ଲଣ୍ଡନ ୦୬।୦୭: ଇଂଲଣ୍ଡ କ୍ରିକେଟ୍ ଦଳକୁ ଲାଗିଲା ବଡ ଝଟକା। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜର ଦୁଇ ଦିନ ପୂର୍ବରୁ ତିନି ଖେଳାଳି ଓ ଚାରି ସପୋର୍ଟ ଷ୍ଟାଫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ଜୁଲାଇ ୮ରୁ ଆରମ୍ଭ ହେଉଛି। କିନ୍ତୁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ ବୋର୍ଡ(ଇସିବି) ଅନୁଯାୟୀ, ସିରିଜ୍ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ହିସାବରେ ଖେଳାଯିବ। ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେନ ଷ୍ଟୋକ୍ସଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି।
ଇସିବି କହିଛି, ଯେଉଁ ଖେଳାଳି କରୋନା ପଜିଟିଭ୍ ସେମାନେ ପ୍ରୋଟୋକଲ ଅଧାରରେ ସେଲ୍ଫ ଆଇସୋଲେସନରେ ରହିବେ। ଦଳର ଅନ୍ୟ ଖେଳାଳି ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନେ ମଧ୍ୟ ସଙ୍ଗରୋଧରେ ରହିବେ। କିନ୍ତୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଇସିବି କହିଛି। ବେନ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଘରୋଇ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ।
ଇସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ ହାରିସନ କହିଛନ୍ତି, ଆମେ ଏହାକୁ ଧ୍ୟାନରେ ରଖିବାକୁ ପଡିବ ଯେ, ଡେଲ୍ଟା ଭାରିଏଣ୍ଟ ଆସିବା ସହିତ ବାୟୋ ବବଲରେ କୋହଳ ପରେ ବିପଦ ବଢି ଯାଇଛି। ଆମେ ଖେଳାଳି ଓ ସହାୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରୋଟୋକଲ ତିଆରି କରୁଛି। ସେ କହିଛନ୍ତି, ଗତ ୧୪ ମାସ ହେବ ଜଟିଳ ପରିସ୍ଥିତିରେ ସମସ୍ତ ଖେଳାଳି ଏବଂ ଅନ୍ୟ କର୍ମଚାରୀ ବହୁତ ସମର୍ଥନ ଦେଇଛନ୍ତି। ଆମେ ପାକ୍ ବିପକ୍ଷ ସିରିଜ୍ ପାଇଁ ଦ୍ଵିତୀୟ ଟିମ୍ ତିଆରିରେ ଜୁଟି ଯାଇଛୁ ବୋଲି ହାରିସନ କହିଛନ୍ତି।
ଇସିବି ଏବେ ସିରିଜ୍ ପାଇଁ ନୂତନ ଦଳ ଘୋଷଣା କରିବ। ବେନ ଷ୍ଟୋକ୍ସଙ୍କୁ ପ୍ରଥମରୁ ହିଁ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ କରାଯାଇଛି। ଦିନିକିଆ ମ୍ୟାଚ୍ ଜୁଲାଇ ୮, ଜୁଲାଇ ୧୦ ଓ ଜୁଲାଇ ୧୩ରେ ଖେଳାଯିବ। ସେହି ପରି ଟି-୨୦ ମୁକାବିଲା ଜୁଲାଇ ୧୬, ୧୮ ଓ ଜୁଲାଇ ୨୯ରେ ଖେଳାଯିବ।