ଦୁବାଇ, ୦୨।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ଦିଲ୍ଲୀ ୬ ଓ୍ୱିକେଟରେ ବିଜୟ ଲାଭ କରିଛି । ୧୫୩ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।
ଟସ୍ ହାରି ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଜୋସ ଫିଲିପ୍ ଏବଂ ଦେବଦତ୍ତ ପାଡିକଲ ପ୍ରଥମ ଓ୍ଵିକେଟ୍ରେ ୨୫ ରନ ଯୋଡିଥିଲେ। ଫିଲିପ ୧୨ ରନ କରି କାଗିସୋ ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ରେ ୫୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ୮୨ ରନ ସ୍କୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରବିଚନ୍ଦ୍ରନ ଅଶ୍ଵିନ ଆଉଟ୍ କରିଥିଲେ। କୋହଲି ୨୪ ବଲରୁ ୨ ଚୌକା ଓ ୧ ଛକା ସହ ୨୯ ରନ କରିଥିଲେ। ଅନ୍ୟପଟେ ଦେବଦତ୍ତ ପାଡିକଲ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୧ ବଲରୁ ୫ ଚୌକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ।
କ୍ରିସ ମରିସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଶିବମ ଦୁବେ ୧୧ ବଲରୁ ୨ ଚୌକା ଓ ୧ ଛକା ସହ ୧୭ ରନ କରିଥିଲେ। ଇନିଂସର ଆଉ ୪ଟି ବଲ ବାକି ଥିବା ବେଳେ ଡିଭିଲିୟର୍ସ ଆଉଟ୍ ହୋଇଥିଲେ। ସେ ୨୧ ବଲରୁ ୧ ଚୌକା ଓ ୨ ଛକା ସହ ୩୫ ରନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା।
ବେଙ୍ଗାଲୁରୁ ପକ୍ଷରୁ ସଫଳ ବୋଲର ଭାବେ ଅନରିଚ୍ ନୋର୍ତ୍ତଜେ ୩ଟି ଓ୍ଵିକେଟ୍ ନେଇଥିଲେ। କାଗିସୋ ରାବଡା ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।
୧୫୩ ରନର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ସହଜରେ ମ୍ୟାଚ୍ ଜିତିନେଇଥିଲା । ଦଳ ପକ୍ଷରୁ ଶିଖର ଧାଓ୍ୱନ ଓ ଆଜିଙ୍କ୍ୟ ରାହାଣେ ଅର୍ଧଶତକ ହାସଲ କରିଥିଲେ । ଧାଓ୍ୱନ ୫୪ ରନ୍ କରିଥିବା ବେଳେ ରାହାଣେ ୬୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୭ ରନ୍ କରିଥିଲେ । ଫଳରେ ଦିଲ୍ଲୀ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।
ବେଙ୍ଗାଲୁରୁ ପକ୍ଷରୁ ଏସ ଅହମ୍ମଦ ଦୁଇଟି ଓ ଓ୍ୱାଶିଂଟନ ସୁନ୍ଦର, ଏମ ଶିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।