ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଶୂନ ମୃତ୍ୟୁ ସପ୍ତାହ ପାଳନ: ୯ମାସରେ ସଡ଼କ ଦୁର୍ଘଟଣାରେ ମରିଛନ୍ତି ୪୧୭୮

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ (ଡିସେମ୍ବର ୧ରୁ ୭ତାରିଖ ପର୍ଯ୍ୟନ୍ତ) ଶୂନ ମୃତ୍ୟୁ ସପ୍ତାହ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଦୁର୍ଘଟଣା କମାଇବାକୁ ବ୍ୟାପକ ଚେକିଂ କରିବା ସହ ଆହତଙ୍କୁ ତୁରନ୍ତ ଟ୍ରମା କେୟାର ସେଣ୍ଟର କିମ୍ବା ହସ୍ପିଟାଲରେ ଭର୍ତ୍ତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରିବହନ ବିଭାଗର ତଥ୍ୟ କହୁଛି ଯେ ୨୦୨୩ରେ ଜାନୁଆରିରୁ ସେପ୍ଟେମ୍ବର ଭିତରେ ୯ମାସରେ ମୋଟ୍ ୮୯୩୯ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୪୧୭୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୮୯୮ଜଣ ଆହତ ହୋଇଥିଲେ। ଏହି ତଥ୍ୟ ସୂଚାଉଛି ଯେ ରାଜ୍ୟରେ ସଡ଼କ ଦୁର୍ଘଟଣା କିପରି ରାଜ୍ୟବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଛି। ଏପରିକି ୨୦୨୨ରେ ଏହି ୯ମାସରେ ଯେତିକି ଦୁର୍ଘଟଣା ହୋଇଥିଲା ତାହାଠାରୁ ୨.୮୪% ଅଧିକ ଦୁର୍ଘଟଣା ୨୦୨୩ରେ ହୋଇଛି। କେବଳ ଦୁର୍ଘଟଣା ବଢ଼ିନି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪.୮୯% ବଢ଼ିଛି। ସବୁଠୁ ଚକିତ ଭଳି କଥା ହେଲା ୨୦୨୧ରେ ଯେତିକି ଦୁର୍ଘଟଣା ହୋଇଥିଲା ତାହାଠାରୁ ୬.୧୯% ଅଧିକ ଦୁର୍ଘଟଣା ୨୦୨୨ରେ ହୋଇଥିଲା ଏବଂ ୭.୫% ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଥିଲା। ତଥ୍ୟ ଦର୍ଶାଉଛି ଯେ ୨୧ମାସରେ ସଡ଼କ ଦୁର୍ଘଟଣା ୯.୦୩% ବଢ଼ିଥିବାବେଳେ ଦୁର୍ଘଟଣାଜନିତ ମୃତ୍ୟୁ ୧୧.୩୯% ବଢ଼ିଛି।

ଏହି ସବୁ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ରାସ୍ତାରେ ଥିବା ଗାତ, ବ୍ୟାରିଅର, ଖରାପ ରାସ୍ତା, ବ୍ଲାକ ସ୍ପଟ, ମଦ ପିଇ, ବିନା ହେଲମେଟ୍‌ରେ ଗାଡ଼ି ଚାଳନା, ଗାଡ଼ି ଚଳାଇବାବେଳେ ମୋବାଇଲ୍‌ରେ କଥାବାର୍ତ୍ତା ହେବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ରଙ୍ଗ ସାଇଡ୍‌ରେ ଗାଡ଼ି ଚଳାଇବା ଯୋଗୁ ହୋଇଛି। ତେଣୁ ଏନେଇ କଡ଼ାକଡ଼ି ଯାଞ୍ଚ କରିବା ସହ ରାସ୍ତା ମରାମତି କରିବାକୁ କୁହାଯାଇଛି। ଏହାସହ ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଅଧିକ ବଣଭୋଜି ହେଉଥିବାବେଳେ ଏହି ସମୟରେ ଦୁର୍ଘଟଣା ବଢ଼ିଥାଏ। ତେଣୁ ଏହି ସମୟେର ବି ଶୂନ ମୃତ୍ୟୁ ସପ୍ତାହ ଭଳି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେହିପରି ମିସନ୍ ଶକ୍ତି ସ୍କୁଟର ଯୋଜନାରେ ଯେଉଁ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସ୍କୁଟି ପାଇଛନ୍ତି ସେଥିରୁ ଅଧିକାଂଶ ନୂଆ ଗାଡ଼ି ଚଲାଉଥିବାରୁ ସେମାନଙ୍କୁ ବି ସଡ଼କ ଦୁର୍ଘଟଣା ନେଇ ସଚେତନ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲରେ ୧ରୁ ୭ତାରିଖ ପର୍ଯ୍ୟନ୍ତ ଶୂନ ମୃତ୍ୟୁ ସପ୍ତାହ ପାଳନ ହୋଇଥିବାବେଳେ ଏଥିରେ ଗତ ବର୍ଷର ଉକ୍ତ ସପ୍ତାହ ତୁଳନାରେ ୩୩% ଦୁର୍ଘଟଣା ଏବଂ ୧୪.୬% ଦୁର୍ଘଟଣାଜନିତ ମୃତ୍ୟୁକୁ କମାଯାଇପାରିଥିଲା। ବୌଦ୍ଧ, ରାୟଗଡ଼ା, ସୁବର୍ଣ୍ଣପୁର, ଭଦ୍ରକ. ମା‌ଲକାନଗିରି‌, ନୟାଗଡ଼ ଜିଲ୍ଲାରେ କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହୋଇନଥିଲା। ତେଣୁ ଏଥର ଯେପରି ଅଧିକ ଜିଲ୍ଲାରେ ଏହି ସପ୍ତାହରେ ଦୁର୍ଘଟଣ‌ାରେ ଶୂନ ମୃତ୍ୟୁ ହେବ ସେନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ କୁହାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।