ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ: ୧୯୫୭ରେ ବି ଥିରାନୀ, ଏଥର କଳାହାଣ୍ଡି-ବଲାଙ୍ଗୀରରୁ

ପାଞ୍ଚବର୍ଷ ପରେ ୧୯୫୭ ମସିହାରେ ପୁଣି ଲୋକସଭା ନିର୍ବାଚନ ହେଲା। ବରଗଡ଼ ଲୋକସଭାମଣ୍ଡଳୀ ବାଦ୍‌ ପଡ଼ି ସମ୍ବଲପୁର ଦ୍ବୈତ ଲୋକସଭାମଣ୍ଡଳୀରେ ସେ ଅଞ୍ଚଳ ସମତେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ‌ସିନ୍ଧେକେଳା, କଟାବାଞ୍ଜି, ତୁରେଇକେଳା ଥାନା ବ୍ୟତୀତ ସମଗ୍ର ବଲାଙ୍ଗୀର ଜିଲ୍ଲା ଓ ସମ୍ବଲପୁର, ହୀରାକୁଦ (ଜମଡ଼ା) ଧମା, ବୁର୍ଲା ଓ ମହାଦେବପାଲି (ହୀରାକୁଦ ଜଳମଗ୍ନ) ଥାନା ରହିଲା। ବଲାଙ୍ଗୀର ନାମରେ କୌଣସି ନିର୍ବାଚନମଣ୍ଡଳୀ ରହିଲା ନାହିଁ। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହେଲା ଓ ସେ ମଧ୍ୟରେ ସମଗ୍ର କଳାହାଣ୍ଡି, ଫୁଲବାଣୀ ଜିଲ୍ଲା ସମେତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସିନ୍ଦେକେଲା, କଟାବାଞ୍ଜି ଓ ତୁରେଇକେଲା ଥାନା ରହିଲା। କଳାହାଣ୍ଡି ଏକ ଦ୍ବୈତ ନିର୍ବାଚନମଣ୍ଡଳୀ ହେଲା ଏବଂ ଜଣେ ସାଧାରଣ ଓ ଅନ୍ୟଟି ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ହୋଇଗଲା।

କଳାହାଣ୍ଡିର ସାଧାରଣବର୍ଗ ପ୍ରାର୍ଥୀ ଭାବରେ କଂଗ୍ରେସ ଦଳ ମନୋନୀତ କଲା ପୂର୍ବରୁ ବରଗଡ଼ରୁ ନିର୍ବାଚିତ ଘନଶ୍ୟାମ ଦାସ ଥିରାନୀଙ୍କୁ। ଶୁଣାଗଲା ସେଠାରେ ମଧ୍ୟ ପ୍ରଚୁର ଖର୍ଚ୍ଚ କରି ମହାରାଜା ପ୍ରତାପ କେଶରୀ ଦେଓଙ୍କୁ ହରାଇଦେବେ। ୧୯୫୭ ଏପ୍ରିଲ ୧ ତାରିଖରୁ ୧୦୦ ପଇସାରେ ୧ ଟଙ୍କା ଦେବାକୁ ଥିଲା। ପୂର୍ବରୁ ୧୬ ଅଣା ଅର୍ଥାତ ୬୪ ପଇସାରେ ଟଙ୍କାଟିଏ ହେଉଥିଲା। ନୂଆ ଦର ଲାଗୁହେବାର କିଛି ଦିନ ପୂର୍ବରୁ ନିର୍ବାଚନ ହୋଇଥିଲା। ବ୍ୟାଙ୍କଗୁଡ଼ିକ ବହୁ ଦିନ ଆଗରୁ ଟଙ୍କା ବଦଳାଇବା ଆରମ୍ଭ କରିଦେଇଥିଲେ ଏବଂ ବଡ଼ବଡ଼ ବ୍ୟବସାୟୀ ଏପ୍ରିଲ ୧ରୁ ଲାଗୁହେବାକୁ ଥିଲେ ମଧ୍ୟ ଆଗରୁ ଟଙ୍କା ବ୍ୟାଙ୍କରୁ ବଦଳ କରି ଆଣିଥିଲେ। ନୂଆ ଟଙ୍କା ଥିରାନୀ ପକ୍ଷରୁ ବଣ୍ଟାଯିବା ପାଇଁ କଳାହାଣ୍ଡି ଅଣାଯାଇଥିଲା, ମାତ୍ର ନୂଆ ଟଙ୍କା ଓ ପଇସା ଲୋକେ ନେବାକୁ ମନାକଲେ। କେତେକ ସ୍ଥାନରେ ଅଚଳ ଟଙ୍କା କହି ପ୍ରତିବାଦ କଲେ ବୋଲି ଶୁଣାଯାଇଥିଲା। ଫଳତଃ ଥିରାନୀ ପକ୍ଷରୁ ଭୋଟ୍‌ କିଣାଯାଇପାରିଲା ନାହିଁ ଓ ନିର୍ବାଚନରେ ସେ ବହୁ ଭୋଟରେ ପରାସ୍ତ ହୋଇଗଲେ। ୧୯୫୭ ନିର୍ବାଚନରେ କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ପ୍ରତାପକେଶରୀ ଦେଓ (ଗଣତନ୍ତ୍ର ପରିଷଦ) ୧୭୪୯୨୦, ବିଜୟ ଚନ୍ଦ୍ର ପ୍ରଧାନ (ଗଣତନ୍ତ୍ର ପରିଷଦ) ୧୫୧୬୮୧ ଭୋଟ ପାଇଁ ନିର୍ବାଚିତ ହୋଇଥିବା ବେଳେ ଘନଶ୍ୟାମ ଦାସ ଥିରାନୀ (କଂଗ୍ରେସ) ୭୦୩୩୩, ଯୋଗେଶ୍ବର ମାଝୀ (କଂଗ୍ରେସ) ୫୮୫୭୭ ଓ ସ୍ବାଧୀନ ପ୍ରାର୍ଥୀ ସତ୍ୟନାରାୟଣ ଜୈନ ୧୬୪୪୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ।

-ରାଜେଶ ଅଗ୍ରୱାଲ
ଅତାବିରା, ବରଗଡ଼, ଫୋନ-୯୪୩୮୨୧୪୮୭୧

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।