ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ତାତି କମିପାରେ। ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏମିତି ଆଶା ଦେଖାଇଛି। କୁହାଯାଇଛି ଯେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆଜି ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟର ଆଉ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି।ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ରୁ ବର୍ଷାର ବିସ୍ତୃତି ଓ ଅନୁପାତ ଆହୁରି ବଢ଼ିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, ଗଜପତି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୪ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଅନ୍ୟପଟେ ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ୪୨.୧ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଛି। ଏହା ପଛକୁ ରହିଛି ହୀରାକୁଦ (୪୧.୯ ଡିଗ୍ରି), ସୁନ୍ଦରଗଡ଼ (୪୧), ବଲାଙ୍ଗୀର (୪୧.୨), ସୋନପୁର (୪୧.୮), ବରଗଡ଼ (୪୦.୮), ବାରିପଦା ଓ ଭବାନୀପାଟଣାରେ (୪୦ ଡିଗ୍ରି)।
ଆଜି ଉପକୂଳ ଓଡ଼ିଶାରେ ତାତି କମିଛି। ରଥଯାତ୍ରା ଅବସରରେ ପୁରୀରେ ଆଜି ତାତି କମି ୩୫.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୭୨% ରେକର୍ଡ ହୋଇଛି। ଫଳରେ ଶ୍ରଦ୍ଧାଳୁ ପ୍ରବଳ ଗୁଳୁଗୁଳି ସହ ୪୫ ଡିଗ୍ରି ଉପରେ ତାପମାତ୍ରା ଅନୁଭବ କରିଥିଲେ। ଏଥିସହ ପୁରୀ ସହରରେ ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ଘଣ୍ଟାପ୍ରତି ୧୫ରୁ ୧୭ କିମି ବେଗରେ ବହିଥିଲା। ତଥାପି ଏହା ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତ କରିନଥିଲା। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଥିଲେ ବି ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା।