ବୌଦ୍ଧ ୦୫/୦୬: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ଶୁକ୍ରବାର ରାତିରେ ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି କରିନେଇଥିବା ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟର ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରୀ କରିନେଇଯାଇଥିଲେ ।
ଏନେଇ ବ୍ୟାଙ୍କ ପକ୍ଷରୁ ପୁରୂଣାକଟକ ଥାନାରେ ଗୁରୁବାର ଦିନ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଚୋର ମାନଙ୍କୁ ଚିହ୍ନଟ କରିପାରିଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ନୟାଗଡ ଜିଲାରୁ ଆସି ମାଧପୁର ନିକଟସ୍ଥ ଗୋଛାବାରୀ ସାହି ଠାରେ ରହୁଥିବା ହରିହର ପ୍ରଧାନ ଓ କଟକ ଜିଲାରୁ ଆସି ମାଧପୁର ଠାରେ ରହୁଥିବା ଜିତେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଥିଲା ।
ପୋଲିସ ହରିହର ଠାରୁ ୮୦ ହଜାର ଟଙ୍କା ଜବତ କରିବା ସହ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।