ରାଜ୍ୟ

ଆଜିଠୁ ବଡ଼ ବର୍ଷା, ବନ୍ୟା ଆଶଙ୍କା: ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ମଙ୍ଗଳବାର ସକାଳେ ଝାଡ଼ଖଣ୍ତ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଅଗଷ୍ଟ ୧ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ୨ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ତ ଉପରେ ଏବଂ ୩ ତାରିଖରେ ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ସକ୍ରିୟ ରହି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟମଧରଣର ବର୍ଷା ଲାଗିରହିବ। ସୁନ୍ଦରଗଡ଼ରୁ ବଲାଙ୍ଗୀର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ୧୦୦ରୁ ୧୫୦ ମିମି ହେବାକୁ ଥିବା ବେଳେ ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ୧ରୁ ୪ ମଧ୍ୟରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିଯିବ। ତେବେ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ‌ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆସନ୍ତା ୫ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆକଳନ କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବୁଧବାର ପୂର୍ବାହ୍ନ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଦେବଗଡ଼, ବୌଦ୍ଧ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ପରିମାଣ ୨୦୦ ମିମିରୁ ଅଧିକ ହୋଇପାରେ। ୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ସାମାନ୍ୟ କମିବାର ସମ୍ଭାବନା ରହିଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ସର୍ବାଧିକ ୧୨୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଲେଶ୍ବର ଜିଲ୍ଲାର ରାଜଘାଟରେ ୧୧୧.୪, ଭୋଗରାଇରେ ୭୯, ଜଳେଶ୍ବରରେ ୭୩, ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୭୨, ଶୁଳିଆପଦାରେ ୬୬, ଜଗତ୍‌ସିଂହପୁର ଜିଲ୍ଲା ବିରିଡ଼ିରେ ୬୬.୨, ରଘୁନାଥପୁରରେ ୫୭, କଟକର ତିଗିରିଆରେ ୬୨ ମିମି ବର୍ଷା ରେକର୍ଡ କରାଯାଇଛି।

ଆସନ୍ତା ୫ ଦିନ ଧରି ମହାନଦୀ ଉପରମୁଣ୍ଡ ଯଥା ପଶ୍ଚିମ ଓଡ଼ିଶା, ଛତିଶଗଡ଼ରେ ଅଧିକ ପରିମାଣର ବର୍ଷା ହେବାକୁ ଥିବାରୁ ବନ୍ୟା ହୋଇପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରକୋପ ରହିବ। ଲଗାତାର ଭାବେ ୭ ଦିନ ହେଲା ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକରେ ବର୍ଷା ଜଳ ରହିଛି। ଯଦି ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୁଏ ତାହା ହେଲେ ନଦୀ ଫୁଲିବେ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନ ସଜାଗ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳ, ତଳିଆଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିବା ସହ ରାସ୍ତା/ଡ୍ରେନ୍‌ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଜଳ ନିଷ୍କାସନ ଦିଗରେ ପଦ‌କ୍ଷେପ ନେବାକୁ ପୌର ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାର ରିପୋର୍ଟ ସହ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ଜଣାଇବାକୁ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।