ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଶୀର୍ଷରେ

ଭୁବନେଶ୍ବର : ଆୟୁଷ୍ମାନ ଭାରତ ପ୍ରଧା‌ନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌-ଜେଏୱାଇ)କୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। କେନ୍ଦ୍ରୀୟ ନେତାମାନେ ନିୟମିତଭାବେ ଓଡ଼ିଶାରେ ପିଏମ୍‌-ଜେଏୱାଇକୁ ଲାଗୁ କରିବା ଲାଗି ରାଜ୍ୟ ସରକାରଙ୍କୁ କହୁଛନ୍ତି। ନିକଟରେ ଓଡ଼ିଶା ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ମଧ୍ୟ ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ତ୍ବରାନ୍ବିତ କରିବା ଲାଗି କହିଥିଲେ। ମାତ୍ର ରାଜ୍ୟ ସରକାର ନିଜର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ପାଇଁ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ମାତ୍ର ଆୟୁଷ୍ମାନ ଭାରତ ଅଧୀନରେ ଅନ୍ୟ ଯେଉଁସବୁ ଯୋଜନା ରହିଛି ତାହାକୁ ଓଡ଼ିଶା ସରକାର ଲାଗୁ କରିଛନ୍ତି। ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ବା ‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି। ଏପରିକି ଏହି ଆକାଉଣ୍ଟ ଖୋଲିବାରେ ଦେଶର ଶ୍ରେଷ୍ଠ ୧୦ଟି ଜିଲ୍ଲାରେ ଓଡ଼ିଶା ସବୁ ଜିଲ୍ଲା ସ୍ଥାନ ପାଇଛି।

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ବା ‘ଆଭା’ ଏକ ୧୪ ଟିକିଆ ଡିଜିଟାଲ ନମ୍ବର। ଏହି ଆକାଉଣ୍ଟ ଖୋଲିବା ପାଇଁ ଜଣେ ବ୍ୟକ୍ତିଙ୍କ ଆଧାର ନମ୍ବର ସଂଯୋଗ କରିବାକୁ ପଡ଼ିଥାଏ। ଏହା ଜରିଆରେ ଦେଶର ଯେ କୌଣସି ସ୍ବାସ୍ଥ୍ୟାନୁଷ୍ଠାନରେ ପଞ୍ଜୀକରଣ କରିବା ସହଜ ହେବ। ଯାହାଫଳରେ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଞ୍ଜୀକରଣ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଏହାସହ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଏହି ନମ୍ବର ଜରିଆରେ ମିଳିପାରିବ। ‘ଆଭା’ ଆକାଉଣ୍ଟ ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ମ୍ୟା‌ନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ ବା ଏମ୍‌ଆଇଏସ୍‌ ଅଭିଯାନ ଚାଲୁ ରଖିଛନ୍ତି। ନଭେମ୍ବର ୧୧ତାରିଖରୁ ଚଳିତମାସ ୧୧ତାରିଖ ପର୍ଯ୍ୟନ୍ତ ଏହି ଜାରି ରହିବ। ଅଭିଯାନରେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ‘ଆଭା’ ଆକାଉଣ୍ଟ ଖୋଲା ଯାଉଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ‘ଆଭା’ ଆକାଉଣ୍ଟ ସଂଯୋଗରେ ଓଡ଼ିଶା ଦେଶରେ ୧ ନମ୍ବର ସ୍ଥାନରେ ରହିଛି। ଚଳିତମାସ ୭ତାରିଖ ସୁଦ୍ଧା ରାଜ୍ୟରେ ୩୮,୦୩,୧୮୨ ନମ୍ବର ସଂଯୋଗ ହୋଇପାରିଛି। ଦ୍ବିତୀୟରେ ଗୁଜରାଟ ଥିବା ବେଳେ ୧୦ ନମ୍ବର ସ୍ଥାନରେ ଉତ୍ତର ପ୍ରଦେଶ ରହିଛି। ଉତ୍ତର ପ୍ରଦେଶରେ ୧୪,୭୬୯ଜଣ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲିଛନ୍ତି। ସେହିପରି ଦେଶର ଅଗ୍ରଣୀ ୧୦ଟି ଜିଲ୍ଲାରେ ଓଡ଼ିଶାର ସମସ୍ତ ଜିଲ୍ଲା ରହିଛି। ଭଦ୍ରକରେ ସର୍ବାଧିକ ୩,୭୨,୦୧୪ଜଣ ଆକାଉଣ୍ଟ ଖୋଲିଥିବା ବେଳେ ଯାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ପୁରୀ ଓ କେନ୍ଦୁଝର ଏହି ତାଲିକାରେ ସ୍ଥାନ ପାଇଛି। ତେବେ ଏମ୍‌ଆଇଏସ୍‌ ଅଭିଯାନ ଆହୁରି ୨ଦିନ ବାକି ରହିଥିବାରୁ ‘ଆଭା’ ଆକାଉଣ୍ଟ ସଂଖ୍ୟା ୪୦ ଲକ୍ଷ ଟପିବା ନେଇ ଅନୁମାନ କରାଯାଉଛି। ତେବେ ଏମ୍‌ଆଇଏସ୍‌ ଅଭିଯାନ ପରେ ‘ଆଭା’ ଆକାଉଣ୍ଟ ଖୋଲିବା ଜାରି ରହିବ କି ନାହିଁ ତାହା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ‘ଆଭା’ ହେଉଛି ଏକ ଜାତୀୟ ଡିଜିଟାଲ ହେଲ୍‌ଥ ଆଇଡି। ଯାହାକି ପିଏମ୍‌-ଜେଏୱାଇଠାରୁ ଭିନ୍ନ। ରାଜ୍ୟ ସରକାର ‘ଆଭା’କୁ କାର୍ଯ୍ୟକାରୀ କରିଛନ୍ତି। ପିଏମ୍‌-ଜେଏୱାଇ ରାଜ୍ୟରେ କାର୍ଯ୍ୟକାରୀ ହୋଇ ନ ଥିବା ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।