ରାଜ୍ୟ ସ୍ପେଶାଲ ରିପୋର୍ଟ

ଆୱାରନେସ୍ ସମବାୟ ସମିତି ନାଁରେ ସାଂଘାତିକ ଅଭିଯୋଗ; ଋଣ ପରିଶୋଧ ପରେ ବି ଆଦାୟ ନୋଟିସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାସ୍ଥ ଆୱାରନେସ୍ ସମବାୟ ସମିତି ନାମରେ ଆସିଛି ସାଂଘାତିକ ଅଭିଯୋଗ। କିଛି ଲୋକଙ୍କୁ ଋଣ ନଦେଇ ଓ କିଛି ଲୋକ ଋଣ ପରିଶୋଧ କରିବା ପରେ ମଧ୍ୟ ଆଦାୟ ପାଇଁ ଲୋକ ଅଦାଲତ ଜରିଆରେ ଜାରି କରିଛି ନୋଟିସ। ଏହାକୁ ନେଇ ଶନିବାର ସୁନ୍ଦରଗଡ଼ ଜିଲ୍ଲା କୋର୍ଟ ପରିସରରେ ପୀଡ଼ିତ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଥିଲା।

ଅଭିଯୋଗ ହୋଇଛି, ଆୱାରନେସ ସମବାୟ ସମିତି ତରଫରୁ ଜିଲ୍ଲାର ଗ୍ରାମାଞ୍ଚଳର ବହୁ ମହିଳା ଓ ପୁରୁଷଙ୍କୁ ଋଣ ପରିଶୋଧ କରି ନଥିବା ନେଇ ଅଭିଯୋଗ ଆଣି ଲୋକ ଅଦାଲତ ଜରିଆରେ ନୋଟିସ ଜାରି କରିଥିଲା। ନୋଟିସ ପାଇ ବିଭିନ୍ନ ସ୍ଥାନରୁ ୩୦ରୁ ଅଧିକ ଲୋକ ଅଦାଲତକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଋଣ ନେଇ ପରିଶୋଧ କରିସାରିଥିଲେ ମଧ୍ୟ କାହାକୁ ୫୬ ହଜାର ତ ଆଉ କାହାକୁ ୨୮ ହଜାର ଟଙ୍କା ପରିଶୋଧ ପାଇଁ ନୋଟିସ କରାଯାଇଥିବା ଅଭିଯୋଗ କରିଥି‌ଲେ। କିଛି ଲୋକ ଋଣ ନେଇ ନଥିଲେ ମଧ୍ୟ ନୋଟିସ ଆସିଥିବା ପ୍ରକାଶ କରିଥିଲେ। ଏପରିକି ସଂସ୍ଥାରେ ସଞ୍ଚୟ ଖାତା ଖୋଲିଥିବା ‌ଲୋକଙ୍କ ନାମରେ ମଧ୍ୟ ଋଣ ଆଦାୟ ନୋଟିସ ଆସିଥିବା ଅଭିଯୋଗ ହୋଇଛି।

ବଣାଇ ବ୍ଲକ୍‌ କେନାଭଟାର ସୀମା ବାଗଙ୍କ କହିବା ଅନୁସାରେ, ସେ ମାତ୍ର ୨ ହଜାର ଟଙ୍କାର ଋଣ ନେଇଥିଲେ। ଯାହାକୁ ସେ ପରିଶୋଧ କରି ଦେଇଛନ୍ତି। କିନ୍ତୁ ସଂସ୍ଥା ଥରେ ବି ଏ ସଂକ୍ରାନ୍ତରେ କୌଣସି ନୋଟିସ କି ସୂଚନା ନଦେଇ ହଠାତ ଲୋକ ଅଦାଲତ ଜରିଆରେ ୨୮୩୨୩ ଟଙ୍କା ପରିଶୋଧ କରିବାକୁ ନୋଟିସ ଜାରି କରିଛନ୍ତି। ସେହିପରି ସେହି ଗାଁର ସଂଯୁକ୍ତା କିସାନ ୫ ହଜାର ଟଙ୍କା ଋଣ ନେଇ ପରିଶୋଧ କରି ଦେଇଥିଲେ ମଧ୍ୟ ତାଙ୍କୁ ୫୬୦୯୨ ଟଙ୍କା ପରିଶୋଧ ନୋଟିସ ଆସିଥିବା ପ୍ରକାଶ କରିଛନ୍ତି। ସବୁଠାରୁ ରୋଚକ କଥା ହେଲା, ୨୦୦୬ ମସିହାରେ ଜନ୍ମ ଗ୍ରହଣ କରିଥିବା କାପୁଟିକ୍ରାର ଜଣେ ୧୮ ବର୍ଷିୟ ଯୁବକ ଅରୁଣ ମୁଣ୍ଡାଙ୍କୁ ଋଣ ନେଇ ପରିଶୋଧ କରିନଥିବା ଦର୍ଶାଇ ୩୫ ହଜାର ଟଙ୍କାର ନୋଟିସ ଜାରି ହୋଇଛି। ବଣାଇ କେନାଭଟାର କେତକୀ କିସାନ ସଂସ୍ଥାରେ ଗତ ୨୦୦୬ରେ ଏକ ସଂଚୟ ଖାତା ଖୋଲି ଟଙ୍କା ଜମା କରିଥିଲେ। ସେ ଆଦୌ ଋଣ ନେଇ ନଥିବା ବେଳେ ତାଙ୍କ ନାମରେ ୧୭୦୭୧ ଟଙ୍କାର ପରିଶୋଧ ନୋଟିସ ଆସିଥିବା ଅଭି‌ଯୋଗ କରିଛନ୍ତି।

ସେହିପରି କାପୁଟିକ୍ରାର ଜନ୍ମ କିସାନଙ୍କୁ ୨୬୧୩୩ ଟଙ୍କା, ଶିରା କିସାନଙ୍କୁ ୬୩୯୦ ଟଙ୍କା, ମୋହନ କିସାନଙ୍କୁ ୨୫୦୭୬ ଟଙ୍କା, ନରେଶ କିସାନଙ୍କୁ ୬୯୪୫ ଟଙ୍କା, ଡାଲିମ୍ବ କିସାନଙ୍କୁ ୪୪୩୨ ଟଙ୍କା, ଯମୁନା ସଂକ୍ରିଆଙ୍କୁ ୬୫୫୩ ଟଙ୍କା, କେପସେର ଗଜେନ୍ଦ୍ର ମାଝୀଙ୍କୁ ୧୭୦୨୮ ଟଙ୍କା, ବଣାଇ କେନାଭଟାର ସୁଲ କିସାନଙ୍କୁ ୯୭୪୭ ଟଙ୍କା, ମଧୁସୂଦନ କିସାନଙ୍କୁ ୩୨୧୫୩ ଟଙ୍କା, କିରିପସିରାର ଅର୍ଜୁନ ମୁଣ୍ଡାଙ୍କୁ ୧୭୫୨୧ ଟଙ୍କା, ତିଲେଇମାଲର ଗୋପାଳ କିସାନଙ୍କୁ ୨୧୦୫୪ ଟଙ୍କା, ଲୀଲା ପାତ୍ରଙ୍କୁ ୧୦୯୩୬ ଟଙ୍କା, ବଳଭଦ୍ର କିସାନଙ୍କୁ ୧୨୫୭୮ ଟଙ୍କା, କେନ୍ଦୁଧୁଡ଼ାର ହରିଚନ୍ଦ୍ର କିସାନଙ୍କୁ ୧୯୩୫୨ ଟଙ୍କା, ଯଶୋବନ୍ତି ସାଏଙ୍କୁ ୯୬୭୬ ଟଙ୍କା, ଯଶୋଦା ମିଞ୍ଜଙ୍କୁ ୧୨୩୮୬ ଟଙ୍କା, ପ୍ରଶାନ୍ତ ପ୍ରଧାନଙ୍କୁ ୧୪୪୭୫ ଟଙ୍କା, ସତ୍ରି ସାଇନଙ୍କୁ ୧୦୨୮୮ ଟଙ୍କା, ଖୁଣ୍ଟମୁଣ୍ଡାର ରବିରତ୍ନ ମହାନନ୍ଦିଆଙ୍କୁ ୧୦୨୨୩ ଟଙ୍କାର ନୋଟିସ ଆସିଥିଲା। କିଏ ୨ ହଜାର, କିଏ ୫ ହଜାର ଋଣ ନେଇ ପରିଶୋଧ କରି ଦେଇଥିଲେ ମଧ୍ୟ ଏ ନୋଟିସ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି ବୋଲି କହିଛନ୍ତି। ଏ ନେଇ ଲୋକ ଅଦାଲତରେ ଉପସ୍ଥିତ ସଂସ୍ଥାର ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ ପ୍ରତିକ୍ରିୟା ଦେବାକୁ ସିଧାସିଧା ମନା କରିଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।