ନୂଆଦିଲ୍ଲୀ ୨୨/୦୬: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଜଣେ ଅଭିନେତା ହେବା ବ୍ୟତୀତ ବିଜୟ ଜଣେ ନୃତ୍ୟଶିଳ୍ପୀ ଏବଂ ଗାୟକ ମଧ୍ୟ ଅଟନ୍ତି । ତାମିଲ ବ୍ୟତୀତ ସେ ଅନ୍ୟ ଅନେକ ଭାରତୀୟ ଭାଷାରେ ଫିଲ୍ମ କରିଛନ୍ତି। ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ସେ ପ୍ରାୟ ୬୪ ଟି ଫିଲ୍ମରେ କାମ କରିଛନ୍ତି। ଆୟ ଆଧାରରେ ସେ ଫୋର୍ବସ୍ ଇଣ୍ଡିଆ ୧୦୦ ସେଲିବ୍ରିଟି ତାଲିକାରେ ଅନେକ ଥର ସ୍ଥାନ ପାଇଛନ୍ତି। ତେବେ ଚାଲନ୍ତୁ ଜାଣିବା ବିଜୟଙ୍କ ସମ୍ପତ୍ତି ବଷୟରେ…
ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଫିଲ୍ମ ‘ବିଷ୍ଟ’ ପାଇଁ ତାଙ୍କୁ ୧୦୦ କୋଟି ଟଙ୍କାରେ ସାଇନ୍ କରାଯାଇଥିଲା। ବିଜୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ପଛରେ ପକାଇଥିଲେ । ଯିଏ ଫିଲ୍ମ ‘ଦାର୍ବାର’ ପାଇଁ ପ୍ରାୟ ୯୦ କୋଟି ଚାର୍ଜ କରିଥିଲେ।
ଥାଲପତି ବିଜୟ ଅନେକ ବଡ କମ୍ପାନୀ ପାଇଁ ବିଜ୍ଞାପନ ଦିଅନ୍ତି । ଆକଳନ କରାଯାଇଛି ଯେ ପ୍ରତିବର୍ଷ ସେ ବିଜ୍ଞାପନରୁ ୧୦ କୋଟି ରୋଜଗାର କରନ୍ତି। ବିଜୟ ଅନ୍ୟମାନଙ୍କ ମଧ୍ୟରେ କୋକା କୋଲା, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଅନ୍ୟ ବ୍ରାଣ୍ଡ ପାଇଁ ପ୍ରଚାର କରନ୍ତି । ସୂଚନା ଅନୁଯାୟୀ, ୨୦୧୯ ରୁ ବିଜୟଙ୍କ ବାର୍ଷିକ ଆୟ ପ୍ରାୟ ୧୦୦-୧୨୦ କୋଟି ଅଟେ। ଏଥିମଧ୍ୟରେ ଫିଲ୍ମରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ଆୟ ଅନ୍ତର୍ଭୁକ୍ତ । ବିଜୟଙ୍କ ସମ୍ପତ୍ତି ମୂଲ୍ୟ ୫୬ ମିଲିୟନ ଡ଼ଲାର ବା ପ୍ରାୟ ୪୧୦ କୋଟି ଟଙ୍କା।
ବିଜୟ ଚେନ୍ନାଇରେ ତାଙ୍କ ପରିବାର ସହିତ ବିଳାସପୂର୍ଣ୍ଣ ଘରେ ରୁହନ୍ତି। ସେ ୧୯୯୯ ରେ ସଂଗୀତା ସର୍ନାଲିଙ୍ଗମଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବିଳାସପୂର୍ଣ୍ଣ କାର ପାଇଁ ବିଜୟଙ୍କର ଆଗ୍ରହ ରହିଛି । ତାଙ୍କ କଲେକ୍ସନରେ ରୋଲ୍ସ ରୋଏସ୍ ଘୋଷ୍ଟ ଅଛି ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କର ୧.୩୦ କୋଟି ମୂଲ୍ୟର ଅଡି A8, ୯୦ ଲକ୍ଷ ମୂଲ୍ୟର BMW X6, ୭୫ ଲକ୍ଷ ମୂଲ୍ୟର BMW ସିରିଜ୍ ୫ ଏବଂ ୩୫ ଲକ୍ଷ ମୂଲ୍ୟର ମିନି କପୁର୍ ଅଛି ।

