ଭୁବନେଶ୍ୱର ୨୪।୧୧ : ଖୋଲୁଛି ନାଗ ପେଡି । ଫଶୁଛନ୍ତି ବଡ଼ ବଡ଼ ଚେହେରା । ଫିଲ୍ମ ପ୍ରଯୋଜକ, କାର୍ ସୋରୁମ୍ ମାଲିକ, ସହଯୋଗୀଙ୍କୁ ଜେରା ସରିଲାଣି । ଏବେ ଆଗକୁ କାହା ପାଳି ? ରାଜନେତା ନା ବ୍ୟବସାୟୀ ନା ଓକିଲ ନା ଆଉ କିଏ । ତାହା ଦେଖିବାକୁ ବାକି ରହିଲା ।
ଖବର ଅନୁଯାୟୀ, ଝାରପଡ଼ା ଜେଲ୍ରେ ଅଛନ୍ତି ଅର୍ଚ୍ଚନା ନାଗ । ବାହାରେ ଇଡି କରୁଛି ଖୋଳତାଡ଼ । ଯେବେଠୁ ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ନେଇ ଛାନ୍ଭିନ୍ କରୁଛି ଇଡି । ସେବେଠୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ଖଗେଶ୍ୱର, କାର୍ ସୋରୁମ୍ ମାଲିକଙ୍କୁ ଜେରା କରିସାରିଲାଣି ଇଡି । ସମସ୍ତଙ୍କ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ହେଲେ ଏଠି କଥା ଆସୁଛି ଯେ, ଆଗକୁ କାହାକୁ ଯିବ ଇଡିର ସମନ । କିଏ ହାଜର ହେବ ଇଡି ଅଫିସର । କିଛି ରାଜନେତା ଓ ବିଶିଷ୍ଠ ବ୍ୟକ୍ତି ଇଡିରେ ହାଜର ହୋଇପାରନ୍ତି ।
ତେବେ ଜେରା ହୋଇଥିବା ଲୋକମାନେ ଅର୍ଚ୍ଚନାଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିବା ସୂଚନା ମିଳିଛି । ଯାହାକୁ ଆଧାର କରି ପରବର୍ତ୍ତୀ ତାଲିକା ପ୍ରସ୍ତୁତ କରୁଛି ଇଡି । ଖୁବଶୀଘ୍ର ସେମାନଙ୍କ ପାଖକୁ ଯିବ ଇଡିର ନୋଟିସ୍ ।