ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ସେହି ମୃତଦେହଗୁଡ଼ିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ।
ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଛନ୍ତି। ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ମୃତଦେହକୁ ନିଜ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ମାଗଣାରେ ମୃତଦେହ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଲୋକ ଚାହିଁଲେ ହସ୍ପିଟାଲ ସହ ଯୋଗାଯୋଗ କରି ମାଗଣା ସେବା ପାଇପାରିବେ। କେବଳ ଜିଲ୍ଲାକୁ ନୁହେଁ ଗାଁରେ ଯାଇ ପହଞ୍ଚିବ ମୃତଦେହ। ପୂର୍ବରୁ ମଧ୍ୟ ଏ ବ୍ୟବସ୍ଥା କରାଯାଇଥିଲା।