ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସନ୍ତା ୧୦ବର୍ଷ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ବଳ। ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେତେ‌ବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ୧ ନମ୍ବର ହେଉ ବୋଲି ନିଜର ଶେଷ କ୍ୟାବିନେଟ୍‌ରେ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ପରିବାରର ସେବା କରିବା ପାଇଁ ମନୋନୀତ ହୋଇଥିବାରୁ ଖୁସି ଅନୁଭବ କରୁଛି। ଆଗାମୀ ଦଶନ୍ଧି ହେଉଛି ଯୁବକମାନଙ୍କର। ଏହି ବର୍ଗକୁ ସର୍ବୋତ୍ତମ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସଂପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଯାହାଦ୍ବାରା ଯୁବକମାନେ ହିଁ ନୂଆ ଓଡ଼ିଶାର ନିର୍ମାଣ କରିବେ। ଓଡ଼ିଶା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଓ ଲୋକମାନଙ୍କ ପାଇଁ ସମୃଦ୍ଧି ଆଣିବ। ଆସନ୍ତା ୧୦ବର୍ଷରେ ଏକ ସଶକ୍ତ ଓଡ଼ିଶା ଗଠନ ହେବ; ଯାହା ଆଧୁନିକ, ଗତିଶୀଳ ହେବା ସହ ରାଜ୍ୟର ଯୁବକ, ମହିଳା ଓ ଶିଶୁ, ଉଦ୍ୟୋଗୀ, କୃଷକ ଓ ଆଦିବାସୀଙ୍କ ପାଇଁ ଉତ୍ତରଦାୟୀ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପୁରୁଣା ସ୍ମୃତି ମନେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ବାତ୍ୟାବିଧ୍ବସ୍ତ ଓ ଅନୁନ୍ନତ ଅବସ୍ଥାରେ ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ରାଜ୍ୟକୁ ବିକାଶ ପଥରେ ଫେରାଇ ଆଣିବାରେ ସମୟର ସବୁଠାରୁ ବଡ଼ ଆହ୍ବାନ ଥିଲା। ହେଲେ ସବୁ ଓଡ଼ିଆ ପରିବାର ସଦସ୍ୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଜୁ ବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଥିଲା। ଆଜି ଚିତ୍ର ବଦଳିଯାଇଛି। ଏବେ ଓଡ଼ିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ପାଲଟିଛି ଓ ଅନେକ କ୍ଷେତ୍ରରେ ଏକ ମଡେଲ୍‌ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୫ବର୍ଷ ରାଜ୍ୟ ସରକାର ୫-ଟି ନୀତି ଉପରେ ଆଧାରିତ ଥିଲା। ଓଡ଼ିଶାର ରୂପାନ୍ତରଣ ଓ ସମୃଦ୍ଧ ଦିଗରେ ଆଗେଇ ନେବାରେ ଏହି ଅବଧି ଏକ ମାଇଲଖୁଣ୍ଟ ଭାବେ ଇତିହାସରେ ସ୍ମରଣୀୟ ହୋଇରହିବ। ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ଭିତରେ ପ୍ରତିଫଳିତ ହୋଇଛି। ସ୍ବଚ୍ଛ ଶାସନ ଓ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଅଳ୍ପ ସମୟ ଭିତରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି।

୨୦୧୯ ମସିହାରେ ଦାୟିତ୍ବ ନେବା ବେଳର କଥା ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚଳିତ ସରକାର ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ୪୩ବର୍ଷ ପରେ ଏକ ଗ୍ରୀଷ୍ମକାଳୀନ ବାତ୍ୟାର ସମ୍ମୁଖୀନ ହୋଇଥିଲା। ବାତ୍ୟା ‘ଫନି’ ରାଜ୍ୟରେ ବ୍ୟାପକ କ୍ଷତି କରିଥିଲା। ମାତ୍ର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏହି ବାତ୍ୟାର ମୁକାବିଲା କରିବା ସହ ସଙ୍ଗେ ସଙ୍ଗେ ରିଲିଫ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆମେରିକା ନ୍ୟୁୟର୍କ ଟାଇମ୍‌ସ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲା। ବିଶ୍ବରେ ଦେଖାଦେଇଥିବା କୋଭିଡ୍‌ ମହାମାରୀ ପାଇଁ ଓଡ଼ିଶା ‌ନିଜକୁ ପ୍ରସ୍ତୁତ କରିବା ସହ କୋଭିଡ୍‌ ପରିଚାଳନାରେ ଏକ ମଡେଲ୍‌ ପାଲଟିଥିବା ଜନ ହପକିନ୍‌ସ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନରେ ପ୍ରକାଶ କରିଥିଲା। କୋଭିଡ୍‌ ମହାମାରୀର ପ୍ରକୋପ କମି ଆସିବା ପରେ ସରକାର ସବୁ ପ୍ରକଳ୍ପ ଓ ଯୋଜନାଗୁଡ଼ିକର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ସରକାର ଶିକ୍ଷାକୁ ବିଶେଷ ଗୁରୁତ୍ବ ଦେଇଥିଲେ। ବର୍ତ୍ତମାନ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇପାରିଛି। ରାଜ୍ୟର ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ନୂଆ-ଓ କାର୍ଯ୍ୟକ୍ରମ ଓ ଶିକ୍ଷା ବୃତ୍ତି ଆରମ୍ଭ କରାଯାଇଛି। ବେକାର ଯୁବକମାନଙ୍କୁ ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ‘ସ୍ବୟମ’ ଯୋଜନାରେ ବିନା ସୁଧରେ ୧ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ଅତ୍ୟାଧୁନିକ କ୍ରୀଡ଼ା ବ୍ୟବସ୍ଥା ପ୍ରତିଷ୍ଠା କରାଯାଉଛି। ରାଉରକେଲାରେ ୧୫ମାସ ଭିତରେ ନିର୍ମାଣ ହୋଇଥିବା ବିଶ୍ବର ସର୍ବବୃହତ ସିଟ୍‌ ଥିବା ହକି ଷ୍ଟାଡିୟମ ହେଉଛି ରାଜ୍ୟର ପ୍ରକଳ୍ପ ପରିଚାଳନାର ଏକ କେସ୍ ଷ୍ଟଡି। ଓଡ଼ିଶାର ଭାରତର କ୍ରୀଡ଼ା ରାଜଧାନୀ ପାଲଟିଛି। ମହିଳା ସଶକ୍ତୀକରଣରେ ମିସନ ଶକ୍ତିର ମହିଳାଙ୍କୁ ବିନାସୁଧରେ ୧୦ଲକ୍ଷ ଟଙ୍କାର ଋଣ ଦିଆଯାଉଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ରୂପାନ୍ତରିତ ହେଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି। ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ରାଜ୍ୟ ସ୍ବାସ୍ଥ୍ୟ ସେବାକୁ ସଦୃଢ଼ କରିଛି। ଗତ ୫ବର୍ଷ ଭିତରେ ଓଡ଼ିଶା ବହୁମୁଖୀ ଦାରିଦ୍ର୍ୟକୁ ହ୍ରାସ କରିଥିବା ଦେଶର କିଛି ହାତଗଣତି ରାଜ୍ୟ ଭିତରେ ସ୍ଥାନ ପାଇଛି। ଦେଶର ଦ୍ରୁତ ବିକାଶଶୀଳ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ନିର୍ମାଣ କରାଯାଇଛି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରଥମ ଥର ଲାଗି ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।