ରାଜ୍ୟ ସ୍ପେଶାଲ ରିପୋର୍ଟ

ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍‌ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ କ’ଣ ଅତିଥି ଅଧ୍ୟାପକରେ ଚାଲେ? ଏଠାରେ ଗବେଷଣା ହେବା କଥା। ଅତିଥି ଅଧ୍ୟାପକଙ୍କ ନେଇ କିପରି ଗବେଷଣା ହେବ? ସରକାର ପଇସାର ଅଭାବ ନାହିଁ ବୋଲି କହୁଛନ୍ତି। କିନ୍ତୁ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟରେ ଝାଡ଼ୁ କରିବାକୁ ବି ଲୋକ ନାହାନ୍ତି। ସରକାର ଶିକ୍ଷା ପ୍ରତି କେତେ ସଚେତନ ଏଥିରୁ ଜଣାପଡ଼ୁଛି। କେବଳ ଜୁମ୍‌ଲାରେ ଚାଲିଛି ଏ ସରକାର। ଆଜି ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କୁ ଏମିତି ଭର୍ତ୍ସନା କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ସଂକ୍ରାନ୍ତରେ ମୂଳ ପ୍ରଶ୍ନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଉତ୍ତର ଦେଇଥିଲେ, ୪୮ଟି ସରକାରୀ ଡିଗ୍ରି କଲେଜରେ ୨୩୭୩ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୩୮୫ଟି ଖାଲି ପଡ଼ିଛି। ୧୬ଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୪୬୮ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୧୫ଟି ଖାଲି ଅଛି। ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୭୧୧୦ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୦୬୫ ଖାଲି ପଡ଼ିଛି। ଏହି ୧୦୬୫ ଖାଲି ପଦବି ପୂରଣ ପାଇଁ ଏସ୍ଏସ୍‌ପି ଦ୍ବାରା ବିଜ୍ଞାପନ ଜାରି କରାଯାଇଛି। ତେବେ ଶ୍ରୀ ବାହିନୀପତି ନିଜ ଅଞ୍ଚଳର କଲେଜ ସମସ୍ୟା କଥା କହି ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, କୋରାପୁଟରେ ଥିବା ବିଇଡି କଲେଜକୁ ଚକ୍ରାନ୍ତ କରି ବନ୍ଦ କରିଦିଆଯାଇଛି। କେବିକେ ପ୍ରତି ପାତର ଅନ୍ତର କରାଯାଇଛି। ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରାଯାଇଥିଲେ ମଧ୍ୟ ସେଠାରେ ଶିକ୍ଷକ, କର୍ମଚାରୀ ନାହାନ୍ତି। ଅତିଥି ଅଧ୍ୟାପକଙ୍କୁ ଦାଦନ ପରି ପାରିଶ୍ରମିକ ମିଳୁଛି।

ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
ଅତିଥି ଅଧ୍ୟାପକଙ୍କୁ ଦାଦନ ପରି ପାରିଶ୍ରମିକ ମିଳୁଛି: ତାରା
ଆଇନଗତ ପ୍ରତିବନ୍ଧକ କଥା କହିଲେ ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ, କେବିକେକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବିଇଡି କଲେଜ କେନ୍ଦ୍ର ସରକାରଙ୍କ ଏନ୍‌ସିଟିଇ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଜୟପୁର ବିଇଡି କଲେଜ ବିଭିନ୍ନ କାରଣରୁ ବନ୍ଦ ହୋଇଛି। ତାହାକୁ ପୁଣି ଖୋଲିବା ପାଇଁ ଆବେଦନ ହୋଇଛି। ଆଇନଗତ ପ୍ରତିବନ୍ଧକ ଥିବାରୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହୋଇପାରିନି। ଅତିଥି ଅଧ୍ୟାପକଙ୍କୁ ଏବେ କ୍ଲାସ୍ ପିଛା ୫୦୦ ଟଙ୍କା ମିଳୁଛି। ଏହାକୁ ବଢ଼ାଇବା ପାଇଁ ସରକାର ବିଚାର କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦାହରଣ ଦେଇ ଉଚ୍ଚଶିକ୍ଷାର ବିକଳ ଚିତ୍ର ଦେଖାଇଥିଲେ। ସେ କହିଥିଲେ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବି ସଂଖ୍ୟା ୧୨୮। କିନ୍ତୁ ଖାଲି ପଡ଼ିଛି ୧୦୮। ସେମିତି ଅଣଶିକ୍ଷକ ପଦବି ସଂଖ୍ୟା ୧୫୦, ଖାଲି ପଡ଼ିଛି ୧୪୫। ଏହା ପରେ ବି ଉଚ୍ଚଶିକ୍ଷା ମନ୍ତ୍ରୀ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବିକେ ଜିଲ୍ଲାକୁ ଗୁରୁତ୍ବ ଦେଉଛନ୍ତି। ବାସ୍ତବରେ କେବିକେର ବିକାଶ ତଳ ଆଡ଼ୁ ହେଉଛି। ଲଜ୍ଜା ଲାଗୁନି ଏ ସରକାରକୁ। ବଲାଙ୍ଗୀରର ସରକାରୀ ମହିଳା ମହାବିଦ୍ୟାଳୟରେ ବି କର୍ମଚାରୀ ସଂକଟ। ମୁଁ ଲଜ୍ଜିତ ଯେ ସେହି ନିର୍ବାଚନମଣ୍ଡଳୀରୁ ମୁଁ ପ୍ରତିନିଧିତ୍ବ କରୁଛି। ସାରା ରାଜ୍ୟରେ ଏମିତି ସମସ୍ୟା ହୋଇଥିବ। ମନ୍ତ୍ରୀ ତାଙ୍କ ଉତ୍ତର ଦେଲା ବେଳେ ଆଉ ନ କୁହନ୍ତୁ ଯେ, ଚେଷ୍ଟା କରୁଛୁ… ଉଦ୍ୟମ କରୁଛୁ… କେସ୍ ଚାଲିଛି…। କେବେ ସୁଦ୍ଧା ସମସ୍ୟାର ସମାଧାନ ହେବ କୁହନ୍ତୁ।

ମନ୍ତ୍ରୀ କହିଥିଲେ, ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟ ରହିତାଦେଶ ଦେଲା ପରେ ଦୁଇ ବର୍ଷ ହେଲା ତାହା ସ୍ଥଗିତ ରହିଛି। ଆଇନଗତ ପ୍ରତିବନ୍ଧକରୁ ମୁକୁଳିବା ପାଇଁ ଚେଷ୍ଟା କରୁଛୁ। ଯୁକ୍ତ ତିନି ଓ ଯୁକ୍ତ ଦୁଇ କଲେଜ ଅଲଗା ହୋଇଯାଇଥିବାରୁ କିଛି ଜାଗାରେ ଯୁକ୍ତ ତିନି କଲେଜରେ ଅଧ୍ୟାପକ କମ୍ ଅଛନ୍ତି। ଏହି ସମସ୍ୟା ତୁରନ୍ତ ସମାଧାନ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।