ସାରା ଦେଶରେ ୧୯୭୧ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା। ନିୟମ ଅନୁଯାୟୀ ପରବର୍ତ୍ତୀ ନିର୍ବାଚନ ୧୯୭୬ରେ ହେବା କଥା। ମାତ୍ର ୧୯୭୫ରେ ଜରୁରୀକାଳୀନ ଅବସ୍ଥା ଜାରି ହେବାରୁ ନିର୍ବାଚନକୁ ଗଡ଼ାଇ ଦିଆଯାଇଥିଲା। ଇନ୍ଦିରାଙ୍କୁ ହରାଇ କେନ୍ଦ୍ରରେ ଜନତା ପାର୍ଟି ନେତୃତ୍ବାଧୀନ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ସମେତ ୯ଟି କଂଗ୍ରେସ ମନ୍ତ୍ରିମଣ୍ଡଳକୁ ଭଙ୍ଗ କରାଯାଇଥିଲା। ରାଷ୍ଟ୍ରପତି ଶାସନ ଜାରି ଅବସ୍ଥାରେ ୧୯୭୭ ଜୁନ୍ ମାସରେ ଏହି ରାଜ୍ୟଗୁଡ଼ିକରେ ଏକକାଳୀନ ନିର୍ବାଚନ ହୋଇଥିଲା। ଏହା ଥିଲା ଓଡ଼ିଶାର ସପ୍ତମ ବିଧାନସଭା ନିର୍ବାଚନ। ୧୪୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ଏହି ନିର୍ବାଚନରେ ଜନତା ଦଳ ୧୪୭ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୧୪୬ଟି ଆସନରେ ନିର୍ବାଚନ ଲଢ଼ିଥିଲା। ୨୫ଟି ଆସନରେ ସିପିଆଇ (କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ) ଏବଂ ୪ଟି ଆସନରେ ସିପିଏମ୍ (ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି)ର ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ୨୬୪ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିରେ ୧୭ ଜଣ ମହିଳା ବିଭିନ୍ନ ଦଳରୁ ଲଢ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜନତା ପାର୍ଟିରୁ ନନ୍ଦିନୀ ଶତପଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ମାଳତୀ ଚୌଧୁରୀ। ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଦ୍ବନ୍ଦ୍ବିତା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ସାରା ରାଜ୍ୟ ଓ ଦେଶର ନଜର ଏହି ନିର୍ବାଚନ ଉପରେ ରହିଥିଲା।
ଏ ସଂପର୍କରେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଜନୀତି ସମୀକ୍ଷକ ଶାନ୍ତନୁ କୁମାର ସର କୁହନ୍ତି, ସେତେବେଳ ସାରା ଓଡ଼ିଶାରେ ଜନତା ପାର୍ଟି ସପକ୍ଷରେ ଗୋଟିଏ ଏକତରଫା ଅନ୍ତଃସ୍ରୋତ ଚାଲିଥିଲା। ଶ୍ରୀମତୀ ଚୌଧୁରୀ ସ୍ବାଧୀନ ପ୍ରାର୍ଥିନୀ ଭାବରେ ‘ମାଠିଆ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ। ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜେ ମୈଦାନରେ ଥିବା ବେଳେ ଅନ୍ୟ ପାର୍ଶ୍ବରେ ଥିଲେ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ। ପରିଚୟ, ପ୍ରତିଷ୍ଠା ଏବଂ ଲୋକପ୍ରିୟତା ଦୃଷ୍ଟିରେ କେହି କାହାକୁ କମ୍ ନଥିଲେ। ସମ୍ବିଧାନ ପ୍ରଣୟନ କମିଟିରୁ ସ୍ବେଚ୍ଛାକୃତ ଅବସର ନେଇ ମାଳତୀ ଦେବୀ ରାଜନୀତି ମୈଦାନକୁ ଓହ୍ଲାଇବା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ରାଜନୈତିକ ମହଲ ଆହୁରି ବିସ୍ମିତ ହେବାର କାରଣ ହେଲା, ଜରୁରୀ ପରିସ୍ଥିତିରେ ତତ୍କାଳୀନ କଂଗ୍ରେସ ସରକାର ଓ ଇନ୍ଦିରା ଗାନ୍ଧୀଙ୍କ ନୀତିକୁ ବିରୋଧ କରି ସୃଷ୍ଟି ହୋଇଥିବା ଜନତା ପାର୍ଟି ନନ୍ଦନୀ ଶତପଥୀଙ୍କୁ ଟିକେଟ୍ ଦେବା। ଶ୍ରୀ ସର କୁହନ୍ତି, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ନନ୍ଦିନୀ ଓ ମାଳତୀଙ୍କ ମଧ୍ୟରେ ୨୭ ବର୍ଷ ବୟସର ବ୍ୟବଧାନ ଥିଲା। ଅର୍ଥାତ କେବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼େଇକୁ ଓହ୍ଲାଇ ନଥିବା ମାଳତୀ ଚୌଧୁରୀ ୭୩ ବର୍ଷ ବୟସରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।
ସେତେବେଳ ତାଙ୍କୁ ଏ ନେଇ ଅନେକ ପ୍ରଶ୍ନ ମଧ୍ୟ କରାଯାଇଥିଲା। ଜୀବନ ସାରା କ୍ଷମତା ରାଜନୀତିରୁ ଊର୍ଦ୍ଧ୍ବରେ ଥିବା ମାଳତୀ ଦେବୀଙ୍କ ଏପରି ନିଷ୍ପତ୍ତି କାହିଁକି ? ଶ୍ରୀମତୀ ଚୌଧୁରୀ ବ୍ୟକ୍ତି ସ୍ବାଧୀନତାକୁ ପ୍ରାଥମିକତା ଦେଉଥିଲେ। ଜରୁରୀ ପରିସ୍ଥିତିରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତାଙ୍କୁ ବ୍ୟଥିତ କରିଥିଲା। ଏପରିକି ଉଭୟ ମାଳତୀ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀଙ୍କୁ ଅଲଗା ଅଲଗା ଜେଲ୍ରେ ରହିବାକୁ ହୋଇଥିଲା। ଯାହାକୁ ତୀବ୍ର ବିରୋଧ କରିଥିଲେ ମାଳତୀ ଚୌଧୁରୀ। ଆଉ ବେଶି ବ୍ୟଥିତ କରିଥିଲା ଜନତା ପାର୍ଟି ଶ୍ରୀମତୀ ଶତପଥୀଙ୍କୁ ପ୍ରାର୍ଥୀ କରିବା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ଜୟପ୍ରକାଶ ନାରାୟଣ ଶ୍ରୀମତୀ ଚୌଧୁରୀଙ୍କ ସପକ୍ଷରେ ମଧ୍ୟ ପ୍ରଚାର କରିଥିଲେ। ମାଳତୀ ଦେବୀଙ୍କ ନିଷ୍ପତ୍ତି ସେ ସମୟରେ ଜନତା ପାର୍ଟିକୁ ଅକଳରେ ପକାଇଥିଲା। ଏପରିକି ଜନତା ପାର୍ଟିର କିଛି ନେତା ଗୋପନରେ ତାଙ୍କୁ ସମର୍ଥନ ଜଣାଇଥିଲେ। ଉଭୟ ଦଳରୁ ଘମାଘୋଟ ପ୍ରଚାର ଚାଲିଥିଲା। ମାତ୍ର ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଶ୍ରୀମତୀ ଶତପଥୀ। ସେତେବେଳ ନନ୍ଦିନୀଙ୍କୁ ୩୧, ୮୨୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମାଳତୀ ଚୌଧୁରୀଙ୍କୁ ମିଳିଥିଲା ମାତ୍ର ୪, ୦୬୩ ଖଣ୍ଡ ଭୋଟ୍। ତାହା ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ତାଜୁବ କରି ଦେଇଥିଲା। ଏହି ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ପାର୍ଟି ୧୧୦ ଆସନ ପାଇ ରେକର୍ଡ କରିଥିଲା। ଭାରତୀୟ ଜାତୀୟ କଂଗ୍ରେସ ମାତ୍ର ୨୬ଟି ଆସନ ପାଇଥିଲା।