ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ…: ବନ୍ଦୀ ଥିଲେ ଗଜପତି, ତଥାପି ହୋଇଥିଲା ରଥଯାତ୍ରା

ପୁରୀ : ମହାପ୍ରଭୁଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ଆଦ୍ୟ ସେବକ ଭାବେ ଗଜପତିଙ୍କ ଛେରାପହଁରା ଓ ପ୍ରାର୍ଥନା ପରେ ବଡ଼ଦାଣ୍ଡରେ ତିନିରଥ ଗଡ଼ିବାର ପରମ୍ପରା ରହିଛି। କିନ୍ତୁ, ଏମିତି ବି ସମୟ ଆସିଛି, ଗଜପତିଙ୍କ ଅନୁପସ୍ଥିତିରେ ବି ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି। ବଡ଼ଦାଣ୍ଡରେ ରଥ ଗଡ଼ିଛି ଓ ଶୃଙ୍ଖଳିତ ରଥଯାତ୍ରା ଶେଷ ହୋଇଛି। ବ୍ରିଟିସ ସରକାରଙ୍କ ରଥଯାତ୍ରା ସମୀକ୍ଷା ରିପୋର୍ଟରେ ଏସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି।

୧୮୭୮ ମସିହାର ଘଟଣା। ସେ ସମୟରେ ପୁରୀ ରାଜାଙ୍କୁ ଦ୍ବୀପାନ୍ତର ଦଣ୍ଡ ହୋଇଥିଲା। ରାଜା ପୁରୀ ବାହାରେ ବନ୍ଦୀ ଜୀବନ ବିତାଉଥିଲେ। ତଥାପି ବିଶ୍ବନିଅନ୍ତାଙ୍କ ରଥଯାତ୍ରା ନୀତିକାନ୍ତି ତଥା ପର୍ବାଦିରେ କୌଣସି ବିଘ୍ନ ଘଟିନଥିଲା। ସେସମୟରେ ରାଜାଙ୍କ ମାତା ସ୍ବୟଂ ମନ୍ଦିରର ସମସ୍ତ ବିଷୟ ବୁଝୁଥିଲେ। ଏଣୁ ରାଜାଙ୍କ ଅନୁପସ୍ଥିତିରେ ତାଙ୍କ ମାତାଙ୍କ ତତ୍ତ୍ବାବଧାନରେ ପୂର୍ବାପେକ୍ଷା ରଥଯାତ୍ରାର ନୀତି ଭଲ ହୋଇଥିଲା। ଯଥା ସମୟ ଓ ନିୟମିତ ପ୍ରଥାରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା। କିନ୍ତୁ, ପ୍ରଜାମାନେ ରାଜାଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲେ। ରାଜାଙ୍କ ଉପରେ ବିପଦ ପଡ଼ିବାରୁ ଏହି ରଥଯାତ୍ରାରେ ପ୍ରଜା ଓ ରଥ ନିର୍ମାଣକାରୀମାନେ ସେଭଳି ଉତ୍ସାହ ଦେଖାଇ ନଥିଲେ। ଯେଉଁଥିପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଥିଲା। ସ୍ଥାନୀୟ ହାକିମ ଓ ଭଦ୍ରଲୋକଙ୍କ ତତ୍ତ୍ବାବଧାନରେ ରଥ ନିର୍ମାଣ ହୋଇଥିଲା। ଯେହେତୁ ରାଜା ଦ୍ବୀପାନ୍ତର ଦଣ୍ଡ ଭୋଗୁଥିଲେ, ଭକ୍ତ ସଂଖ୍ୟା ବି ରଥଯାତ୍ରାରେ ବହୁ ନଗଣ୍ୟ ଥିଲା। ଅନ୍ୟବର୍ଷ ତୁଳନାରେ ଏକ ତୃତୀୟାଂଶ ଭକ୍ତ ଏହି ବର୍ଷ ରଥଯାତ୍ରାକୁ ଆସିଥିଲେ। ସ୍ବଦେଶ ଓ ବିଦେଶୀ ଭକ୍ତ ମିଶି ପ୍ରାୟ ୨୦ହଜାର ଭକ୍ତ ଏହି ରଥଯାତ୍ରାରେ ଏକାଠି ହୋଇଥିଲେ।

ପୂର୍ବରୁ କେବେ ବି ଏତେ କମ୍‌ ସଂଖ୍ୟାରେ ଭକ୍ତ ରଥଯାତ୍ରାରେ ଦେଖିବାକୁ ମିଳିନଥିଲା। ବ୍ରିଟିଶ ସରକାର ବି ସେ ସମୟରେ ରାଜାଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲା। ଲୋକେ ବି ରାଜାଙ୍କ ଅନୁପସ୍ଥିତିରେ ନିଜକୁ ଅସୁରକ୍ଷିତ ମଣି ଘରୁ ବାହାରିବାକୁ ସାହସ ଜୁଟାଇ ପାରୁନଥିଲେ। ଏହି ରଥଯାତ୍ରାରେ ବଙ୍ଗ ଦେଶର ଭକ୍ତଙ୍କ ସଂଖ୍ୟା ଅଧିକ ରହିଥିଲା। ଏହି ବର୍ଷ କୌଣସିଠାରେ ବିଶେଷ ଅନ୍ନକଷ୍ଟ କି ଓଡ଼ିଶାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା। ଗଜପତିଙ୍କ ଅନୁପସ୍ଥିତିକୁ ପ୍ରଜାମାନେ ମହାପ୍ରଭୁଙ୍କ ଅନୁପସ୍ଥିତି ବୋଲି ଭାବି ନେଇଥିଲେ। ରାଜାଙ୍କ ସହ ଶ୍ରୀଜଗନ୍ନାଥ ବି ଶ୍ରୀକ୍ଷେତ୍ରରେ ନାହାନ୍ତି ବୋଲି ଅନେକଙ୍କ ବିଶ୍ବାସ ଥିଲା। ଏଣୁ ଏହିବର୍ଷର ଦର୍ଶନରେ ସମ୍ପୂର୍ଣ୍ଣ ଫଳ ମିଳିବନି ବୋଲି ଭକ୍ତ ତଥା ପ୍ରଜାମାନେ ଭାବି ନେଇଥିଲେ। କେହି ରାଜା ନାହାନ୍ତି, ରଥଯାତ୍ରା ହେବନି ଭାବି ବି କେତେକ ଭକ୍ତ ଆସିନଥିଲେ। କିନ୍ତୁ, ଏହି ବର୍ଷର ରଥଯାତ୍ରା ଯଥାରୀତି ସମ୍ପନ୍ନ ହୋଇଥିବାରୁ ସେତେବେଳର ମାଜିଷ୍ଟ୍ରେଟ ଆର୍ମଷ୍ଟ୍ରଙ୍ଗ ସାହେବ ବିଶେଷ ପ୍ରଶଂସାର ପାତ୍ର ହୋଇଥିଲେ। କାରଣ ସେ ନିଜେ ରଥ ପାଖରେ ରହିବା ସହ ନିଜର ଡେପୁଟି କଲେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରି ରଥଯାତ୍ରା ସୁରୁଖୁରରେ ସମ୍ପନ୍ନ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ। ଯେଉଁଥିପାଇଁ ଦୁଇପ୍ରହର ସୁଦ୍ଧା ଠାକୁରମାନେ ରଥରେ ବିଜେ କରିଥିଲେ ଓ ରଥଟଣାର ଦୁଇଦିନ ଭିତରେ ସମସ୍ତ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲା। କୌଣସି କାର୍ଯ୍ୟରେ ବିଶୃଙ୍ଖଳା ବା କୌଣସି ଦୁର୍ଘଟଣା ହୋଇନଥିଲା। ତଥାପି ଏହି ବର୍ଷ ଅନେକ ଲୋକେ ଅଜଣା ରୋଗରେ ମୃତ୍ୟୁମୁଖରେ ପଡ଼ିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।