ସିଡନୀ ୦୮।୦୧: ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ୍ର ତୃତୀୟ ମ୍ୟାଚ୍ରେ ପଡିଆକୁ ଓହ୍ଲାଇଛନ୍ତି। ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନ୍ ନିୟମ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାରିନଥିଲେ।
ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ର ତୃତୀୟ ଟେଷ୍ଟରେ ଏକ ଖାସ୍ ଉପଲବ୍ଧ ହାସଲ କରିଛନ୍ତି। ନାଥନ ଲାୟନଙ୍କ ବଲରେ ଛକା ମାରିବା ସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଛକା ଲଗାଇବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି।
ଅଷ୍ଟ୍ରେଲିଆ ଆଜି ଶୀଘ୍ର ନାଥନ ଲାୟନଙ୍କୁ ବୋଲିଂ ଆକ୍ରମଣରେ ଲଗାଇଥିଲା। କିନ୍ତୁ ରୋହିତ ତାଙ୍କୁ ସେଟ୍ ହେବାକୁ ଦେଇନଥିଲେ। ସେ ନାଥନଙ୍କ ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣେଇଥିଲେ।
ରୋହିତ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟାଟିଂ କରିପାରିନଥିଲେ। ସେ ଭାରତୀୟ ଇନିଂସର ୨୭ତମ ଓଭରରେ ଜୋସ୍ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲାୟନଙ୍କ ବଲ୍ରେ ତାଙ୍କ ବିରୋଧରେ ଆଉଟ୍ ଅପିଲ୍ ଖାରଜ ହୋଇ ଯାଇଥିଲା। ତେବେ ପରବର୍ତ୍ତୀ ହେଜଲଉଡଙ୍କ ବଲରେ ସେ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ସେ ଶୁବମାନ ଗିଲ୍ଙ୍କ ସହିତ ପ୍ରଥମ ଓ୍ଵିକେଟ୍ରେ ୭୦ ରନ ଯୋଡିଥିଲେ।