ନୂଆଦିଲ୍ଲୀ ୧୭/୦୩ : ଆଜି ଫାଲଗୁନ ମାସ ବିନାୟକ ଚତୁର୍ଥୀ। ହିନ୍ଦୁ ଧର୍ମରେ ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ। ବୁଧବାର ଦିନ ବିନାୟକ ଚତୁର୍ଥୀ ପଡିବା ଅତ୍ୟନ୍ତ ଶୁଭ। ଏହି ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କଲେ ଶହେ ଗୁଣ ଫଳ ପ୍ରାପ୍ତ ହୋଇଥାଏ। ବିନାୟକ ଚତୁର୍ଥୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି ସାରି ମନ୍ଦିରରେ ଧୂପ-ଦୀପ ପ୍ରଜ୍ବଳିତ କରି ପୂଜା କରିବା ଉଚିତ। ବିନାୟକ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଗଙ୍ଗା ଜଳରେ ସ୍ନାନ କରି, ସଫା ବସ୍ତ୍ର ପରିଧାନ କରାଇ, ଦୁବ ଓ ଲଡୁ କିମ୍ବା ମୋଦକ ନିଶ୍ଚୟ ଅର୍ପଣ କରିବା ଉଚିତ।
ଏହି ଦିନ ଗଣେଶଙ୍କ ପ୍ରତିରୂପ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରାଯାଇଥାଏ। ଚତୁର୍ଥୀ ଦିନ ସଙ୍କଟ ହରଣ ଗଣପତିଙ୍କ ପୂଜା କରାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ରଦେବଙ୍କ ଦର୍ଶନ ଦ୍ୱାରା ବ୍ରତ ପୂର୍ଣ୍ଣ ହୋଇଥାଏ। ଆଜି ସନ୍ଧ୍ୟାରେ ରୁପା କିମ୍ବା ମାଟି ପାତ୍ରରେ ପାଣିରେ କ୍ଷୀର ମିଶାଇ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଶୁଭ ବୋଲି କୁହାଯାଏ। ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ରମା ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇଥିବା ବିନାୟକ ଚତୁର୍ଥୀ ବ୍ରତ ଚନ୍ଦ୍ର ଦର୍ଶନ ପରେ ସମାପ୍ତ ହୋଇଥାଏ। ସେଥିପାଇଁ ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନିଶ୍ଚୟ କରିବା ଉଚିତ।
ବିଶ୍ୱାସ ଅନୁଯାୟୀ, ଯେଉଁମାନେ ପୁରା ଶ୍ରଦ୍ଧାର ସହ ବିନାୟକ ଚତୁର୍ଥୀ ବ୍ରତ ପାଳନ କରନ୍ତି ସେମାନଙ୍କୁ ଗଣେଶଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଗଣପତିଙ୍କ ପୂଜାର୍ଚ୍ଚନା ଦ୍ୱାରା ବିଗିଡି ଯାଇଥିବା କାମ ମଧ୍ୟ ହୋଇଯାଇଥାଏ। ଜୀବନରେ କୌଣସି ପ୍ରକାର ବାଧା ଥିଲେ ତାହା ବି ସମାପ୍ତ ହୋଇଯାଇଥାଏ। ଗଣପତି ନିଜ ଭକ୍ତଙ୍କ ବିଘ୍ନ ହରଣ କରନ୍ତି। ସେଥିପାଇଁ ତାଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଏ।
ବିନାୟକ ଚତୁର୍ଥୀ ଦିନ କେଉଁଠି କେତେବେଳେ ଦର୍ଶନ ଦେବେ ଚନ୍ଦ୍ରମା ଜାଣନ୍ତୁ
ନୂଆଦିଲ୍ଲୀ – ରାତି ୧୦ଟା
ମୁମ୍ବାଇ – ୧୦ଟା ୭ ମିନିଟ
ଚେନ୍ନାଇ – ୯ଟା ୩୧ ମିନିଟ
ବେଙ୍ଗାଲୁରୁ – ୯ଟା ୪୨ ମିନିଟ
ଭୁବନେଶ୍ୱର – ୯ଟା ୧୫ ମିନିଟ
କୋଲକାତା – ୮ଟା ୫୦ ମିନିଟ

