ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଇସ୍ପାତ ସହରରେ ନେପାଳୀ ସଂସ୍କୃତି

ରାଉରକେଲା: ଭିନ୍ନ ଭିନ୍ନ ସଂପ୍ରଦାୟ, କଳା, ସଂସ୍କୃତି ଓ ଭାଷାକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଷ୍ଟିଲ୍ ସିଟି ରାଉରକେଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକ ପରବର୍ତ୍ତୀ ଅବସ୍ଥାରେ ରାଉରକେଲା ସହରକୁ ନିଜ କର୍ମକ୍ଷେତ୍ର ରୂପେ ବାଛିନେଇ ଭାଇଚାରା ସୃଷ୍ଟି କରିଛନ୍ତି। ଏପରିକି ପଡ଼ୋଶୀ ଦେଶ ନେପାଳର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ୍ ମଧ୍ୟ ଏ ସହରରେ ରହିଛି। ପ୍ରତିମାସ ପଞ୍ଚମୀରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ନେପାଳୀ ଭାଇ ଭଉଣୀ ଏକତ୍ରିତ ହୁଅନ୍ତି। ଉତ୍ସବ ମୁଖର ହୋଇ ଉଠେ ସେମାନଙ୍କର ସେକ୍ଟର-୬ ସ୍ଥିତ ମନ୍ଦିର ପରିସର। ଏହି ଲକ୍ଷ୍ମୀନାରାୟଣ ମନ୍ଦିର ଓ ପଶୁପତି ନାଥ ମନ୍ଦିର ନେପାଳୀ ସମ୍ପ୍ରଦାୟଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଇସ୍ପାତ କାରଖାନାରେ ଚାକିରି କରିବା ଉଦ୍ଦେଶ୍ୟ ନେଇ ପ୍ରଥମେ ନେପାଳରୁ ଅଳ୍ପ କିଛି ଲୋକ ରାଉରକେଲାକୁ ଆସିଥିଲେ। ସହରର ବ୍ୟବସାୟ ବାତାବରଣକୁ ଲକ୍ଷ୍ୟ କରି ପରେ ସେମାନେ ନିଜ ସଂପର୍କୀୟ ଓ ପରିଚିତଙ୍କୁ ମଧ୍ୟ ରାଉରକେଲା ଡାକିଥିଲେ। ସେମାନଙ୍କ ଭିତରୁ ଅନେକ ଲୋକ ନେପାଳରୁ ପାନିଆ, ଛୁରୀ, କସ୍ତୁରୀ ମୃଗ ନାଭି, ରୁଦ୍ରାକ୍ଷ, ଚୁଡ଼ି ଓ ମେହନ୍ଦୀ ଆଦି ସାମଗ୍ରୀ ଆଣି ରାଉରକେଲାରେ ବିକ୍ରିବଟା କରୁଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏହି ସାମଗ୍ରୀର ଚାହିଦା କମି ଯିବାରୁ ଅନେକ ବ୍ୟବସାୟୀ ଗାଁକୁ ଫେରିଯାଇଛନ୍ତି। ବର୍ତ୍ତମାନ ଯେଉଁମାନେ ଅଛନ୍ତି, ସେମାନେ ସ୍ଥାୟୀ ବ୍ୟବସାୟ କରୁଛନ୍ତି ବା କାରଖାନାରେ ଚାକିରି କରିଛନ୍ତି। ସେମାନେ ରାଉରକେଲା ସହର ସମେତ ବନ୍ଧମୁଣ୍ଡା, ବୀରମିତ୍ରପୁର, କଲୁଙ୍ଗା, କୁଆରମୁଣ୍ଡା, ରାଜଗାଙ୍ଗପୁର, ବେଦବ୍ୟାସ, ପାନପୋଷ, ହାତୀବନ୍ଧ ଓ ଲାଠିକଟା ଅଞ୍ଚଳରେ ଭଡ଼ାରେ ଘର ନେଇ ରହୁଛନ୍ତି।

ଅଳ୍ପ କିଛି ନେପାଳୀ ଲୋକ ଅବଶ୍ୟ ଜମି କିଣି ଘର କରିଛନ୍ତି। ଏଠାରେ ଦୁଇ ହଜାରରୁ ଅଧିକ ନୋପାଳୀ ଲୋକ ରହୁଛନ୍ତି। ନେପାଳୀ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ୧୯୮୦ ମସିହାରେ ସେକ୍ଟର-୬ ଦୁର୍ଗାପୁର ପାହାଡ଼ ନିକଟରେ ପ୍ରତିଷ୍ଠା ହୋଇଥିଲା ପଶୁପତି ନାଥ ମନ୍ଦିର। ପରେ ୨୦୧୦ରେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ହୋଇଛି। ପଶୁପତି ନାଥ ମନ୍ଦିରରେ ଶିବମୂର୍ତ୍ତି ଓ ଲକ୍ଷ୍ମୀନାରାୟଣ ମନ୍ଦିରରେ ଲକ୍ଷ୍ମୀ ନାରାୟଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉଛନ୍ତି। ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ନେପାଳୀ ମନ୍ତ୍ରରେ ପୂରି ଉଠେ ମନ୍ଦିର ପରିବେଶ। ଏଠାରେ ବେଶ୍ ଆଡ଼ମ୍ବର ସହ ପ୍ରତିବର୍ଷ ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣମା, ଶିବ ରାତ୍ରି, ଜନ୍ମାଷ୍ଟମୀ, ଟିଜି, ଦୂର୍ଗା ପୂଜା, ନାଗ ପଞ୍ଚମୀ, ଜାନକୀ ପୂର୍ଣ୍ଣିମା, ଶୋର ଶ୍ରାଦ୍ଧ ଓ ଗାର ଯାତ୍ରା। ଏହି ଯାତ୍ରାରେ ସାମିଲ ହେବା ପାଇଁ ନେପାଳରୁ ସଂପର୍କୀୟମାନେ ମଧ୍ୟ ଆସିଥାନ୍ତି। ପୁଣି ରାଉରକେଲା ଏନ୍‌ଆଇଟିରେ ପାଠ ପଢ଼ୁଥିବା ନେପାଳର ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସକାଳୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲେ ନେପାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭୋଜିଭାତର ଆସର। ନେପାଳୀ ନାଚ, ଗୀତ ଓ ନାଟକରେ ପୂରି ଉଠେ ସ୍ଥାନୀୟ ଅଞ୍ଚଳ। ଓଡ଼ିଶା ମାଟିରେ ବିଦେଶୀ ପରମ୍ପରା ଦେଖିବାକୁ ରାଉରକେଲାର ବିଭିନ୍ନ ଅଞ୍ଚଳର ଲୋକ ମଧ୍ୟ ଏଠାରେ ଭିଡ଼ ଜମାନ୍ତି।

ନେପାଳୀ ସମ୍ପ୍ରଦାୟର ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧି ଦୁଃଖସୁଖରେ ସହଭାଗୀ ହେବା ଲକ୍ଷ୍ୟ ନେଇ ରାଉରକେଲା ନେପାଳି ସେବା ସମିତି ଗଠନ କରାଯାଇଛି। ରାଉରକେଲାରେ ବସବାସ କରୁଥିବା ନେପାଳ ସମ୍ପ୍ରାଦୟର ୩୦ ଜଣ ବୟସ୍କଲୋକଙ୍କୁ ନେଇ ଗଠନ କରାଯାଇଛି ଏହି ସମିତି। ଏହି ସମିତି ଏହା ଭିତରେ ୩୫ ବର୍ଷର ହୋଇଗଲାଣି। ନେପାଳୀ ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିବା ପାଇଁ ଏହି ସମିତି ପକ୍ଷରୁ ହିଁ ସ୍ଥିର ହୋଇଥିଲା ମନ୍ଦିର ନିର୍ମାଣ। ମନ୍ଦିର ଆରମ୍ଭ କରିବା ନେପାଳୀ ସମ୍ପ୍ରଦାୟ ପ୍ରତି ଲୋକ ପ୍ରତ୍ୟେକ ମାସରେ ୨ ଟଙ୍କା ଲେଖାଏଁ ଚାନ୍ଦା ଦେଉଥିଲେ। ବର୍ତ୍ତମାନ ଏହି ଚାନ୍ଦା ୧୦୦ ଟଙ୍କାରେ ପହଞ୍ଚିଛି। ନେପାଳୀ ଲୋକଙ୍କ ଘରେ ପୂଜା ପାଠ କରିବା ପାଇଁ ନେପାଳରୁ ସ୍ବତନ୍ତ୍ର ଦୁଇଜଣ ବ୍ରାହ୍ମଣ ଅସିଛନ୍ତି। ନେପାଳୀ ସମ୍ପ୍ରଦାୟର କୌଣସି ସୁବିଧା ଅସୁବିଧା ହେଲେ ସମିତିର କର୍ମକର୍ତ୍ତାମାନେ ପହଞ୍ଚୁଛନ୍ତି। ‘‘ନେପାଳୀ ଭାଇ ଭଉଣୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଆମର ଲକ୍ଷ୍ୟ’’ ବୋଲି କହିଛନ୍ତି ସମିତିର ସମ୍ପାଦକ ଜ୍ଞାନେନ୍ଦ୍ର ସିଂ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ