କରିଥିବା ଏବିଭିପି ପକ୍ଷରୁ କୁହାଯାଇଛି।
ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର ବିଜେଡ଼ି ଦାବି କରିଛି। ସଙ୍ଗଠନ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଆଲୋଚନାଚକ୍ର ଚାଲିଥିବା ବେଳେ ଏବିଭିପି କାର୍ଯ୍ୟକର୍ତ୍ତା ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜେଏନ୍ୟୁ ପ୍ରଫେସରଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣା ନୂଆ ନୁହେଁ, ଆଗରୁ ମଧ୍ୟ ଏବିଭିପି ସଦସ୍ୟ ଅନେକ ଥର ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଛନ୍ତି। ଆଜିର ଘଟଣା ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ଏଭଳି ଘଟଣା ଶୈକ୍ଷିକ ବାତାବରଣ ନଷ୍ଟ କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ତେଣୁ ବିଜୁ ଛାତ୍ର ଜନତା ଦଳ କେବେ ବି ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। ଆଜିର ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ଏକ ନିର୍ଦିଷ୍ଟ ରାଜନୈତିକ ଦଳର କିଛି ବ୍ୟକ୍ତିବିଶେଷ କ୍ୟାମ୍ପସ ବାତାବରଣକୁ ନଷ୍ଟ କରିଛନ୍ତି। ଉକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର ବିଜେଡି
କ୍ୟାମ୍ପସ କାହା ବାପାଙ୍କ ଜାଗିର୍ ନୁହେଁ: ଏଆଇଏସ୍ଏଫ୍
ଦେଶ ବିରୋଧୀ କାର୍ଯ୍ୟକ୍ରମ ହେବାକୁ ଦିଆଯିବନି: ଏବିଭିପି
ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ଏହି ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ କାହା ବାପାଙ୍କର ଜାଗିର୍ ନୁହେଁ। ସମ୍ୱିଧାନ ଓ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ଆୟୋଜିତ ଆଲୋଚନାଚକ୍ରକୁ ଏବିଭିପିର ସଦସ୍ୟମାନେ ବନ୍ଦ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ମାଡ ମାରି ଲହୁ ଲୁହାଣ କରିଛନ୍ତି। ଆଲୋଚନାକୁ ଏତେ ଭୟ କାହିଁକି? ନାଥୁରାମର ଦାୟାଦ ସର୍ବଦା ହିଂସାର ବାଟକୁ ଆପଣାଇ ଥା’ନ୍ତି। ଏଭଳି ଘଟଣା ନିନ୍ଦନୀୟ। ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଏବିଭିପି ରାଜ୍ୟ ମିଡିଆ ସଂଯୋଜକ ବିଶ୍ବଜିତ୍ ପାତ୍ର କହିଛନ୍ତି ଜେଏନୟୁ ପ୍ରଫେସର ଶ୍ରୀ ମଜୁମଦାର ସମ୍ବିଧାନ ବିଷୟରେ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ଓ ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ପ୍ରଦାନ କରୁଥିଲେ। ରାଷ୍ଟ୍ରବିଦ୍ୱେଷ ଓ ଜାତିଗତ ଘୃଣାର ପ୍ରଚାର ପାଇଁ ପ୍ରୟାସ କରୁଥିବା ବେଳେ ସେଠାରେ ଉପସ୍ଥିତ ଏବିଭିପି ସଦସ୍ୟ ଓ ପୁରାତନ ଛାତ୍ର ଏହାକୁ ବିରୋଧ କରି ପ୍ରଶ୍ନ କରିଥିଲେ। କିନ୍ତୁ ଆୟୋଜକ ଓ କିଛି ଅଣଛାତ୍ର ହଠାତ୍ ଉତ୍କ୍ଷିପ୍ତ ହୋଇ ବିରୋଧ କରିଥିବା ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଧକ୍କା ମାରିବା ସହ ପେଲାଠେଲା କରି ଆକ୍ରମଣ କରିବାରୁ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଆହତ ହୋଇଛନ୍ତି। ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଘଟଣା ବିରୋଧରେ ରାଜ୍ୟର ସମସ୍ତ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କରାଯିବ। ଦେଶ ତଥା ଓଡ଼ିଶା ମାଟିରେ ଏବିଭିପି କୌଣସି ପ୍ରକାର ଦେଶ ବିରୋଧୀ କାର୍ଯ୍ୟକ୍ରମ ହେବାକୁ ଦେବ ନାହିଁ। ଏଥିସହ ଛୁଟି ଦିନରେ କ୍ୟାମ୍ପସ୍ ଭିତରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଭାବେ ଅନୁମତି ଦେଲେ ତାହାର ତଦନ୍ତ କରାଯାଉ।
ସିପିଆଇ(ଏମ୍) ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ଜେଏନ୍ୟୁ ପ୍ରଫେସର ବକ୍ତବ୍ୟ ପ୍ରଦାନ କରୁଥିବା ବେଳେ କିଛି ଗୁଣ୍ଡାଶ୍ରେଣୀୟ ଯୁବକ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି। ଏଥିରେ ଫୋରମ୍ର ଆବାହନ ପ୍ରଦୀପ ନାୟକ, ପ୍ରାଧ୍ୟାପକ ସୁରେନ୍ଦ୍ର ଜେନାଙ୍କ ସମେତ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଶିକ୍ଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଏହି ଅଶୋଭନୀୟ ଆକ୍ରମଣକୁ ବାଦ୍ ପଡ଼ିନାହାନ୍ତି। ନୂତନ ଶିକ୍ଷା ନୀତି ନାମରେ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନରେ ଲିଖିତ ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ଆଦିର ବିପରିତ ଚିନ୍ତା, ଇତିହାସର ବିକୃତୀକରଣ କରି ସଂଘୀୟ ଢାଞ୍ଚାରେ ସିଲାବସ୍ ପ୍ରଚଳନ, ସର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଟେକି ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି। ସେବିଷୟରେ ଆଲୋଚନା ନ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ଫାଶିବାଦୀ ମାନସିକତାର ପରିଚୟ। ଏପରି ବର୍ବୋରଚିତ, ଅଗଣତାନ୍ତ୍ରିକ ଓ ହିଂସ୍ର ଆକ୍ରମଣ ଦ୍ବାରା ଓଡ଼ିଶା ବଦନାମ୍ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l