ସ୍ବାଧୀନତୋତ୍ତର ଓଡ଼ିଶାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ବିଶ୍ବନାଥ ଦାସ। (ପୂର୍ବ ପ୍ରକାଶିତ ଉତ୍ତାରୁ…)
ପଞ୍ଚମ ବିଧାନସଭା (୧୯୭୧) ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଦୁଇ ଭାଗ ହୋଇ ଜଗଜ୍ଜୀବନ ରାମଙ୍କ ସଭାପତିତ୍ବରେ କଂଗ୍ରେସ(ଆର୍) ବା ଶାସକ କଂଗ୍ରେସ ଓ ନିଜଲିଙ୍ଗାପ୍ପାଙ୍କ ନେତୃତ୍ବାଧୀନ କଂଗ୍ରେସ(ଓ) ବା ସଂଗଠନ କଂଗ୍ରେସ ହୋଇଯାଇଥିଲା। କଂଗ୍ରେସ ଦଳରୁ ବାହାରି ବିଜୁ ପଟ୍ଟନାୟକ ‘ଉତ୍କଳ କଂଗ୍ରେସ’ ଦଳ ଗଠନ କରିଥିଲେ। ‘ଜନ-କଂଗ୍ରେସ’ ଦଳ ମଧ୍ୟ ଭାଙ୍ଗି ଯାଇଥିଲା ଓ ବହୁ ସମର୍ଥକଙ୍କୁ ଆଣି ହରେକୃଷ୍ଣ ମହତାବ ଇନ୍ଦିରା ଗାନ୍ଧିଙ୍କ ଶାସକ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ଏବଂ ତାଙ୍କ ନେତୃତ୍ବରେ ଓଡ଼ିଶାରେ ଶାସକ କଂଗ୍ରେସ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ଲଢ଼ିଥିଲେ। କେତେ ନିର୍ବାଚନମଣ୍ଡଳୀରେ ଶାସକ କଂଗ୍ରେସ ପ୍ରାର୍ଥୀ ଦେଇ ନଥିଲା ଓ ସେ ମଧ୍ୟରେ ଥିଲା ରାଜେନ୍ଦ୍ର ନାରାୟଣ ସିଂହଦେଓ (ସ୍ବତନ୍ତ୍ର) ଲଢ଼ୁଥିବା ବଲାଙ୍ଗୀର ଏବଂ ସିଂହଦେଓଙ୍କ ଅତି ନିକଟତର ସହଯୋଗୀ ଅଇଁଠୁ ସାହୁ (ପାଟଣାଗଡ଼) ଏବଂ ରାଧାମୋହନ ମିଶ୍ର (ତୁଷରା)। ବିଧାନସଭା ନିର୍ବାଚନରେ ଶାସକ କଂଗ୍ରେସ ୫୧, ସ୍ବତନ୍ତ୍ର ୩୬, ଉତ୍କଳ କଂଗ୍ରେସ ୩୩, ପିଏସ୍ପି୪, ସିପିଆଇ ୪, ସିପିଆଇ (ଏମ୍)୨, ସଂଗଠନ କଂଗ୍ରେସ ୧, ଜନ କଂଗ୍ରେସ ୧, ଝାଡ଼ଖଣ୍ଡ ୪ ଓ ୪ ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।
ପଦରେ ଥାଇ ଉପନିର୍ବାଚନ ଲଢ଼ିଥିଲେ ବିଶ୍ବନାଥ ଦାସ ଓ ବିନାୟକ ଆଚାର୍ଯ୍ୟ
ରାଉରକେଲାରୁ ଜିଣିଥିଲେ ବିଶ୍ବନାଥ ଦାସ
କୌଣସି ଦଳ ସଂଖ୍ୟାଗରିଷ୍ଠ ନ ହେବାରୁ ଶାସକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ହରେକୃଷ୍ଣ ମହତାବ ସରକାର ଗଠନ ଉଦ୍ୟମ କଲେ, ମାତ୍ର ସଫଳ ନ ହେବାରୁ ସ୍ବତନ୍ତ୍ର-ଉତ୍କଳ କଂଗ୍ରେସ-ଝାଡ଼ଖଣ୍ଡ ଦଳ ମିଳିତ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣାଓଟରା ହେବାରୁ ସଭ୍ୟ ନ ଥିବା ଜଣେ ନିର୍ଦ୍ଦଳୀୟ ବ୍ୟକ୍ତି ବିଶ୍ବନାଥ ଦାସଙ୍କୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ପଦରେ ମନୋନୀତ କରାଗଲା। ଶ୍ରୀ ଦାସ ପଦରେ ୯ ଏପ୍ରିଲ ୧୯୭୧ରେ ଶପଥ ନେଇ ମନ୍ତ୍ରିମଣ୍ଡଳ ଗଠନ କଲେ। ବିନାୟକ ଆଚାର୍ଯ୍ୟ ବିରୋଧୀ ଦଳ ନେତା ଭାବରେ ୪ ମଇ ୧୯୭୧ରୁ କାର୍ଯ୍ୟ ସମ୍ଭାଳିଲେ। ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ବିଧାନସଭା ସଭ୍ୟ ନଥିବାରୁ ରାଉରକେଲାରୁ ଉପନିର୍ବାଚନ ଲଢ଼ିଲେ। ଏହି ବିଧାନସଭା ଉପନିର୍ବାଚନର ବିଶେଷତ୍ବ ହେଲା ପଦରେ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା ପରସ୍ପର ବିରୋଧରେ ଲଢ଼ିଥିଲେ। ମୁଖ୍ୟମନ୍ତ୍ରୀ ଲଢ଼ିଥିଲେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ। ସମର୍ଥନ ଦେଇଥିଲେ ଉତ୍କଳ କଂଗ୍ରେସ, ସ୍ବତନ୍ତ୍ର ଓ ଝାଡ଼ଖଣ୍ଡ ପାର୍ଟି। ବିରୋଧୀଦଳ ନେତା ବିନାୟକ ଆଚାର୍ଯ୍ୟ ଥିଲେ ଶାସକ କଂଗ୍ରେସ ଦଳର ପ୍ରାର୍ଥୀ। ନିର୍ବାଚନ ଥିଲା ରାଉରକେଲା ବିଧାନସଭା ଉପନିର୍ବାଚନ। ପଞ୍ଚମ ବିଧାନସଭା (୧୯୭୧)ରେ ଏକ ସଙ୍ଗେ ବାଲେଶ୍ବର ଲୋକସଭା ଓ ରାଉରକେଲା ବିଧାନସଭା ଶାସକ କଂଗ୍ରେସ ପ୍ରାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ଜିଣି ବିଧାନସଭା ସଭ୍ୟପଦ ଛାଡ଼ିଦେବାରୁ ଉପନିର୍ବାଚନ ହୋଇଥିଲା।
୮ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିଲେ। ସେମାନେ ହେଲେ ବିଶ୍ବନାଥ ଦାସ (ସ୍ବାଧୀନ, ୨୧୩୦୮ ଭୋଟ୍), ବିନାୟକ ଆଚାର୍ଯ୍ୟ (ଶାସକ କଂଗ୍ରେସ, ୧୯୪୫୬ ଭୋଟ୍), ବନବିହାରୀ ଜେନା (ସୋସାଲିଷ୍ଟ, ୨୧୫୩ ଭୋଟ), ବାବୁଲାଲ କୁମର (ସ୍ବାଧୀନ, ୫୦୨ ଭୋଟ), ସୁରେନ୍ଦ୍ର ନାଥ ମୁଦୁଲି (ସିପିଏମ୍, ୧୪୮୧ ଖଣ୍ଡ), ବଟକୃଷ୍ଣ ପଣ୍ଡା (ସ୍ବାଧୀନ, ୪୫୧ ଖଣ୍ଡ) ଓ ସିଡି ଲାଗୁନ (ସ୍ବାଧୀନ, ୫୪୮୨ ଖଣ୍ଡ ଭୋଟ)। ତେବେ ସର୍ବାଧିକ ଭୋଟ ପାଇ ବିଶ୍ବନାଥ ଦାସ ନିର୍ବାଚିତ ହେଲେ।
ବିଶ୍ବନାଥ ଦାସଙ୍କ ରାଜନୈତିକ କ୍ୟାରିୟର
ବିଶ୍ବନାଥ ଦାସ ଓ ବିନାୟକ ଆଚାର୍ଯ୍ୟ ଉଭୟେ ଗଞ୍ଜାମ ଜିଲ୍ଲାର, ବ୍ୟକ୍ତିଗତ ସ୍ତରରେ ଉତ୍ତମ ବନ୍ଧୁ ମଧ୍ୟ। ନିର୍ବାଚନ ସମୟରେ ୮୩ ବର୍ଷ ହୋଇଥିବା ବୃଦ୍ଧ ବିଶ୍ବନାଥ ଦାସ ଜଣେ ସ୍ବାଧୀନତା ସଂଗ୍ରାମୀ, ୧୯୨୦ରେ ଗଞ୍ଜାମ ଜିଲ୍ଲାବୋର୍ଡ଼, ୧୯୩୧ରେ ମାନ୍ଦ୍ରାଜ ବିଧାନ କାଉନ୍ସିଲ, ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ (୧୯ ଜୁଲାଇ ୧୯୩୭- ୪ ନଭେମ୍ବର ୧୯୩୯) ଥିଲେ। ୧୯୩୭ ପ୍ରାକ୍ ନିର୍ବାଚନ ଘୁମସର ନିର୍ବାଚନମଣ୍ଡଳୀରୁ ଜିଣିଥିଲେ। ୧୯୪୬ରେ ଅନୁଷ୍ଠିତ ପ୍ରାକ୍ ସ୍ବାଧୀନତା ୨ୟ ବିଧାନସଭା ଆଇନଗତ ସମସ୍ୟା ଯୋଗୁ ଲଢ଼ି ପାରିଲେ ନାହିଁ। କାରଣ ଥିଲା, ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଉମାଚରଣ ପଟ୍ଟନାୟକ ୧୯୪୨ରେ ଉପନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କ ଏଜେଣ୍ଟ ଭାବରେ କାର୍ଯ୍ୟକରି ନିର୍ବାଚନ ଆଇନକୁ ନ ମାନିଥିବା ଯୋଗୁ ନିର୍ବାଚନ ଟ୍ରିବୁନାଲ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ନିର୍ବାଚନ ଆଇନ ଭଙ୍ଗ ଆଭିଯୋଗରେ ୧୯୪୩ ମସିହା ଅଗଷ୍ଟ ୨୮ ତାରିଖରୁ ବିଧାନସଭା ସଭ୍ୟ ପଦ ପାଇଁ ୬ ବର୍ଷ ସକାଶେ ଅଯୋଗ୍ୟ ବିବେଚିତ ହୋଇଥିଲେ। କେନ୍ଦ୍ରରେ କାର୍ଯ୍ୟକାରୀ ସଂସଦ ଗଠନରେ ସେ ଓଡ଼ିଶାର ପ୍ରତିନିଧି ରହିଲେ, ପରେ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୬ ଏପ୍ରିଲ ୧୯୬୨-୩୦ ଏପ୍ରିଲ ୧୯୬୭) ପଦ ସମ୍ଭାଳିଲେ।