ଆଲମୋରା, ୨୫।୦୪: ସବୁଦିନ ବିତୁଛି ଭୂତାଣୁ ସହ । କାମରେ ତିଳେମାତ୍ର ଅବହେଳା ନାହିଁ । ସକାଳ ୬ଟା ହେଲାମାତ୍ରେ ସେ ବାହାରି ପଡନ୍ତି ଲ୍ୟାବ୍କୁ । ବିଭିନ୍ନ ସ୍ଥାନରୁ ସଂଗ୍ରୃହିତ ରକ୍ତ ନମୂନାକୁ ଯାଞ୍ଚ କରନ୍ତି । ରକ୍ତ ନମୂନାରେ ଥାଏ ଊୟଙ୍କର ସାର୍ସ-କୋଭିଡ-୧୯ ଭାଇରସ । ହେଲେ ମନରେ ନଥାଏ ଡର । ମହାବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ କରନ୍ତି ଟେଷ୍ଟିଂ । ୬ ମାସ ହେଲା ବିଶ୍ରାମ ମଧ୍ୟ ନେଇ ନାହାଁନ୍ତି । ଦୈନିକ ୮ ଘଣ୍ଟା ନୁହେଁ ବରଂ କରନ୍ତି ୧୬ଘଣ୍ଟା କାମ । ଏହା ହେଉଛି ଜଣେ କରୋନା ଯୋଦ୍ଧାଙ୍କ କାହାଣୀ । ଉତ୍ତରାଖଣ୍ଡର ଆଲମୋରାରେ ରହୁଥିବା ୩୩ ବର୍ଷୀୟ ଜିତେନ୍ଦ୍ର ଦେବରାରୀ ହେଉଛନ୍ତି ସେହି ଯୋଦ୍ଧା ଯିଏ ମୃତ୍ୟୁକୁ ଭୃକ୍ଷେପ ନକରି କରୋନା ମୁକାବିଲାରେ ଦିନରାତି ଏକ କରିଦେଇଛନ୍ତି ।
ଆଲମୋରାରେ କୌଣସି ଘରୋଇ ଟେଷ୍ଟିଂ ଲ୍ୟାବ୍ ନାହିଁ ।ଏଠାରେ ଥିବା ସରକାରୀ ମେଡିକାଲ କଲେଜରେ ହିଁ କେବଳ ଟେଷ୍ଟିଂ ହେଉଛି । ଏହି ହସ୍ପିଟାଲରେ ଥିବା ୨୧ ଡାକ୍ତରଙ୍କ ମଧ୍ୟରୁ କେବଳ ଜିତେନ୍ଦ୍ର ହେଉଛନ୍ତି ମାଇକ୍ରୋବାୟୋଲୋଜିଷ୍ଟ୍ । ସେ ଲ୍ୟାବ୍ ଟେକନିସିଆଲଙ୍କ ୪ ଜଣ ଟିମ୍କୁ ନେଇ କାମ କରନ୍ତି । ଗତ ୬ ମାସ ହେଲା ସେ ଗୋଟିଏ ହେଲା ଛୁଟି ନେଇନାହାଁନ୍ତି ।
ଆଲମୋରା ମେଡିକାଲ କଲେଜର ଅଧ୍ୟକ୍ଷ ଆରଜି ନୌଟିଆଲ କହିଛନ୍ତି ଯେ, ଏଠାରେ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଟେଷ୍ଟିଂ ହେଉଛି । ସେହିପରି ଜିତେନ୍ଦ୍ର କହିଛନ୍ତି ଯେ, ସେ ପ୍ରତିକୂଳ ପରିସ୍ଥିତିର ଯେଉଁ ଚ୍ୟାଲେଞ୍ଜ୍ ରହିଛି ତାକୁ ସ୍ୱୀକାର କରିଛନ୍ତି । ଏବେ କିଛିଦିନ ହେବ କାମଚାପ ବଢିଛି । ସେ ଚବିଶ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ଅଛନ୍ତି । ଦିନରାତି କାମ କରିବାକୁ ପଡୁଛି । ଦୈନିକ ୯୦୦ରୁ ୧୦୦ ନମୂନା ଟେଷ୍ଟିଂ ପାଇଁ ଆସୁଛି । ଏବେସୁଦ୍ଦା ସେ ୨୫୦୦୦ରୁ ଅଧିକ ନମୂନା ଟେଷ୍ଟ କରିସାରିଲେଣି । ଏପରିକି ଦିନେଦିନେ ସେ ଖାଇବା ଓ ପିଇବା ମଧ୍ୟ. ଭୁଲି ଯାଉଥିବା କହିଛନ୍ତି । ଯେପରି ଘରୁ ଯିବା ଆସିବାରେ ସମୟ ନଷ୍ଟ ନହେବ ସେଥିପାଇଁ ସେ ଲ୍ୟାବ୍ ନିକଟରେ ରହୁଛନ୍ତି ।
କେବଳ ଜିତେନ୍ଦ୍ର ନୁହେଁ ତାଙ୍କ ବାପା ମଧ୍ୟ ଦେଶ ପାଇଁସେବା କରିଛନ୍ତି । ଜିତେନ୍ଦ୍ର ହେଉଛନ୍ତି ଜଣେ ସୈନ୍ୟଙ୍କ ପୁଅ । ପରିବାର କହିଲେ ବାପା, ମାଆ ଓ ସାନ ଭାଇ । ଜିତେନ୍ଦ୍ରଙ୍କ ପିଲାଦିନ ଉଦ୍ଧମ ସିଂ ନଗରର ପନ୍ତନଗରରେ କଟିଥିଲା । ଏଠାରେ ହିଁ ସେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ସୁଶିଲା ତିଓ୍ୱାରୀ ମେଡିକାଲ କଲେଜରୁ ଏମବିବିଏସ ପାସ୍ କରିଥିଲେ । ଏହାସହ ମଣିପାଲ ବିଶ୍ୱବିଦ୍ୟାଳୟରୁ ମାଇକ୍ରୋବାୟୋଲୋଜିରେ ପିଏଚଡି କରିଥିଲେ ।
ଜିତେନ୍ଦ୍ରଙ୍କ ଏପରି ଘଡିସନ୍ଧି ମୁହୂର୍ତ୍ତରେ ପାରିବାପଣିଆକୁ ସମସ୍ତେ ପ୍ରଶଂସା କରିଛନ୍ତି । ମେଡିକାଲ କଲେଜର ସୁପରିଟେଣ୍ଟେଣ୍ଟ ମଧ୍ୟ ଜିତେନ୍ଦ୍ରଙ୍କ ଉପସ୍ଥିତି ଶକ୍ତି ଯୋଗାଉଥିବା ପ୍ରକାଶ କରିଛନ୍ତି । ଯେତେ ପରିମାଣରେ ନମୂନା ଆସିଲେ ମଧ୍ୟ ସେ ଟେଷ୍ଟିଂ ନସରିବା ଯାଏଁ ଲ୍ୟାବ୍ ଛାଡନ୍ତି ନାହିଁ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ୍ ।