ରାଜ୍ୟ ସ୍ୱାସ୍ଥ୍ୟ

‘ଆସନ୍ତା ୪ ସପ୍ତାହ ଗୁରୁତ୍ବପୂର୍ଣ୍ଣ’: ଚତୁର୍ଥ ଲହର ଭୟ ପାଇଁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଦିଲ୍ଲୀ‌ରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଓ ଦେଶରେ ସଂକ୍ରମଣର ‘ଆର୍’ ଭ୍ୟାଲୁ ୧ ଟପିବା ପରେ ଚତୁର୍ଥ ଲହର ଭୟ ଦେଖାଦେଇଛି। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଯଦିଓ ଓଡ଼ିଶାର ସ୍ଥିତି ଏବେ ଭଲ ରହିଛି, ତଥାପି ଆସନ୍ତା ୪ ସପ୍ତାହ ରାଜ୍ୟ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଲୋକମାନେ ମାସ୍କ ପିନ୍ଧିବା ସହିତ ସତର୍କତା ଅବଲମ୍ବନ କରନ୍ତୁ।

ଡା.ମହାପାତ୍ର ଆହୁରି କହିଛନ୍ତି, ପୂର୍ବରୁ ଆସିଥିବା କରୋନାର ଲହରଗୁଡ଼ିକରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ପ୍ରାୟ ୩/୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢ଼ିଥାଏ। ଏ ସମୟ ଏଯାଏ ଆସିନାହିଁ। ଏଣୁ ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯିବା ଜରୁରୀ। ଯଦି ରାଜ୍ୟରେ ସଂକ୍ରମଣ ବଢ଼ିବା ଆରମ୍ଭ କରେ ତାହାଲେ ହସ୍ପିଟାଲ ଓ ଚିକିତ୍ସା ପଦ୍ଧତିରେ ପରିବର୍ତନ କରାଯିବ। ଲୋକମାନେ ଯଦି ଏବେଠାରୁ ସଚେତନ ନ ହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନ କରନ୍ତି ତାହାଲେ ଓଡ଼ିଶାରେ ମଧ୍ୟ ଦିଲ୍ଲୀ ଭଳି ସ୍ଥିତି ଉପୁଜିପାରେ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ସହିତ କୌଣସି ଜରୁରୀ କାମ ନ ଥିଲେ ଭିଡ଼କୁ ନ ଯିବାକୁ ଡା.ମହାପାତ୍ର ପରାମର୍ଶ ଦେଇଛନ୍ତି। ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦେଶକ ସଂକ୍ରମଣ ସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସବୁ ଜିଲ୍ଲାମାନଙ୍କୁ ଚିଠି ଲେଖି ସାରିଛନ୍ତି।

ଏପଟେ କୋଭିଡ ପ୍ରତିଷେଧକ ଚିକିତ୍ସା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି ଜାରି ହୋଇଛି। ଏହାକୁ ଆୟୁଧ କରି ରାଜ୍ୟ ସରକାର ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଆଉ ଗୋଟିଏ ଚିଠି ଦେଇଛନ୍ତି। କୋଭିଡ ଚିକିତ୍ସା କିଭଳି ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ଏଥିରେ କୁହାଯାଇଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଔଷଧ କିଭଳି ଲୋକମାନେ ପାଇପାରିବେ ତାହା ସଂପର୍କରେ ସଚେତନ କରାଯିବ। ଏଥିରେ ଆୟୁଷ-୬୪, କବାସୁର କୁଡନିର, ସମ୍‌ସନି ବଟି/ଗୁଡ଼ୁଚି ଘନ ବଟି, ଆୟୁରକ୍ଷା କିଟ୍‌ ରହିଛି। କରୋନାର ଦ୍ବିତୀୟ ଲହର ସମୟରେ ମଧ୍ୟ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଷେଧକ ଚିକିତ୍ସା ବ୍ୟବସ୍ଥା ଜାରି କରାଯାଇଥିଲା। ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଗତ ୨୪ଘଣ୍ଟାରେ ମାତ୍ର ୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୦.୦୪ ପ୍ରତିଶତ ରହିଛି। ଆଉ କୌଣସି ନୂଆ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇନାହିଁ। ଏହାସହ ଆଉ ୧୪ଜଣ କରୋନାରୁ ସୁସ୍ଥ ହୋଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୦କୁ ଖସି ଆସିଛି। ରାଜ୍ୟର ୧୩ଟି ଜିଲ୍ଲା ଏବେ କରୋନାମୁକ୍ତ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ