ଭୁବନେଶ୍ୱର: ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ | ଆଉ ମହାନଦୀରେ ପାଣି ବଢିବାକୁ ଥିବାବେଳେ ଏସଆରସି(ସ୍ୱତନ୍ତ୍ର ରିଲିଫ କମିଶନର)ଙ୍କ ପକ୍ଷରୁ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରମୁଖ ନଦୀ ସହ ଶାଖା ନଦୀମାନଙ୍କରେ ମଧ୍ୟ ପାଣି ବଢ଼ିବାରେ ଲାଗିଛି |
ଏସବୁକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ୧୫ଟି ଜିଲ୍ଲାକୁ ନେଇ ଆଲର୍ଟ ଜାରି କରାଯାଇଛି | ଏହି ସବୁ ଜିଲ୍ଲା ହେଉଛି ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡା | ଏହି ସବୁ ଜିଲ୍ଲାରେ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୨୩ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି |