ନୂଆଦିଲ୍ଲୀ ୧୭/୦୨: ଆଇପିଏଲ ୨୦୨୨ ପାଇଁ ନିକଟରେ ସରିଛି ନିଲାମି ପ୍ରକ୍ରିୟା । ଏଥିରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଥିଲେ ଇଶାନ କିଷାନ । କିନ୍ତୁ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ରେ ସେ ଏକ ଅଲୋଡା ରେକର୍ଡ ନିଜ ନାଁରେ କରିଛନ୍ତି ।
ବୁଧବାର ଖେଳାଯାଇଥିବା ମୁକାବିଲାରେ ଓପନିଂ ପାଇଁ ଆସିଥିଲେ ଇଶାନ କିଷାନ । ସେ ରୋହିତ ଶର୍ମାଙ୍କ ସହ ମିଶି ଓପନିଂରେ ୫୪ ରନ୍ ଯୋଡିଥିଲେ । କିନ୍ତୁ ନିଜର ଷ୍ଟ୍ରାଇକ୍ ରେଟ୍ ହରାଇଥିଲେ । ସେ ୪୨ ବଲ ଖେଳି ମାତ୍ର ୩୫ ରନ୍ କରିଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୮୩.୩୩ ।
ଏହାସହ ଇଶାନ ଅନ୍ତର୍ଜାତୀୟ ଟି୨୦ରେ ୪୦ କିମ୍ବା ଅଧିକ ବଲ୍ ଖେଳି ସବୁଠାରୁ ଖରାପ ଷ୍ଟ୍ରାଇକ୍ ରେଟ୍ କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସେ ଦିନେଶ ମୋଙ୍ଗିଆଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ମୋଙ୍ଗିଆ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ରେ ୮୪.୪୪ ଷ୍ଟ୍ରାଇକ୍ ରେଟରେ ଖେଳିଥିଲେ । ତୃତୀୟ ସ୍ଥାନରେ ଅଛନ୍ତି ଗୌତମ ଗମ୍ଭୀର । ସେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ୬୦ ବଲରୁ ୫୬ ରନ୍ କରିଥିଲେ ।
ସୂଚନାଯୋଗ୍ୟ, ଓ୍ୱିକେଟ କିପର ବ୍ୟାଟର ଇଶାନ ଆଇପିଏଲ ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟିରେ କ୍ରୟ କରିଛି । ପୂର୍ବଥର ଅପେକ୍ଷା ତାଙ୍କ ଉପରେ ମୁମ୍ବାଇ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛି ।