ୱାସିଂଟନ ୩।୪: ବିଶ୍ୱର ସର୍ବ ବୃହତ୍ତ ଅନଲାଇନ କମ୍ପାନୀ ଆମାଜନ ସମ୍ମୁଖରେ ନୂଆ ସମସ୍ୟା ଦେଖା ଦେଇଛି। ଆମାଜନ ଏପର୍ଯ୍ୟନ୍ତ କମ୍ପାନୀରେ ଶ୍ରମିକ ଓ କର୍ମଚାରୀଙ୍କୁ ୟୁନିୟନ କରାଇ ଦେଉନଥିଲା। ତେବେ କମ୍ପାନୀର ଷ୍ଟେଟେନ ଆଇଲ୍ୟାଣ୍ଡସ୍ଥିତ ୱେର ହାଉସରେ ଟ୍ରେଡ ୟୁନିୟନ ଲାଗି ଆଗତ ପ୍ରସ୍ତାବ ବହୁମତରେ ଗୃହୀତ ହୋଇଯାଇଛି। ଏଠାରେ ୮ ହଜାର ୩୨୫ ଜଣ କର୍ମଚାରୀ କାର୍ଯ୍ୟ କରନ୍ତି। ତେବେ ୪ହଜାର ୭୭୫ ଜଣ କର୍ମଚାରୀଙ୍କୁ ନେଇ ଭୋଟ ହୋଇଥିବା ବେଳେ ସପକ୍ଷରେ ୨ହଜାର ୬୫୪ ଭୋଟ ପଡିଥିବା ବେଳେ ବିପକ୍ଷରେ ୨ହଜାର ୧୨୧ଟି ଭୋଟ ପଡିଛି।
ଆମେରିକାରେ ୟୁନିୟନ କରିବା ପାଇଁ କର୍ମଚାରୀଙ୍କ ମଧ୍ୟରେ ମତଦାନ କରାଯାଇଥାଏ। ୧୯୮୦ ମସିହା ପରେ ଦେଶରେ ୟୁନିୟନ ଦୁର୍ବଳ ହୋଇଯାଇଥିଲା। ତେବେ ଗତ କିଛି ବର୍ଷ ହେଲା ପୁଣି ଥରେ ୟୁନିୟନ ଲାଗି କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ହୋଇଛି। ଏଣୁ ୟୁନିୟନ ଗଢ଼ିବା ଲାଗି ଉଦ୍ୟମ ବଢିଥିବା ବେଳେ ଆମାଜନରେ ପ୍ରଥମ କରି ଟ୍ରେଡ ୟୁନିୟନ ହେବାକୁ ଯାଉଥିବା ଜଣାପଡିଛି। ଆମାଜନର ଷ୍ଟେଟନ ଆଇଲ୍ୟାଣ୍ଡ ୱେର ହାଉସରେ କାର୍ଯ୍ୟରତ କ୍ରିଶ୍ଚିୟାନ ସ୍ମଲସ୍ ନାମକ ଜନୈକ କର୍ମଚାରୀ ୟୁନିୟନ ଦିଗରେ ପ୍ରଥମେ ପଦକ୍ଷେପ ନେଇଥିଲେ। କମ୍ପାନୀ ଏହା ଜାଣିବା ପରେ ତାଙ୍କୁ ଚାକିରୀରୁ ବାହାର କରିଦେଇଥିଲା।
ତେବେ ୟୁନିୟନ ଲାଗି ଭୋଟ ଫଳାଫଳ ଆସିବା ପରେ ସ୍ମଲ ଏକ ଟ୍ୱିଟ୍ କରି କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭୋଟ ଫଳାଫଳକୁ ନେଇ ଆମାଜନ ଦୁଃଖିତ ବୋଲି କହିଛନ୍ତି। ଏବେ ଆମେ ଆମର ଆଗାମୀ ବିକଳ୍ପ ବିଚାରରେଥିବା ମଧ୍ୟ ସୂଚିତ କରିଛନ୍ତି। ସେପଟେ ହ୍ୱାଇଟ ହାଉସ ମୁଖପାତ୍ର ଜେନ ସାକି ଏକ ବିବୃତ୍ତିରେ ଭୋଟ ଫଳାଫଳକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ବେଶ୍ ଖୁସ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ କର୍ମସ୍ଥଳରେ ନିଆଯାଉଥିବା ନିଷ୍ପତ୍ତିରେ ସମ୍ମାନର ସହ ସେମାନଙ୍କ କଥା ଶୁଣାଯାଉ ତାହା ସେମାନେ ନିଶ୍ଚିତ କରିଥିବା କହିଛନ୍ତି ଶାକୀ।
ତେବେ ଏହା ପୂର୍ବରୁ ଆଲବାମା ରାଜ୍ୟର ବେସମେରରେ ଆମାଜନ କମ୍ପାନୀରେ ୟୁନିୟନ କରିବା ପାଇଁ ଅନୁଷ୍ଠିତ ଭୋଟରେ ପ୍ରସ୍ତାବ ଗୃହୀତ ହୋଇପାରିନଥିଲା। ହେଲେ ନ୍ୟାସନାଲ ଲେବର ରିଲେସନ ବୋର୍ଡ ଏହି ଫଳାଫଳକୁ ସ୍ୱୀକାର କରିନଥିଲେ। କମ୍ପାନୀରେ ୟୁନିୟନ ନ ହେଉ ସେଥିପାଇଁ କର୍ମଚାରୀଙ୍କ ଉପରେ ଅନୁଚିତ ଚାପ ପକାଇଥିବାର ବୋର୍ଡ ଅଭିଯୋଗ କରିଥିଲେ। ତେବେ ଆମାଜନଙ୍କ ଗୋଟିଏ ୱେର ହାଉସ୍ରେ କମ୍ପାନୀୟୁନିୟନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିବାରୁ ଅନ୍ୟ ଶାଖାମାନେ ମଧ୍ୟ ଏଥିରେ ସଂଯୁକ୍ତ ହୋଇପାରିବେ ବୋଲି କୁହାଯାଇଛି।