ରାଜ୍ୟ

ଇନ୍‌ଫର୍ମର୍‌ ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ହତ୍ୟା

ଫୁଲବାଣୀ/କୋଟଗଡ଼: ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ‌ମେଟଲା ରୋହିତଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା କରିଛନ୍ତି। ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ବିଜିଏନ୍‌ (ବଂଶଧାରା-ଘୁମୁସର-ନାଗାବଳୀ) ମାଓ ଡିଭିଜନର ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମେଟଲା ରୋହିତଙ୍କୁ ତାଙ୍କ ଘରୁ ଉଠାଇ ନେଇ ଯାଇଥିବା ବେଳେ ଦୁଇଦିନ ଧରି ଘର ଲୋକେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ମାତ୍ର ଆଜି ସକାଳୁ ମେଟଲାଙ୍କ ମୃତଦେହ ନିକଟସ୍ଥ ବାରିପଙ୍ଗା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ମିଳିଥିଲା।

ମାଓବାଦୀମାନେ ମେଟଲାଙ୍କ ମୃତଦେହକୁ ପଲିଥିନ୍‌ରେ ଗୁଡ଼ାଇ ବାରିପଙ୍ଗା ଅଙ୍ଗନବାଡ଼ି ନିକଟରେ ଫିଙ୍ଗିଦେଇ ଚାଲିଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ଆଜି ଏକ ପ୍ରେସ୍‌ ଇସ୍ତାହାରରେ ସୂଚନା ଦେଇଛନ୍ତି। ଏହାସହ ଶବ ନିକଟରେ ମାଓବାଦୀ ଏକ ହାତଲେଖା ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ଗାଁଲୋକେ ଆଜି ସକାଳେ ମେଟଲାଙ୍କ ଶବକୁ ଦେଖି କୋଟଗଡ଼ ଥାନାରେ ଖବର ‌ଦେଇଥିଲେ। ତାଙ୍କ ଶରୀରରେ ଥିବା କ୍ଷତଚିହ୍ନକୁ ଦେଖି ମାଓବାଦୀମାନେ ନିର୍ଯ‌ାତନା ଦେଇ ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ମେଟଲାଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୁଲିସର ତଦନ୍ତ ଜାରି ରହିଛି। ଅନ୍ୟ ପକ୍ଷରେ ଏହି ହତ୍ୟାର ଉଚିତ ଜବାବ ଦିଆଯିବ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ପ୍ରକାଶ କରିଛନ୍ତି।

ମେଟଲା ରୋହିତ ଜଣେ କନ୍ଧ ଯୁବକ ଓ ଗତ ମାସେ ତ‌ଳେ ବିବାହ କରିଥିଲେ। ସେ ନିଜ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମୁନ୍‌ସି ଭାବେ କାର୍ଯ୍ୟ କରୁଥିଲେ ଓ ଚାଷବାସ କରି ନିଜ ପରିବାରର ଭରଣପୋଷଣ କରୁଥିଲେ। ଏଭଳି ନିର୍ଦ୍ଦୋଷ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ନିର୍ମମ ହତ୍ୟା କରିଛନ୍ତି। ମେଟଲା କନ୍ଧମାଳ ପୁଲିସକୁ କେବେ ବି କୌଣସି ପ୍ରକାରର ମାଓ ଗତିବିଧି ଖବର ଦେଇନାହାନ୍ତି ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି। ଏହା ମାଓବାଦୀମାନଙ୍କର ଏକ ଚକ୍ରାନ୍ତ। ବିକାଶମୂଳକ କାର୍ଯ୍ୟ ଯଥା ରାସ୍ତା, ମୋବାଇଲ ଟାୱାର, ପୋଲ ନିର୍ମାଣକୁ ପ୍ରତିରୋଧ କରିବା ପାଇଁ ମାଓବାଦୀମାନେ ନିରୀହ ଲୋକଙ୍କୁ ଭୟଭୀତ କରାଉଛନ୍ତି ବୋଲି ଏସ୍‌ପି କହିଛନ୍ତି। କନ୍ଧମାଳ ପୁଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନ ତଥା ସର୍ଚ୍ଚ ଅ‌ପରେସନକୁ କଡ଼ାକଡ଼ି କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପୁଲିସ ଉଚିତ ପଦକ୍ଷେପ ନେବ ବୋଲି ଏସ୍‌ପି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।