ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅନ୍ତର୍ଜାତୀୟ ସେବିକା ଦିବସ: ଅସ୍ତ୍ରୋପଚାର ପ୍ରସବକୁ ହ୍ରାସ କରିବ ଏମ୍‌ଏଲ୍‌ସିୟୁ

ଭୁବନେଶ୍ବର : ରାଜ୍ୟରେ ଅସ୍ତ୍ରୋପଚାର ପ୍ରସବ(ସି-ସେକ୍ସନ୍‌) ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ନିର୍ଦେଶାବଳୀ ଅନୁଯାୟୀ ୧୫ ପ୍ରତିଶତ ପର୍ଯ୍ୟନ୍ତ ସି-ସେକ୍ସନ୍‌ ଅନୁମୋଦନ ଥିବା ବେଳେ ଓଡ଼ିଶାରେ କିନ୍ତୁ ଏହା ୭୦ ପ୍ରତିଶତରୁ ଅଧିକ ରହିଛି। ସି-ସେକ୍ସନ୍ କାହିଁକି ବଢ଼ୁଛି ଏହାର କାରଣ ଖୋଜିବା ପାଇଁ ରାଜ୍ୟ ସରକାର ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ଚଳିତମାସରୁ ଅଡିଟ୍‌ ଆରମ୍ଭ କରିଛନ୍ତି।

ତେବେ ସାଧାରଣ ପ୍ରସବକୁ ପ୍ରୋତ୍ସାହିତ ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଏମ୍‌ଏଲ୍‌ସିୟୁ(ମିଡୱାଇଫେରି ଲେଡ୍‌ କେୟାର ୟୁନିଟ୍‌) ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୩୦ଜଣଙ୍କୁ ତାଲିମ୍‌ ଦିଆଯାଇଛି। ନିକଟରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ମଧ୍ୟ ଏହା ଆରମ୍ଭ ହୋଇଛି। ଖୁବଶୀଘ୍ର ବୁର୍ଲା ମେଡିକାଲ କଲେଜରେ ଏହା ଆରମ୍ଭ ହେବ। ପ୍ରତିବର୍ଷ ୯୦ଜଣ ଲେଖାଏ ନର୍ସଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

ନର୍ସ ପ୍ରାକ୍ଟିସିଂ ମିଡୱାଇଫେରି(ଏନ୍‌ପିଏମ୍‌)। ନର୍ସିଂରେ ମିଡୱାଇଫେରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ଗର୍ଭବତୀଙ୍କୁ ସାଧାରଣ ପ୍ରସବ କରାଇବା ତାଙ୍କ ପ୍ରମୁଖ ଦାୟିତ୍ବ। ଏମ୍‌ଏଲ୍‌ସିୟୁର ତାଲିମ୍ ପାଇଁ ୬ଜଣ ମିଡୱାଇଫେରି ଟ୍ରେନର ରହିବେ ଓ ଯେଉଁମାନେ ତାଲିମ୍ ନେବେ ସେମାନେ ନର୍ସ ପ୍ରାକ୍ଟିସିଂ ମିଡୱାଇଫେରି(ଏନ୍‌ପିଏମ୍‌) ଭାବେ ପରିଚିତ ହେବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ୯୦ ପ୍ରତିଶତରୁ ଅଧିକ ରହିଛି। ଦିନକୁ ଦିନ ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଉଛି। ଏମ୍‌ଏଲ୍‌ସିୟୁ ଫଳରେ ମାତୃ ଓ ଶିଶୁ ମୃତ୍ୟୁ ହାର ସହିତ ସି-ସେକ୍ସନ୍ ପ୍ରସବକୁ ହ୍ରାସ କରାଯାଇପାରିବ। ପ୍ରଶିକ୍ଷିତ ନର୍ସମାନେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରିବା ସହିତ କେଉଁ ପ୍ରକାର ବ୍ୟାୟାମ, ଯୋଗ ଓ ପ୍ରାଣାୟମ ଆଦି କଲେ ଗର୍ଭବତୀଙ୍କ ସାଧାରଣ ପ୍ରସବ ହୋଇପାରିବ ତାହା ସଂପର୍କରେ ସେମାନଙ୍କୁ ସୂଚନା ଦିଆଯିବ। ଗତ ୫ବର୍ଷରେ ୪୫୦ ନର୍ସଙ୍କୁ ଏହି ତାଲିମ୍ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ୨୮,୮୯୪ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୧୧,୯୭୯ଜଣ ନର୍ସ ରହିଥିଲେ ଓ ୫୦୧୪ ପଦବି ଖାଲି ପଡ଼ିଥିଲା। ପରବର୍ତୀ ସମୟରେ ୧୧ହଜାର ପଦବି ସୃଷ୍ଟି କରାଯାଇଥିଲା। ପୂର୍ବରୁ ଖାଲି ପଡ଼ିଥିବା ୫ହଜାର ଓ ନିକଟରେ ୭ହଜାରଙ୍କୁ ମିଶାଇ ୧୨ହଜାର ନର୍ସ ପଦବି ପୂରଣ କରିବା ଲାଗି ରାଜ୍ୟ ସରକାର ଓପିଏସ୍‌ସିକୁ ପ୍ରସ୍ତାବ ଦେଇଛନ୍ତି। ଏହାସହ ୪ହଜାରରୁ ଅଧିକ ନର୍ସମାନଙ୍କୁ ସିଏଚ୍‌ଓ(କମ୍ୟୁନିଟି ହେଲ୍‌ଥ ଅଫିସର) ଭାବେ ଘୋଷଣା କରାଯାଇଛି। ସେମାନେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି) ଓ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟ କରିବେ। ଏହାସହ ରାଜ୍ୟରେ ମିଡ୍‌ୱାଇଫେରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତାକାଲି ଏକ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚିତ ହେବ ବୋଲି ସୂଚନା ମିଳିଛି।

୧୯୬୫ ମସିହାରେ ବିଶ୍ବସ୍ତରରେ ଅନ୍ତର୍ଜାତୀୟ ସେବିକା ଦିବସ ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆମର ନର୍ସ : ଆମର ଭବିଷ୍ୟତ’। ବିଶ୍ବବ୍ୟାପୀ ଏହିଦିନ ୧୩୦ ନର୍ସିଂ ସଂଘ ଏଥିରେ ସାମିଲ ହେଉଛନ୍ତି। ପୃଥିବୀରେ ଯେତେ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି ତହିଁରୁ ୫୫ ପ୍ରତିଶତ ହେଉଛି ନର୍ସ। ବିଶ୍ବରେ ୨୭୦ ମିଲିଅନ୍ ୱାର୍କିଂ ନର୍ସ ଥିବା ବେଳେ ଦେଶରେ ୩୩.୪୧ଲକ୍ଷ ଓ ଓଡ଼ିଶାରେ ୨୯ହଜାର ନର୍ସିଂ ଅଫିସର ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।