ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଆଜି ପ୍ରକାଶିତ ହେବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲି (ଜୁଲାଇ ୭) ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଗତ ମେ’ ମାସ ୨୯ ତାରିଖ ଠାରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା।
ସୂଚନାଯୋଗ୍ୟ, ୨ହଜାର ୧୫୮ଟି କଲେଜରେ ୫ଲକ୍ଷ ୯ହଜାର ୬୧୪ ସିଟରେ ନାମଲେଖା ହେବ। ସାମସ୍ର ତଥ୍ୟ ଅନୁଯାୟୀ ରାଜ୍ୟରେ ୫ଲକ୍ଷ ୭ହଜାର ୪୨୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି । ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ ଅଫ୍ ମାର୍କ ବୃଦ୍ଧି ହେଉଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ମାଟ୍ରିକ ପାସହାର ହୋଇଛି । ତେଣୁ ଭଲ କଲେଜରେ ସିଟ୍ ମିଳିବ କି ନାହିଁ ଏନେଇ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି।