ମୁମ୍ବାଇ: ପୁତୁରା ଅଜିତ ପାୱାର ସିନ୍ଦେ-ବିଜେପି ନେତୃତ୍ବାଧୀନ ସରକାରରେ ସାମିଲ ହେବାପରେ ସବୁଠୁ ବଡ଼ ରାଜନୈତିକ ଲଜ୍ଜାର ଶିକାର ହୋଇଥିବା ଏନ୍ସିପି ସୁପ୍ରିମୋ ଶରଦ ପାୱାର କେଉଁ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଶରଦ ଓ ଅଜିତଙ୍କ ସମର୍ଥନରେ କେତେଜଣ ବିଧାୟକ ବାହାରୁଛନ୍ତି ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି | ତେବେ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ଦକ୍ଷିଣ ମୁମ୍ବାଇର ଯଶବନ୍ତରାଓ ଚୌହାନ କେନ୍ଦ୍ରରେ ବିଧାୟକଙ୍କ ସହ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ | ସେହିପରି ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟ ବୁଧବାର ଦିନ ବାନ୍ଦ୍ରାସ୍ଥିତ ଭୁଜବଲ ନଲେଜ୍ ସିଟିରେ ବୈଠକ କରିବେ।
ବୁଧବାର ଦିନ ଅପରାହ୍ନ ୧ଟାରେ ଶରଦ ପାୱାର ବୈଠକ କରିବାକୁ ଥିବାବେଳେ ଅଜିତ ପାୱାରଙ୍କ ଗୋଷ୍ଠୀ ସକାଳ ୧୧ଟାରେ ବୈଠକ କରିବେ। ଅଜିତ ପାୱାର, ଛଗନ ଭୁଜବଳ, ଦିଲ୍ଲୀପ ପାଟିଲ ଓ ଅନ୍ୟ ୯ ବିଧାୟକଙ୍କ ବିଦ୍ରୋହ ପରେ ଏହା ପ୍ରଥମ ବୈଠକ ହେବ। ଉଭୟ ଗୋଷ୍ଠୀ ଦାବି କରିଛନ୍ତି ଯେ ସେମାନଙ୍କ ପଟରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି। ଉଲ୍ଲେଖ ଥାଉ କି ଏନସିପିରେ ବିଭାଜନ ପରେ ଶରଦ ପାୱାର ଗତକାଲି ବଡ ପଦକ୍ଷେପ ନେଇଥିଲେ | ସେ ଦୁଇ ଭେଟେରାନ ନେତା ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଦଳରୁ ବହିଷ୍କାର କରିଥିଲେ । ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଅଜିତ ପାୱାରଙ୍କ ଗୋଷ୍ଠୀ ତରଫରୁ ସୁନୀଲ ତଟକରେଙ୍କୁ ମହାରାଷ୍ଟ୍ର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସଭାପତି କରାଯାଇଥିବାବେଳେ ଜୟନ୍ତ ପାଟିଲଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମହାରାଷ୍ଟ୍ର ସଭାପତି ପଦରୁ ହଟାଯାଇଥିଲା ।